ପଟିଆରେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା, ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ

ଘରୋଇ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମହତ୍ୟା । ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ପଟିଆ ସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଏହି ଘଟଣା ଘଟିଛି । ଏଠାରେ ପଢୁଥିବା ଜଣେ ଛାତ୍ରୀ ହଷ୍ଟେଲ ପରିସରରେ ଆତ୍ମହତ୍ୟା କରିଛନ୍ତି । ଲେଡ଼ିଜ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ମୃତ ଛାତ୍ରୀ ବି.ଟେକ ପଢୁଥିବାବେଳେ ତାଙ୍କ ଘର ନେପାଳରେ ବୋଲି ଜଣାପଡ଼ିଛି।
ଛାତ୍ରୀଙ୍କ ଆତ୍ମହତ୍ୟା ଖବର ବିଜୁଳି ବେଗରେ ବ୍ୟାପୀ ଯିବା ପରେ ଛାତ୍ରଛାତ୍ରୀମାନେ କ୍ୟାଂପସ ସାମ୍ନାରେ ରାସ୍ତା ଅବରୋଧ କରିଛନ୍ତି। କଲେ ସାମ୍ନାରେ ଅପ୍ରିତିକର ପରିସ୍ଥିତି ଉପୁଝିଛି । ହଜାର ହଜାର ପିଲା ରାସ୍ତାକୁ ଓହ୍ଲାଇ ହୋ-ହଲ୍ଲା କରିଛନ୍ତି । କଲେଜ ପରିସରରେ ଛାତ୍ରଛାତ୍ରୀମାନେ ଭଙ୍ଗାରୁଜା ମଧ୍ୟ କରିଛନ୍ତି ।
ଖବର ପାଇ କମିଶନରେଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରୟାସ ଜାରି ରଖିଛି। ଛାତ୍ରୀଙ୍କ ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ । ପ୍ରାଥମିକ ତଦନ୍ତ ପରେ ପୋଲିସ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖିଛି । ଯୁବତୀଙ୍କ ସହ ତାଙ୍କର ୩ ବର୍ଷ ହେବ ପ୍ରେମ ସମ୍ପର୍କ ରହିଥିଲା ।