Videos
|
Odisha

Puri Jagannath Temple / ଶ୍ରୀମନ୍ଦିରରେ ଆଜି 4 ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ଜାଣନ୍ତୁ ସମୟ...

Rashmita Mishra
Browse all articles by Rashmita Mishra
·1 hour ago·2 min read
ଶ୍ରୀମନ୍ଦିରରେ ଆଜି 4 ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ଜାଣନ୍ତୁ ସମୟ...
Puri Jagannath Temple

Key Points

ଆଜି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ ।
ସନ୍ଧ୍ୟା ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ଜଗା ଦର୍ଶନ ବନ୍ଦ । 
ଆଜି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି । 

ଶ୍ରୀମନ୍ଦିରରେ ଆଜି ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ... ସନ୍ଧ୍ୟା ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ଜଗା ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ । ଆଜି ବୁଧବାର ଆଶ୍ୱିନ, କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟା ଠାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦତ୍ତ ମହାପାତ୍ର ସେବକମାନେ ଏହି ଗୁପ୍ତ ବନକ ଲାଗି ନୀତିକୁ ସମ୍ପାଦନ କରିଥାନ୍ତି ।

ଶ୍ରୀମନ୍ଦିର ସ୍ବତ୍ୱଲିପି ଅନୁଯାୟୀ, ଶ୍ରୀମନ୍ଦିରରେ ଦ୍ୱିତୀୟ ଭୋଗମଣ୍ଡପ ସମ୍ପନ୍ନ ହୋଇ ପାଣି ପଡ଼ିବା ପରେ ଏହି ନୀତି ଅନୁଷ୍ଠିତ ହୁଏ । ଦତ୍ତମହାପାତ୍ର ସେବକମାନେ ରତ୍ନସିଂହାସନ ଉପରକୁ ଉଠି ଠାକୁରଙ୍କ ଶ୍ରୀମୁଖ ଶୃଙ୍ଗାର କରିଥାନ୍ତି । ଏହା ଗୁପ୍ତନୀତି ହୋଇଥିବାରୁ ନୀତି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦତ୍ତମହାପାତ୍ର ସେବକମାନେ ନୀତି ଶେଷ କରି ଶ୍ରୀମନ୍ଦିରରୁ ବାହାରିବା ପରେ ଶ୍ରୀବିଗ୍ରହଙ୍କର ମହାସ୍ନାନ ନୀତି ସମ୍ପନ୍ନ କରାଯିବ । ପରେ ଅନ୍ୟାନ୍ୟ ନୀତି ବଢ଼ିବା ସହ ଦର୍ଶନ ପୁନର୍ବାର ଆରମ୍ଭ ହେବ ।

ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ନୀତିକାନ୍ତି ମଧ୍ୟରେ ଅନ୍ୟତମ ପ୍ରମୁଖ ନୀତି ହେଉଛି ବନକଲାଗି ନୀତି । ଏହି ନୀତିରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଶ୍ରୀମୁଖକୁ ପ୍ରାକୃତିକ ରଙ୍ଗରେ ସ୍ୱତନ୍ତ୍ର ଭାବେ ଶୃଙ୍ଗାର କରାଯାଏ । ଏହି ନୀତି ସମୟରେ ଶ୍ରୀଜିଉମାନଙ୍କ ଦିବ୍ୟ ରୂପ ଆହୁରି ଆକର୍ଷଣୀୟ ଓ ମନୋରମ ହୋଇଥାଏ ।

ବନକଲାଗି ନୀତି ପାଇଁ ପାରମ୍ପରିକ ଭାବେ ହିଙ୍ଗୁଳ, ହରିତାଳ, କଳା, ଧଳା ଓ ଅନ୍ୟାନ୍ୟ ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଏ । ଦତ୍ତମହାପାତ୍ର ସେବକମାନେ ଅତ୍ୟନ୍ତ ନିଷ୍ଠା ଓ ଭକ୍ତିର ସହିତ ଏହି ଶୃଙ୍ଗାର କାର୍ଯ୍ୟ ସମ୍ପାଦନ କରନ୍ତି । ଏହି ସମୟରେ ଶ୍ରୀଜିଉମାନଙ୍କ ଶ୍ରୀମୁଖରେ ରଙ୍ଗ ଲଗାଯାଇ ଆଖି, ମୁହଁ ଓ ଅନ୍ୟାନ୍ୟ ଅଙ୍ଗର ବିଶେଷ ଶୃଙ୍ଗାର କରାଯାଏ ।

ବନକଲାଗି ନୀତି ଚାଲିଥିବା ସମୟରେ ସାଧାରଣତଃ ଭକ୍ତମାନଙ୍କ ଦର୍ଶନ ବନ୍ଦ ରହିଥାଏ । ନୀତି ସମାପ୍ତ ହେବା ପରେ ଶ୍ରୀଜିଉମାନଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କୁ ସୁଯୋଗ ମିଳିଥାଏ । ଏହି ପବିତ୍ର ନୀତିକୁ ନେଇ ଭକ୍ତମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ଓ ଶ୍ରଦ୍ଧା ଦେଖିବାକୁ ମିଳେ ।
ଶ୍ରୀମନ୍ଦିରର ପ୍ରାଚୀନ ପରମ୍ପରା ଓ ସେବାପୂଜା ବ୍ୟବସ୍ଥାରେ ବନକଲାଗି ନୀତିର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାରର ଏହି ଅନନ୍ୟ ପରମ୍ପରା ଶ୍ରୀଜଗନ୍ନାଥ ସଂସ୍କୃତିର ଗଭୀର ଆଧ୍ୟାତ୍ମିକତା ଓ ପାରମ୍ପରିକ ଐତିହ୍ୟକୁ ପ୍ରତିଫଳିତ କରିଥାଏ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: