Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦୀଘା `ଜଗନ୍ନାଥ ଧାମ' ପ୍ରସଙ୍ଗରେ ପୁଣି ତାତିଲେ ପୁରୀ ଗଜପତି

Odisha

ଦୀଘା `ଜଗନ୍ନାଥ ଧାମ' ପ୍ରସଙ୍ଗରେ ପୁଣି ତାତିଲେ ପୁରୀ ଗଜପତି

Rashmita Mishra
Browse all articles by Rashmita Mishra
·11 months ago·2 min read
ଦୀଘା `ଜଗନ୍ନାଥ ଧାମ' ପ୍ରସଙ୍ଗରେ ପୁଣି ତାତିଲେ ପୁରୀ ଗଜପତି

Key Points

ଦୀଘା `ଜଗନ୍ନାଥ ଧାମ' ପ୍ରସଙ୍ଗରେ ପୁଣି ବର୍ଷିଲେ ପୁରୀ ଗଜପତି
କହିଲେ ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ ନାମକରଣ ପରମ୍ପରା ବିରୋଧୀ
ପଶ୍ଚିମବଙ୍ଗ ସରକାର ସହ କଥା ହେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ
ଦୀଘା ଟ୍ରଷ୍ଟ ବୋର୍ଡରେ ଥାଇ ବି ଇସ୍କନ୍ ଆପତ୍ତି ନକରିବା ଆଶ୍ଚର୍ଯ୍ୟକର
ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି,ଅଭିଜ୍ଞ ଦଇତାପତିଙ୍କୁ ନେଇ ହେବ ପହଣ୍ଡି
ଶ୍ରୀମନ୍ଦିର, ଶ୍ରୀ ଜଗନ୍ନାଥ ଧାମ ଓ ମହାପ୍ରସାଦ ଶବ୍ଦର ପେଟେଣ୍ଟ ପାଇଁ ବି ନିଷ୍ପତ୍ତି

ପୁଣି ଥରେ ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ ନାମକରଣକୁ ଶାସ୍ତ୍ର ଓ ପରମ୍ପରା ବିରୋଧୀ କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର, ନୀଳାଚଳ ଧାମ ଏସବୁ କେବଳ ପୁରୀକୁ ହିଁ ବୁଝାଇବ । ବିଶ୍ଵରେ କେଉଁଠି ବି ଏପରି ନାମକରଣ ହୋଇନାହିଁ । ତେଣୁ ରାଜ୍ୟ ସରକାର ତୁରନ୍ତ ପଶ୍ଚିମ ବଙ୍ଗ ସରକାର ସହ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି ଗଜପତି ମହାରାଜା ।

ଏଥିସହ ଯେଉଁଭଳି ଭାବେ ଦୀଘା ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତଙ୍କ ଯୋଗଦାନକୁ ନେଇ ବିବାଦ ହୋଇଥିଲା ସେ ପ୍ରସଙ୍ଗରେ ବି ମତ ରଖିଛନ୍ତି ଗଜପତି। କହିଛନ୍ତି। ନୀଳାଦ୍ରି ବିଜେ ପରେ ଶ୍ରୀମନ୍ଦିର ପରିଚାଳନା କମିଟି ପୁନର୍ଗଠନ ହେବ। ସେଥିରେ ସେବାୟତମାନେ ଅନ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ସମ୍ପର୍କରେ ମାର୍ଗଦର୍ଶିକା ନେଇ ହେବ ଆଲୋଚନା।

ସୋମବାର ଅନୁଷ୍ଠିତ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ରଥଯାତ୍ରାର ନୀତି ନିର୍ଘଣ୍ଟ ଉପରେ ଲାଗିଛି ମୋହର । ଗତ ରଥଯାତ୍ରାରେ ବଡ଼ ଠାକୁର ବଳଭଦ୍ରଙ୍କ ପହଣ୍ଡି ବେଳେ ଯେଉଁଭଳି ଅଘଟଣ ଘଟିଥିଲା ତାକୁ ଦୃଷ୍ଟିରେ ରଖି କେତେକ ନିଷ୍ପତ୍ତି ନିଆଯାଇଛି।

ପହଣ୍ଡିରେ କେତେ ସେବାୟତ ରହିବେ ତାର ସଂଖ୍ୟା ନିରୂପଣ କରାଯିବ । ଅଭିଜ୍ଞ ଦଇତାପତିଙ୍କ ନେଇ ହେବ ପହଣ୍ଡି । ପହଣ୍ଡି ପାଇଁ ପ୍ରସ୍ତୁତ ହେବ ସ୍ଵତନ୍ତ୍ର ଏସ୍‌ଓପି । ଚାରମାଳ ଲମ୍ବକୁ ଅଧିକ କରାଯିବା ସହ ଅଣ ସେବକ ରଥ ଉପରେ ଚଢିଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ରଥରେ ମୋବାଇଲ୍ ଫୋନ ବ୍ୟବହାର କଲେ ଫୌଜଦାରୀ ମୋକଦ୍ଦମା ହେବ। ଏହ ବ୍ୟତୀତ ଛତିଶା ନିଯୋଗ ବୈଠକରେ ଆଉ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ସେଥିମଧ୍ୟରେ ରହିଛି ଶ୍ରୀମନ୍ଦିର, ଶ୍ରୀ ଜଗନ୍ନାଥ ଧାମ ଓ ମହାପ୍ରସାଦ ଭଳି ଶବ୍ଦର ପେଟେଣ୍ଟ କରାଯିବ । ପରିକ୍ରମା ପ୍ରକଳ୍ପ ଚାରିପାଖେ ଥିବା ଅଟ୍ଟାଳିକାଗୁଡ଼ିକ ପାଇଁ ଆସିବ ଏସଓପି । ନଗର ଉନ୍ନୟନ ବିଭାଗ ଓ ରାଜ୍ୟ ସରକାରଙ୍କୁ ନିୟମ ପ୍ରଣୟନ ପାଇଁ ହେବ ଚିଠି । ଶ୍ରୀଗୁଣ୍ଡିଚା ମନ୍ଦିର ଚାରିପାଖରେ ଥିବା ଅଟ୍ଟାଳିକା ପାଇଁ ମଧ୍ୟ ହେବ ନିୟାମକ । ମହାପ୍ରଭୁଙ୍କ ଭୂସମ୍ପତ୍ତି ସୁରକ୍ଷା, ଭୂସମ୍ପତ୍ତି ପରିଚାଳନା, ଭୂସମ୍ପତ୍ତି ରାଜସ୍ବ ଆୟ, କର୍ପସ ଫଣ୍ଡ ବୃଦ୍ଧିର ହେବ ପ୍ରକ୍ରିୟାକରଣ ।

ବିଦେଶରେ ଅଦିନିଆ ରଥଯାତ୍ରା ପ୍ରସଙ୍ଗରେବି ଛତିଶା ନିଯୋଗ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି । କହିଛନ୍ତି ସମଗ୍ର ବିଶ୍ଵରେ ଗୋଟିଏ ପରମ୍ପରା ଅନୁସାରେ ମହାପ୍ରଭୁଙ୍କର ପ୍ରଚାର ହେଉ । ଇସ୍କନ ସହ ଆପୋଷ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରାଯିବ ବୋଲି କହିଛନ୍ତି ଗଜପତି ମହାରାଜା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
puri-gajapati-again-hits-back-at-digha-over-jagannath-dham-issue | Argus News