Festival News / ଆଜ୍ଞାମାଳ ବିଜେ ପରେ ହେବ ରଥ ନିର୍ମାଣ ଅନୁକୂଳ

Key Points
ଶ୍ରୀମନ୍ଦିରରେ ଆଜି ମହା ଅନୁକୂଳ
ଆଜ୍ଞାମାଳ ପରେ ଆରମ୍ଭ ରଥ ନିର୍ମାଣ
ଆଜି ପବିତ୍ର ଅକ୍ଷୟ ତୃତୀୟା... ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ରଥ ନିର୍ମାଣର ହେବ ଅନୁକୂଳ । ଅପରାହ୍ନ ୪ ଟା ରେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ପରେ ହେବ ରଥ ନିର୍ମାଣ ଅନୁକୂଳ । ବନଯାଗ ମନ୍ତ୍ର ଉପଚାର ସହ ତିନି ରଥ ପାଇଁ, ତିନି ଧଉରା କାଠରେ, ସ୍ୱତନ୍ତ୍ର କୁରାଢୀ ସ୍ପର୍ଶ ପରେ, ହେବ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ।
ସେପଟେ ଆଜି ଠାରୁ ଶୀତଳ ଉପଚାରରେ ରହିବେ ଜଗତ ଠାକୁର । ଆଜ୍ଞାମାଳ ପରେ ବିମାନ କୁ ବିଜେ କରିବେ ଚଳନ୍ତି ପ୍ରତିମା । ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ଯାତ୍ରାରେ ନନ୍ଦା ଚାପରେ ଜଳକ୍ରୀଡା କରିବେ ଭୂଦେବୀ ଶ୍ରୀଦେବୀଙ୍କ ସହ ଚଳନ୍ତି ପ୍ରତିମା ମଦନ ମୋହନ । ଭଦ୍ରା ଚାପରେ ବସିବେ ରାମ କୃଷ୍ଣ, ପଞ୍ଚ ମହାଦେବ ।
ଖାଲି ସେତିକି ନୁହେଁ ଶ୍ରୀମନ୍ଦିର ଚନ୍ଦନ ଯାତ୍ରା ନୀତି ନେଇ ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ହୋଇ ପ୍ରସ୍ତୁତ ରହିଛି । ସକାଳ ୭ ଟା ସୁଦ୍ଧା ହେବ ଗୋପାଳ ବଲ୍ଲଭ ନୀତି । ଅପରାହ୍ନ ୧ ଟା ଠାରୁ ୩ ଟା ୩୦ ମଧ୍ୟରେ ଯାତ ଭୋଗ ଓ ମଧ୍ୟାହ୍ନ ଧୂପ ହୋଇ ,ଅପରାହ୍ନ ୪ ଟା ରେ ରଥ ଆଜ୍ଞାମାଳ ବିଜେ ହେବ । ନିର୍ମାଣ ଅନୁକୂଳ ହେବା ସହ ଚନ୍ଦନ ଯାତ୍ରା ପାଇଁ ବିମାନକୁ ବିଜେ କରିବେ ଠାକୁର । ରାତି ୧୦ ଟା ସୁଦ୍ଧା ପୁଣି ଶ୍ରୀମନ୍ଦିର ବାହୁଡ଼ିବେ ଚନ୍ଦନ ଠାକୁର ।
ଅକ୍ଷୟ ତୃତୀୟା ଦିନଠାରୁ ମାନେ ଆଜିଠୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଆରମ୍ଭ ହୁଏ । ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଏହା ଅକ୍ଷୟ ତୃତୀୟାଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହା ଅକ୍ଷୟ ତୃତୀୟାଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ । ଶ୍ରୀକ୍ଷେତ୍ର ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ବି ଚନ୍ଦନ ଯାତ୍ରା ପାଳନ କରାଯାଏ ।
ଅକ୍ଷୟ ତୃତୀୟା ଅନୁକୂଳର ପର୍ବ ହୋଇଥାଏ । ଏହି ଦିନ ବେଶ ଶୁଭ ହୋଇଥିବାରୁ ଲୋକମାନେ ସୁନା ରୂପା ଭଳି ମୂଲ୍ୟବାନ ଧାତୁ କିଣନ୍ତି । ଏହି ଦିନଟିକୁ ଆଶା, ସମୃଦ୍ଧି ଏବଂ ନୂତନ ଆରମ୍ଭର ପ୍ରତୀକ ବୋଲି ବିବେଚନା କରାଯାଏ । ଅକ୍ଷୟ ଶବ୍ଦର ଅର୍ଥ ହେଉଛି ଯାହା କେବେ ଶେଷ ହୁଏ ନାହିଁ । ମାନ୍ୟତା ରହିଛି କି ଏହି ଦିନ ମା’ ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ଭକ୍ତଙ୍କ ଉପରେ ରହିଥାଏ । ଏଣୁ ଏହି ଦିନ ଲୋକମାନେ ମୂଲ୍ୟବାନ ଧାତୁ ସୁନାକୁ ଘରକୁ କିଣି ଆଣନ୍ତି । ଏହାବ୍ୟତୀତ ଏହି ଦିନ ସମସ୍ତ ଶୁଭକାର୍ଯ୍ୟ କରାଯାଏ ।
📱 Get Argus News App
✨Related Topics
Explore more stories