ସୁରକ୍ଷା ବଳୟ ଭିତରେ ରହିଛି ପୁରୀ, ଟିକେ ଏପଟ ସେପଟ ହେଲେ ପହଞ୍ଚିବ ପୋଲିସ !

Key Points
ବିଭିନ୍ନ ସ୍ଥାନରେ ଲାଗିଛି ୨୭୫ ଏଆଇ କ୍ୟାମେରା ।
ସଜାଗ ଅଛନ୍ତି ଆଣ୍ଟିଟେରୋରିଷ୍ଟ ସ୍କ୍ୱାଡ୍ ।
ଟ୍ରାଫିକ୍ ପରିଚାଳନାରେ ୫୦ ପ୍ଲାଟୁନ୍ ଫୋର୍ସ ଓ ପୋଲିସ ସହ ଘରୋଇ ସୁରକ୍ଷା ଟିମ୍ ନିୟୋଜିତ ଅଛନ୍ତି ।
CCTV ନଜରରେ ପୂରା ପୁରୀ ସହର । ଏଠି ସେଠି ସବୁଠି ଲାଗିଛି ସିସିଟିଭି । କୌଣସି ବି ପ୍ରକାର ଅପ୍ରୀତିକର ସ୍ଥିତିକୁ ଏଡ଼ାଇବା ପାଇଁ ସିସିଟିଭି ଜରିଆରେ ପୁରା ପୁରୀ ସହର ଉପରେ ରଖାଯାଇଛି ନଜର । କେଉଁଠି ବି ଟିକେ ଖରାପ ପରିସ୍ଥିତି ଉପୁଜିବା ମାତ୍ରା ଧାଇଁ ଯାଉଛନ୍ତି ସୁରକ୍ଷାବାହିନୀ । ଯେମିତି ସିସିଟିଭି ଲାଗିଛି ସେମିତି ପୋଲିସ ମଧ୍ୟ ଛାଉଣୀ ହୋଇ ରହିଛନ୍ତି । ସୁରକ୍ଷା ବଳୟ ଭିତରେ ବଡ଼ଦାଣ୍ଡ, ଶ୍ରୀମନ୍ଦିର ଏବଂ ସମଗ୍ର ପୁରୀ ସହର ।
ଏଆଇ ନଜରରେ ରହିଛି ପୁରୀ । ବିଭିନ୍ନ ସ୍ଥାନରେ ଲାଗିଛି ୨୭୫ ଏଆଇ କ୍ୟାମେରା । ସିସିଟିଭି ନଜରରେ ଉତ୍ତରା ଛକରୁ ପୁରୀ, ପୁରୀରୁ କୋଣାର୍କ ରାସ୍ତାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅଘଟଣ ଏଡ଼ାଇବାକୁ ସଜାଗ ରହିଛି ପ୍ରଶାସନ । ଏଥିପାଇଁ ନିୟୋଜିତ ଅଛନ୍ତି ବୋମା ନିଷ୍କ୍ରିୟକାରୀ ଦଳ । ସଜାଗ ଅଛନ୍ତି ଆଣ୍ଟିଟେରୋରିଷ୍ଟ ସ୍କ୍ୱାଡ୍ । ୨୦୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୨୧ ଆଇପିଏସ, ୧୨ ଶହ ଅଫିସର ନିୟୋଜିତ ଅଛନ୍ତି । ଟ୍ରାଫିକ୍ ପରିଚାଳନାରେ ୫୦ ପ୍ଲାଟୁନ୍ ଫୋର୍ସ ଓ ପୋଲିସ ସହ ଘରୋଇ ସୁରକ୍ଷା ଟିମ୍ ନିୟୋଜିତ ଅଛନ୍ତି । ଏବେ ଶ୍ରୀକ୍ଷେତ୍ରରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିସାରିଛି । ସମୟ ଯେତିକି ଗଡ଼ୁଛି ଭିଡ଼ ସେତିକି ବଢ଼ି ବଢ଼ି ଯାଉଛି ।
ଅନ୍ୟପଟେ ଆରମ୍ଭ ହୋଇଯାଇଛି ରଥ ଟଣା । ପ୍ରଥମେ ଶରଧାବାଲି ଅଭିମୁଖେ ବାହାରିଛନ୍ତି ବଡ଼ ଠାକୁର ବଳଭଦ୍ର । ହଜାର ହଜାର ଶ୍ରଦ୍ଧାଳୁ ତାଙ୍କ ରଥକୁ ଟାଣି ନେଉଛନ୍ତି ଶରଧାବାଲି ଆଡ଼କୁ । ଘଣ୍ଟ ଘଣ୍ଟା କାହାଳି ଶବ୍ଦରେ ଫାଟି ପଡ଼ୁଛି ବଡ଼ଦାଣ୍ଡ । ତିନି ରଥ ଉପରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ ସୁନାର ଖଡ଼ିକାରେ ଛେରାପହଁରା କରିବା ପରେ ଘୋଡ଼ା ଯୋଚା ଯାଇଥିଲା। ତାପରେ ଗଡ଼ିଥିଲା ରଥ ।
ପ୍ରଥମେ ବଡ଼ଠାକୁରଙ୍କ ରଥ ଟଣା ଯିବା ପରେ ଦ୍ୱିତୀୟରେ ମା ସୁଭଦ୍ରାଙ୍କ ରଥ ଟଣାଯିବ । ଶେଷରେ କାଳିଆର ନନ୍ଦିଘୋଷ ଟାଣିବେ ଭକ୍ତ । ସବୁଠାରୁ ଶେଷରେ ଝୁଲି ଝୁଲି କାଳିଆ ପହଞ୍ଚିବ ଶରଧାବାଲିରେ । ବର୍ଷକୁ ଥରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ମନ୍ଦିର ବାହାରକୁ ଆସିଛନ୍ତି ।
ତେବେ ତାଳଧ୍ୱଜଙ୍କୁ ଟାଣିଟାଣି ନେବା ବେଳେ ଭକ୍ତମାନେ ହରିବୋଲ ଓ ହୁଳହୁଳିରେ କମ୍ପନ ସୃଷ୍ଟି କରୁଛନ୍ତି। ବହୁ ସମୟ ଧରି ଅପେକ୍ଷାରେ ଥିବା ଭକ୍ତମାନେ ଜଗନ୍ନାଥଙ୍କ ବଡ଼ଭାଇ ବଳଭଦ୍ରଙ୍କ ରଥକୁ ଟାଣିଟାଣି ନେଇଛନ୍ତି।