Puri Jagannath Temple / ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଆସନ୍ତା ୨୩ରେ ହେବ ଅଳଙ୍କାର ସ୍ଥାନାନ୍ତର, ଭକ୍ତଙ୍କ ଦର୍ଶନ ଉପରେ କଟକଣା

Key Points
ଆସନ୍ତା ୨୩ ତାରିଖ ମାହେନ୍ଦ୍ର ବେଳାରେ ଅସ୍ଥାୟୀ ରତ୍ନଭଣ୍ଡାର ଘରୁ ମୂଳ ବା ସ୍ଥାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତରିତ କରାଯିବ । ଭୋର୍ ୪ଟାରେ ଶ୍ରୀମନ୍ଦିର ଦ୍ଵାର ଫିଟାଯିବା ସହ ସକାଳ ୭ଟା ୧୭ରୁ ୧୧ଟା ୧୭ ପର୍ଯ୍ୟନ୍ତ ମାହେନ୍ଦ୍ର ବେଳାରେ ସ୍ଥାନାନ୍ତରଣ ହେବ ଅଳଙ୍କାର ।
ପୁରୀ: ରତ୍ନଭଣ୍ଡାରକୁ ଫେରିବ ଅଳଙ୍କାର । ରତ୍ନଭଣ୍ଡାର ସବ୍ କମିଟି ବୈଠକରେ ବଡ଼ ନିଷ୍ପତ୍ତି ହୋଇଛି । ଆସନ୍ତା ୨୩ ତାରିଖରେ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ମହାପ୍ରଭୁଙ୍କ ଅଳଙ୍କାର । ସବ୍ କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ।
ବୁଧବାର ବସିଥିବା ରତ୍ନଭଣ୍ଡାର ସବ୍ କମିଟି ବୈଠକରେ ଭିତର ଓ ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, 'ଆସନ୍ତା ୨୩ ତାରିଖ ମାହେନ୍ଦ୍ର ବେଳାରେ ଅସ୍ଥାୟୀ ରତ୍ନଭଣ୍ଡାର ଘରୁ ମୂଳ ବା ସ୍ଥାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତରିତ କରାଯିବ ।
ଏଥିପାଇଁ ନୀତି ନିର୍ଘଣ୍ଟ କରାଯାଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । କହିଛନ୍ତି, 'ସେହିଦିନ ଭୋର୍ ୪ଟାରେ ଶ୍ରୀମନ୍ଦିର ଦ୍ଵାର ଫିଟାଯିବା ସହ ସକାଳ ୭ଟା ୧୭ରୁ ୧୧ଟା ୧୭ ପର୍ଯ୍ୟନ୍ତ ମାହେନ୍ଦ୍ର ବେଳାରେ ସ୍ଥାନାନ୍ତରଣ ହେବ ଅଳଙ୍କାର । ଭକ୍ତଙ୍କ ଦର୍ଶନ ନେଇ ସେହିଦିନ କଟକଣା ରହିବ । ଅଳଙ୍କାର ସ୍ଥାନାନ୍ତରଣ ନେଇ ପାଳିଆ ସେବାୟତଙ୍କୁ ପାସ୍ ଦିଆଯିବ ।'
ଏଥିସହ ପଢ଼ନ୍ତୁ: ରତ୍ନଭଣ୍ଡାରରୁ ବ୍ୟବହାର ହେବନି ଅଳଙ୍କାର, ଯାହା ହେବ ସବୁ ନୂଆ
📱 Get Argus News App
✨ଏବେ ଅସ୍ଥାୟୀ ଖଟଶେଯ ଘର ଓ ଚାଙ୍ଗଡ଼ା ଘରେ ଅଳଙ୍କାର ରଖା ଯାଇଥିବା ବେଳେ ମୂଳ ବା ସ୍ଥାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତରିତ ହେବ । ସ୍ଥାନାନ୍ତରଣ ଶେଷ ହେବା ପର୍ଯ୍ୟନ୍ତ ଦର୍ଶନ ଉପରେ ରହିବ କଟକଣା । କୌଣସି ଭକ୍ତ ନାଟମଣ୍ଡପ କିମ୍ବା ବେହରଣ ଦ୍ଵାର ପର୍ଯ୍ୟନ୍ତ ଯାଇପାରିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି ।
ପୂର୍ବରୁ ରାଜ୍ୟ ସରକାର ଗଠନ କରିଥିବା ଏସଓପି ବା ମାର୍ଗଦର୍ଶିକା ଆଧାରରେ ଏହି ସ୍ଥାନାନ୍ତରଣ ପ୍ରକ୍ରିୟା କରାଯିବ । ସ୍ଥାନାନ୍ତରଣ ସମୟରେ ରତ୍ନଭଣ୍ଡାର ସବ୍ କମିଟିର ସମସ୍ତ ୯ ସଦସ୍ୟଙ୍କ ସହ ପୂର୍ବରୁ ରାଜ୍ୟ ସରକାର କରିଥିବା ରତ୍ନଭଣ୍ଡାର ତଦାରଖ କମିଟିର ଦୁଇ ଜଣ ସଦସ୍ୟ ଉପସ୍ଥିତ ରହିବେ । ରତ୍ନଭଣ୍ଡାର ତଦାରଖ କମିଟିର କେଉଁ ଦୁଇ ସଦସ୍ୟ ରହିବେ ତାହା କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ନିଷ୍ପତ୍ତି ନେବେ ।
ଅସ୍ଥାୟୀ ରତ୍ନଭଣ୍ଡାର ଘରୁ ମୂଳ ବା ସ୍ଥାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତରଣ ସମୟରେ କେବଳ ଅଧିକୃତ ଓ ପାଳିଆ ସେବାୟତ ହିଁ ପ୍ରବେଶ କରିପାରିବେ । ସେମାନଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇ ଏସପିଙ୍କୁ ପ୍ରଦାନ କରାଯିବ । ସ୍ଥାନାନ୍ତରଣ ସମୟରେ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଯଦିଓ ଭକ୍ତ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ କିନ୍ତୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ । ସ୍ଥାନାନ୍ତରଣ ପ୍ରକ୍ରିୟାର ଏକଘଣ୍ଟା ପୂର୍ବରୁ ଶ୍ରୀମନ୍ଦିରକୁ ଶୋଧ କରାଯିବ ।
ରତ୍ନ ଅଳଙ୍କାର ଗଣତି ମଣତି ନେଇ ମୁଖ୍ୟ ପ୍ରଶାସକ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, 'ଗଣତି ମଣତି କେବେ ହେବ ସେ ନେଇ ପରିଚାଳନା କମିଟି ନିଷ୍ପତ୍ତି ନେବ ।' ତେବେ ଶେଷଥର ପାଇଁ 1978 ମସିହାରେ ରତ୍ନ ଅଳଙ୍କାର ଗଣତି ମଣତି ହୋଇଥିଲା । ସେତେବେଳର ତାଲିକା ସହ ବର୍ତ୍ତମାନର ଅଳଙ୍କାର ମେଳକ କରାଯିବ । ସ୍ଥାନାନ୍ତରଣ ପ୍ରକ୍ରିୟା ପରେ ଆଗାମୀ ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ଗଣତି ମଣତି ନେଇ ଆଲୋଚନା ହେବ ।'
Related Topics
Explore more stories