Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୁରୀ ରଥଯାତ୍ରାରେ ଶୃଙ୍ଖଳିତ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାକୁ ଗୁରୁତ୍ବ

Odisha

ପୁରୀ ରଥଯାତ୍ରାରେ ଶୃଙ୍ଖଳିତ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାକୁ ଗୁରୁତ୍ବ

Rashmita Mishra
Browse all articles by Rashmita Mishra
·11 months ago·2 min read
ପୁରୀ ରଥଯାତ୍ରାରେ ଶୃଙ୍ଖଳିତ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାକୁ ଗୁରୁତ୍ବ

Key Points

ପ୍ରସ୍ତୁତ ହେଉଛି ରଥ, ପ୍ରସ୍ତୁତ ହେଉଛି ପଥ, ପ୍ରସ୍ତୁତ ହେଉଛନ୍ତି ଉକ୍ତ
ଜୁନ୍ ୧୧ରେ ସ୍ନାନପୂର୍ଣ୍ନିମା, ଜୁନ୍ ୨୭ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ରଥଯାତ୍ରାରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଆନୁସଙ୍ଗିକ ବ୍ୟବସ୍ଥାକୁ ଗୁରୁତ୍ବ
ଭିଭିଆଇପି, ଲକ୍ଷାଧିକ ଭକ୍ତଙ୍କ ଆଗମନ ପ୍ରଶାସନ ଓ ସରକାରଙ୍କ ପାଇଁ ବଡ଼ ଚାଲେଞ୍ଜ

ରଥଯାତ୍ରା ଦିନ ରଥାରୂଢ ଚତୁର୍ଦ୍ଧାବିଗ୍ରହ ବଡଦାଣ୍ଡ ଦେଇ ଭକ୍ତଙ୍କ ଗହଣରେ ଯିବେ ଜନ୍ମବେଦୀ। ସେଥିପାଇଁ ସମସ୍ତ ନୀତିକାନ୍ତି କିଭଳି ଶୃଙ୍ଖଳିତ ହେବ, ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ଲାଗି ଶ୍ରୀମନ୍ଦିର ପ୍ରଶାସନ ସହ ବିଭିନ୍ନ ସେବାୟତ ନିଯୋଗର ଘନଘନ ବୈଠକ ବସୁଛି। ସମସ୍ତ ବିଭାଗର ବିଭାଗୀୟ ଅଧିକାରୀମାନେ ରଥଯାତ୍ରା ପୂର୍ବରୁ ନିଜନିଜର କାର୍ଯ୍ୟ ଶେଷ କରିବା ପାଇଁ ଲାଗି ପଡିଛନ୍ତି। କୁମ୍ଭମେଳା ପରି ଚଳିତବର୍ଷ ରଥଯାତ୍ରାରେ ମାତ୍ରାଧିକ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଉଛି।

ଦୈନିକ ହାରାହାରି ୭ ଲକ୍ଷ ଭକ୍ତଙ୍କୁ ରନ୍ଧାଖାଦ୍ୟ ବଣ୍ଟନ, ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳର ବ୍ୟବସ୍ଥା, ଭକ୍ତଙ୍କ ରହଣି ପାଇଁ ବିଭିନ୍ନ ସେଡ୍ ର ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଥିବା ଜିଲ୍ଲାପାଳ କହିଛନ୍ତି। ତେବେ କରୋନା ସଂକ୍ରମଣ ବୃଦ୍ଧି ହେଲେ ବିଗତ ଵର୍ଷପରି ସେବକଙ୍କ ଦ୍ୱାରା ରଥଟଣା ଓ ରଥଯାତ୍ରା ସମ୍ପାଦିତ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ମହାପ୍ରଭୁଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର।

ସେପଟେ ମୁଖ୍ୟମନ୍ତ୍ରୀ ମୋହନ୍ ମାଝି ଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ରଥଯାତ୍ରାରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିବା ପରେ ସେବାୟତ ମହଲରେ ଏହାକୁ ସ୍ୱାଗତ କରାଯାଇଛି। ଅନ୍ୟପଟେ ମଙ୍ଗଳବାର ତିନିରଥର ସମସ୍ତ ଚକ ସହ ଅଖ ସଂଯୋଗ କରାଯାଇଛି। ଏହାସହ ଦିଗ ନିର୍ଣ୍ଣୟ କାର୍ଯ୍ୟ ଶେଷ ହୋଇଛି। ଆଜି ଚକରେ ଲାଗିଛି ବନ୍ଧ ଓ ଅଖ ତଳେ ଦିଆଯାଇଛି ମେଣ୍ଢୀ।

ସେପଟେ ଦଣ୍ଡା ଫ୍ରେମ ଗୁଡିକ ନମ୍ବରିଂ କରାଯାଇଛି। ପଞ୍ଚ ଦଣ୍ଡାରେ କାପ, କଳସା ଓ ବିନ୍ଧ କାମ ଶେଷ ହୋଇଛି। ପ୍ରତି ରଥର ଧ୍ବଜବତା କାର୍ଯ୍ୟ ଶେଷ ହୋଇଛି। ନନ୍ଦିଘୋଷ ଓ ତାଳଧ୍ବଜ ରଥର ଦୁଇଟି ପୋଲ ଗୟଳ ଚଉପଟ କାମ ଶେଷ ପର୍ଯ୍ୟାୟରେ। ଦର୍ପଦଳନ ରଥର ୨୦ ଫୁଟିଆ ଧୂଳି ଦଣ୍ଡା ଚଉପଟ ଓ ଗୋଲେଇ କାର୍ଯ୍ୟ ଶେଷ ହୋଇଛି। ଚଳିତବର୍ଷ ରଥଯାତ୍ରାରେ ଭିଭିଆଇପି, ଲକ୍ଷାଧିକ ଭକ୍ତଙ୍କ ଆଗମନ ପ୍ରଶାସନ ଓ ସରକାରଙ୍କ ପାଇଁ ବଡ଼ ଚାଲେଞ୍ଜ ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
puri-rath-yatra-is-a-disciplined-pilgrimage-and-devotees-are-given-importance-in-the-system-of-darshan | Argus News