Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଡ଼ ଦାଣ୍ଡରେ ଲାଗିଲା ୩ ରଥ, ହରିବୋଲ ହୁଳ ହୁଳିରେ କମ୍ପିଲା ଚାରି ଦିଗ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ବଡ଼ ଦାଣ୍ଡରେ ଲାଗିଲା ୩ ରଥ, ହରିବୋଲ ହୁଳ ହୁଳିରେ କମ୍ପିଲା ଚାରି ଦିଗ

Key Points

ଦିନ ୧୨.୩୦ ସୁଦ୍ଧା ଶେଷ ହୋଇଗଲା ପହଣ୍ଡି ।

ସକାଳ ୯.୫୫ରେ ପ୍ରଥମେ ରଥକୁ ବିରାଜିଲେ ଚକ୍ରରାଜ ସୁଦର୍ଶନ ।


ଶ୍ରୀକ୍ଷେତ୍ରରେ ପୁଣି ଉଠିଲା ଆସ୍ଥାର ଜୁଆର । ପୁଣି ଗଗନ ପବନରେ ଗୁଞ୍ଜରିତ ହେଲା ଜଗତନାଥଙ୍କ ଜୟ ଜୟକାର... ଘଣ୍ଟ, ଘଣ୍ଟାର ନାଦ, ହରିବୋଲ ହୁଳୁହୁଳି ଶବ୍ଦ, ଜୟ ଜଗନ୍ନାଥ ଧ୍ବନିରେ ପୁଣି କମ୍ପିଲା ବଡ଼ ଦାଣ୍ଡ... । ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ନୀତିକାନ୍ତି । ଠିକ୍ ସମୟରେ ଆରମ୍ଭ ହେଲା ରଥଟଣା । ସିଂହଦ୍ବାର ସମ୍ମୁଖରେ ପହଞ୍ଚିଲେ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା । ଶ୍ରୀଗୁଣ୍ଡିଚା ଦିନ ଶ୍ରୀମନ୍ଦିର ଛାଡ଼ି ଚକ୍ରରାଜ ସୁଦର୍ଶନ ଓ ଭାଇ, ଭଉଣୀଙ୍କୁ ସାଥୀରେ ଧରି ୯ ଦିନିଆ ଯାତ୍ରାରେ ବାହାରିଥିଲେ ଜଗତଠାକୁର । ଜନ୍ମବେଦୀରେ ୬ ଦିନ ରହିବା ପରେ ଗୁଣ୍ଡିଚା ମନ୍ଦିରରୁ ଆଜି ପୁଣି ବାହୁଡ଼ିଲେ।

ଗୁଣ୍ଡିଚା ମନ୍ଦିରରେ ସକାଳୁ ସକାଳୁ ଆରମ୍ଭ ହୋଇଯାଇଥିଲା ବାହୁଡ଼ା ନୀତିକାନ୍ତି । ୭.୦୫ରେ ହେଲା ମଙ୍ଗଳ ଆଳତି । ତା'ପରେ ମଇଲମ, ରୋଷହୋମ, ତଡ଼ପ ଲାଗି, ଅବକାଶ ପୂଜା, ସୂର୍ଯ୍ୟପୂଜା ସମ୍ପନ୍ନ ହେବା ପରେ ଗୋପାଳ ବଲ୍ଳଭ ଓ ସକାଳ ଧୂପ ଖେଚୁଡ଼ି ଭୋଗ ଖାଇଲେ ତିନି ଠାକୁର। ମଙ୍ଗଳାର୍ପଣ ଓ ଡୋରଲାଗି ପରେ ଆରମ୍ଭ ହେଲା ମହାପ୍ରଭୁଙ୍କ ଧାଡ଼ି ପହଣ୍ଡି । ସକାଳ ୯.୫୫ରେ ପ୍ରଥମେ ରଥକୁ ବିରାଜିଲେ ଚକ୍ରରାଜ ସୁଦର୍ଶନ । ତାଙ୍କ ପରେ ଆସିଲେ ପ୍ରଭୁ ବଳଭଦ୍ର । ମସ୍ତକରେ ଶୋଭାପାଉଥିଲା ସୁସଜ୍ଜିତ ଟାହିଆ।

ପୁଣି ସେବାୟତଙ୍କ ହସ୍ତରେ ବୁହା ହୋଇ ମଝି ରଥକୁ ଚଢ଼ିଲେ ଦେବୀ ସୁଭଦ୍ରା । ଆଉ ଶେଷରେ ଝୁଲି ଝୁଲି ଆସିଲେ କାଳିଆ ଠାକୁର । ଟାହିଆ ରୂପୀ ସୁଶୋଭିତ ପୁଷ୍ପ ଗୁଚ୍ଛରେ ସଜ୍ଜିତ। ବାଙ୍କ ଚାହାଣିରେ ଜଗତବାସୀଙ୍କୁ ଆଶୀର୍ବାଦ ଦେବାକୁ ପୁଣି ବଡ଼ ଦାଣ୍ଡକୁ ଓହ୍ଲାଇ ରଥାରୁଢ଼ ହେଲେ ଜଗନ୍ନାଥ। ଦିନ ୧୨.୩୦ ସୁଦ୍ଧା ଶେଷ ହୋଇଗଲା ପହଣ୍ଡି ।


ତା'ପରେ ରଥାରୁଢ଼ ହେଲେ ରାମକୃଷ୍ଣ, ମଦନ ମୋହନ। ପାଲିଙ୍କିରେ ବିରାଜିଲେ ଗଜପତି ଦିବ୍ୟସିଂହ ଦେବ। ସୁନା ଖଡ଼ିକାରେ କଲେ ଛେରାପହଁରା। ଛେରାପହଁରା ପରେ ଖୋଲାଗଲା ଚାରମାଳ । ଘୋଡା ଯୋଚା ପରେ ଆରମ୍ଭ ହେଲା ରଥଟଣା । ବାଜିଲା ତୁରୀ, ଘଣ୍ଟୁଆଙ୍କ ଘଣ୍ଟ ନାଦ, ଜୟଜଗନ୍ନାଥ ଧ୍ୱନି ଭିତରେ ଘର୍ଘର ନାଦ କରି ଗଡ଼ିବାକୁ ଲାଗିଲେ ରଥରାଜ। ଅନୁକୂଳ ପାଗ ଯୋଗୁଁ ଜନସମୁଦ୍ର ପାଲଟିଥିଲା ବଡ଼ ଦାଣ୍ଡ। ବଡ଼ ଭାଇଙ୍କ ପରେ ଭଉଣୀଙ୍କ ଦର୍ପଦଳନକୁ ଟାଣିଲେ ଭକ୍ତ ଗଣ। ତାପରେ ଶେଷରେ ପହଞ୍ଚିଲେ କାଳିଆ ଠାକୁର । ରଥ ଟଣା ହେବାର କିଛି ସମୟ ପରେ ସବୁ ରଥ ଅଟକିଥିଲା ମାଉସୀ ମା' ମନ୍ଦିର ଆଗରେ । କାରଣ ବାଟରେ ପୋଡ଼ ପିଠା କରି ଅପେକ୍ଷା କରିଥିଲେ ମାଉସୀ ମା। ଜଣେ ପରେ ଜଣେ ୩ ଭାଇ ଭଉଣୀ ମାଉସୀ ମାଙ୍କ ପାଖରୁ ଖାଇଲେ ପୋଡ଼ ପିଠା। ଟିକିଏ ରହି ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଚାଲିଲେ ତିନି ରଥ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Puri All Three Ratha Reached to Bada Danda | Argus News