Videos
|
Odisha

Puri News / ଏଠାରେ ପାଦ ପକାଇଲେ ଟାଣି ନେଉଛି ସମୁଦ୍ର, ୧୦୦ ମିଟର ପଛକୁ ପେଲିଦେଲା ଦୋକାନ ବଜାର

Bikash Mohanty
Browse all articles by Bikash Mohanty
·3 hours ago·2 min read
ଏଠାରେ ପାଦ ପକାଇଲେ ଟାଣି ନେଉଛି ସମୁଦ୍ର, ୧୦୦ ମିଟର ପଛକୁ ପେଲିଦେଲା ଦୋକାନ ବଜାର
SEA

Key Points

ପୁରୀ ସମୁଦ୍ରର କରାଳ ରୂପ 
ପାଦ ପକାଇଲେ ଟାଣି ନେଉଛି ସମୁଦ୍ର!
୧୦୦ ମିଟର ପଛକୁ ପେଲିଦେଲା ଦୋକାନ ବଜାର
ପ୍ରାଣ ବିକଳରେ ଦୋକାନକୁ ସ୍ଥାନାନ୍ତର କରୁଛନ୍ତି ବ୍ୟବସାୟୀ
ପୁରୀ,୨୬/୦୯: ପୁରୀ ସମୁଦ୍ରର କରାଳ ରୂପ! ପାଦ ପକାଇଲେ ଟାଣି ନେଉଛି ଜୁଆର, ୧୦୦ ମିଟର ପଛକୁ ପେଲିଦେଲା ଦୋକାନ। ପୁରୀରେ ଆଖି ସାମ୍ନାରେ ଗର୍ଜୁଛି ସମୁଦ୍ର। ବିକଟାଳ ଶବ୍ଦ କରି ମାଡ଼ି ଆସୁଛି ବଡ଼ ବଡ଼ ଜୁଆର। ଯେଉଁଠି କିଛି ଦିନ ତଳେ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିଲା, ଏବେ ସେଠାରେ ଭୟର ବାତାବରଣ। ପୁରୀ ସମୁଦ୍ରକୂଳରେ ଦେଖିବାକୁ ମିଳୁଛି ସମୁଦ୍ରର ଏଭଳି କରାଳ ରୂପ, ଯାହା ସ୍ଥାନୀୟ ବ୍ୟବସାୟୀ ଓ ପର୍ଯ୍ୟଟକଙ୍କ ଚିନ୍ତା ବଢ଼ାଇ ଦେଇଛି।

ସମୁଦ୍ର ଏବେ ଧୀରେ ଧୀରେ ନିଜ ସୀମା ଲଂଘି ବେଳାଭୂମି ଆଡ଼କୁ ମାଡ଼ି ଆସୁଛି। ଜୁଆରର ତୀବ୍ରତା ଏତେ ବଢ଼ିଛି ଯେ, ପାଦ ପକାଇବା ମାତ୍ରେ ଢେଉ ଟାଣି ନେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଚୈତନ୍ୟ ଛକ ନିକଟରେ ସମୁଦ୍ରର ଭୟଙ୍କର ରୂପ ଅଧିକ ସ୍ପଷ୍ଟ ଭାବେ ଦେଖାଯାଉଛି।

ଗର୍ଜନ କରି ମାଡ଼ି ଆସୁଛି ସମୁଦ୍ର

ସମୁଦ୍ରରୁ ଆସୁଥିବା ବଡ଼ ବଡ଼ ଢେଉ କୂଳକୁ ଧକ୍କା ଦେଉଛି। ପ୍ରାୟ ୪ରୁ ୫ ଫୁଟ ଉଚ୍ଚ ଜୁଆର କୂଳ ଆଡ଼କୁ ମାଡ଼ି ଆସୁଥିବା ଦେଖାଯାଉଛି। ପ୍ରତ୍ୟେକ ଢେଉ ସହ ବାଲି ଓ ପାଣି ଭିତରକୁ ପଶୁଥିବାରୁ ବେଳାଭୂମିର ଚିତ୍ର ମଧ୍ୟ ବଦଳିବାରେ ଲାଗିଛି। ବାଲି ଅତଡ଼ା ମଧ୍ୟ ଖସିବା ଆରମ୍ଭ କରିଛି। ପ୍ରାୟ ୩ ଫୁଟ ପର୍ଯ୍ୟନ୍ତ ବାଲି ଖସିଥିବା କୁହାଯାଉଛି। ଫଳରେ ସମୁଦ୍ର ଓ ମୁଖ୍ୟ ରାସ୍ତା ମଧ୍ୟରେ ଥିବା ଦୂରତା ମଧ୍ୟ କମି ଆସୁଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୧୦୦ ମିଟର ପଛକୁ ପେଲିଦେଲା ଦୋକାନ

ସମୁଦ୍ରର ଏହି ଭୟଙ୍କର ରୂପର ସିଧାସଳଖ ପ୍ରଭାବ ପଡ଼ିଛି ବେଳାଭୂମିର ଉଠା ଦୋକାନ ଓ ବ୍ୟବସାୟୀଙ୍କ ଉପରେ। ଜୁଆର ଆସିବା ସହ ବହୁ ଦୋକାନକୁ ପଛକୁ ସ୍ଥାନାନ୍ତର କରିବାକୁ ପଡ଼ୁଛି। ଯେଉଁ ଦୋକାନଗୁଡ଼ିକ ବେଳାଭୂମି ନିକଟରେ ଥିଲା, ସେଗୁଡ଼ିକୁ ପ୍ରାୟ ୧୦୦ ମିଟର ପଛକୁ ନେବାକୁ ପଡ଼ିଛି।

ପ୍ରାଣ ବିକଳରେ ବ୍ୟବସାୟୀମାନେ ନିଜ ଦୋକାନର ସାମଗ୍ରୀ ସୁରକ୍ଷିତ ସ୍ଥାନକୁ ନେଉଛନ୍ତି। କାହାର ମୁଣ୍ଡରେ ସାମଗ୍ରୀ, ଆଉ କିଏ ଦୋକାନର ଜିନିଷପତ୍ର ଧରି ଦୌଡ଼ୁଛନ୍ତି। କାରଣ, ପରବର୍ତ୍ତୀ ଜୁଆର କେତେ ଦୂର ଯାଏ ତାହା ନେଇ ଆଶଙ୍କା ରହିଛି।

ପଢନ୍ତୁ ଏହି ଖବର: ମଞ୍ଚ ଉପରକୁ ଚେୟାର ଓ ବୋତଲ ମାଡ଼,ଜାଣନ୍ତୁ କଣ ପାଇଁ ତାତିଲେ ଦର୍ଶକ

ମୁଖ୍ୟ ରାସ୍ତା ଆଉ କେତେ ଦୂର?

ସବୁଠାରୁ ଚିନ୍ତାଜନକ କଥା ହେଉଛି, ସମୁଦ୍ର ଏବେ ବେଳାଭୂମିର ମୁଖ୍ୟ ରାସ୍ତାଠାରୁ ପ୍ରାୟ ୧୫୦ରୁ ୨୦୦ ମିଟର ଦୂରରେ ରହିଥିବା କୁହାଯାଉଛି। ଯଦି ଏଭଳି ଭାବରେ ସମୁଦ୍ରର ଜୁଆର ବଢ଼ିଚାଲେ, ତେବେ ଆଗକୁ ପରିସ୍ଥିତି ଆହୁରି ଗମ୍ଭୀର ହେବା ନେଇ ଚିନ୍ତା ପ୍ରକାଶ ପାଇଛି।  ସମୁଦ୍ରର ଗର୍ଜନ ଏବେ ଦୂରରୁ ନୁହେଁ, ମାତ୍ର କିଛି ଦୂରରୁ ଶୁଣିବାକୁ ମିଳୁଛି। ଗୋଟିଏ ପରେ ଗୋଟିଏ ଢେଉ ଆସି ବାଲିକୁ ଧୋଇ ନେଉଛି। ପ୍ରତ୍ୟେକ ଢେଉ ସହ ଯେପରି କୂଳର ଗୋଟିଏ ଅଂଶ ସମୁଦ୍ର ଭିତରକୁ ଚାଲିଯାଉଛି।

ଭାଙ୍ଗିଗଲା ପାହାଚ, ବିପଦରେ ପର୍ଯ୍ୟଟକ

ଏପଟେ ବେଳାଭୂମିରୁ ମୁଖ୍ୟ ରାସ୍ତାକୁ ଯିବାକୁ ଥିବା ପାହାଚ ମଧ୍ୟ ଭାଙ୍ଗିବା ଆରମ୍ଭ କରିଛି। ଫଳରେ ପର୍ଯ୍ୟଟକମାନେ ବିପଦପୂର୍ଣ୍ଣ ଭାବରେ ଯାତାୟାତ କରୁଛନ୍ତି। ଭାଙ୍ଗିଥିବା ପାହାଚ ଉପରେ ଚାଲିବା ସମୟରେ ଅସାବଧାନ ହେଲେ ଦୁର୍ଘଟଣାର ଆଶଙ୍କା ରହିଛି। ସ୍ଥାନୀୟ ଅଞ୍ଚଳରେ ଏଭଳି ଦୃଶ୍ୟ ପୂର୍ବରୁ କମ୍ ଦେଖିବାକୁ ମିଳିଥିବାରୁ ଲୋକଙ୍କ ମନରେ ଭୟ ବଢ଼ିଛି। ଏକପଟେ ସମୁଦ୍ରର ଗର୍ଜନ, ଅନ୍ୟପଟେ ଭାଙ୍ଗୁଥିବା ବେଳାଭୂମି ସବୁ ମିଶି ପୁରୀ ଉପକୂଳରେ ଏବେ ଏକ ଭୟଙ୍କର ପରିବେଶ ସୃଷ୍ଟି ହୋଇଛି।