ବେଳାଭୂମିରେ ପଡିଛି କୁଢ କୁଢ ଆବର୍ଜନା, ପାଲଟିଛି ମୁକ୍ତ ଶୌଚାଳୟ

ପୁରୀ: ଇଏ ହେଉଛି ପୁରୀ ବେଳାଭୂମି । ଯେଉଁଠି ଗଦା ହୋଇଛି କୁଢ କୁଢ ପ୍ଲାଷ୍ଟିକ । ଏମିତିକି କିଛି ସ୍ଥାନରେ ବେଳାଭୂମି ପାଲଟିଛି ମୁକ୍ତ ଶୌଚାଳୟ । ବେଳାଭୂମି ଫୁଟ୍ ପାଥ୍ ରେ ପଡି ରହିଛି ଆବର୍ଜନା । ଯଦିଓ ପ୍ରଶାସନ ଓ କିଛି ସଂସ୍ଥା ତରଫରୁ ସଫେଇ ହେଉଛି ତାହା କେବଳ ଏକ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ । ଅର୍ଥାତ ବେଳାଭୂମିର ଅଳ୍ପ କିଛି ଅଞ୍ଚଳରେ ନୀଇତି ଚାଲିଛି ସଫେଇ । ହେଲେ ନଜର ଆଢୁଆଳରେ ରହିଯାଉଛି ଅନେକ ଅଞ୍ଚଳ । ସେପଟେ ହୋଟେଲ ଓ ଜନବସତିରୁ ଫିଟିଛି ନଳାର ଧାରା । ପ୍ରଭାବିତ ହେଉଛନ୍ତି ସାମୁଦ୍ରିକ ଜୀବ । ପବିତ୍ର ପୁରୀ ଗର୍ବ ଆମରି । 'ମୋ ଧାମ ମୋ ଗର୍ବ' ଭଳି ସ୍ଲୋଗାନ କେବଳ ନାମକୁ ମାତ୍ର ।
ସାମୁଦ୍ରିକ ପରିସଂସ୍ଥା ପାଇଁ ପୁରୀ ହେଉଛି ପ୍ରକୃତିର ବରଦାନ। ଖାସ ସେଇଥିପାଇଁ ଅଲିଭ ରିଡ଼ଲେ ଠାରୁ ଆରମ୍ଭ କରି ବହୁ ସାମୁଦ୍ରିକ ଜୀବଙ୍କ ଆତଯାତ ରହିଥାଏ । କିନ୍ତୁ ଛୋଟ ଛୋଟ ସମସ୍ୟା ବଡ଼ ସମସ୍ୟାକୁ ଅଣଦେଖା ଏମାନଙ୍କ ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ । ବିଶେଷକରି ପ୍ଲାଷ୍ଟିକ, ଥର୍ମକୁଲ ସମୁଦ୍ର ଜଳରେ ମିଶି ମଇକ୍ରୋ ପ୍ଲାଷ୍ଟିକରେ ପରିଣତ ହେଉଥିବାବେଳେ ଜଳଜୀବଙ୍କ ପାଇଁ ଏହା କାଳ ସାଜିଛି । UN ବା ଜାତିସଙ୍ଘ ତରଫରୁ ମଧ୍ୟ ବେଳାଭୂମିରେ ପ୍ଲାଷ୍ଟିକ ବ୍ୟାନ କରିବାକୁ ବିଭିନ୍ନ ଜାଗାରେ କାମ କରୁଛି । ହେଲେ ପୁରୀରେ ବେଳାଭୂମି ସ୍ଵଚ୍ଛତା ଓ ମେରାଇନ ଲାଇଫ ପାଇଁ ଏବେ ବଡ଼ ଆହ୍ୱାନ ସୃଷ୍ଟି ହୋଇଛି ।
କିଛି ବର୍ଷ ପୂର୍ବେ କାଦୁଆ ଓ ଦେବୀ ମୁହାଣରୁ ଏକ ସ୍ୱେଚ୍ଛାସେବୀ ସଂସ୍ଥା ପ୍ରାୟ ସାଢ଼େ 5 ଟନ ପ୍ଳାଷ୍ଟିକ ଓ ଅଜ୍ଞବର୍ଜ୍ୟ ସଂଗ୍ରହ କରିଥିଲା । ତେବେ ଜନବସତି ଥିବା ଅଞ୍ଚଳ ଯଥା ପେଣ୍ଠକଟା ଓ ଚନ୍ଦ୍ରଭାଗାରେ ଏହା ଠାରୁ ଯଥେଷ୍ଟ ଅଧିକା ବର୍ଜ୍ୟ ବାହାରିବ ତାହା ନିର୍ଦ୍ୱନ୍ଦରେ କୁହାଯାଇପାରେ । ତେବେ ଆଉ ଡେରି ନକରି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ହୋଇପଡିଛି ।