Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଫେରା ରାଇଜରେ ରଘୁ ମଉସା

Rashmita Mishra
Browse all articles by Rashmita Mishra
·11 months ago·2 min read
ଅଫେରା ରାଇଜରେ ରଘୁ ମଉସା

Key Points

ରଘୁ ମଉସା ଦୀର୍ଘ ବର୍ଷ ଧରି କଟକର ବିଡାନାସୀ ଛକରେ ବିକୁଥିଲେ ଦହିବରା ଆଳୁଦମ୍

ସନ୍ଧ୍ୟା ୫:୩୦ରେ ସେ ନିଜ ଦୋକାନ ଖୋଲୁଥିଲେ । 

ତାଙ୍କ ଆସିବା ପୂର୍ବରୁ ହିଁ ଗ୍ରାହକମାନଙ୍କର ଲମ୍ବା ଲାଇନ ଲାଗିଯାଉଥିଲା ।

ସ୍ତବ୍ଧ ହୋଇଗଲା ବିଡାନାସୀ ଛକ । ଖାଁ ଖାଁ ଲାଗୁଛି ରାସ୍ତା କଡ଼ରେ ଥିବା ବାଉଁଶ ତାଟିରେ ତିଆରି ଉଠା ଦୋକାନ । ଅଧା ତିଆରି ହୋଇ ରହିଛି ଦହିବରା । ଆଳୁଦମ ପାଇଁ ହାଣ୍ଡିରେ କଟା ହୋଇ ଥୁଆ ହୋଇ ରହିଛି ଆଳୁ । କାନ୍ଦ ବୋବାଳିରେ ଫାଟି ପଡୁଛି କଟକ ବିଡାନାସୀ ଗୋପାଳସାହି । କାରଣ କଟକ ପ୍ରସିଦ୍ଧ ଦହିବରା ଆଳୁଦମକୁ ଜାତୀୟ ସ୍ତରରେ ସ୍ଵତନ୍ତ୍ର ପରିଚୟ ଦେଇଥିବା ପ୍ରସିଦ୍ଧ ଦହିବରା ଆଳୁଦମ ବ୍ୟବସାୟୀ ରଘୁ ମଉସା ଆଉ ନାହାଁନ୍ତି । ୯୧ ବର୍ଷ ବୟସରେ କଟକ ବିଡାନାସୀ ଗୋପାଳ ସାହି ସ୍ଥିତ ବାସଗୃହରେ ତାଙ୍କର ପରଲୋକ ଘଟିଛି । ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ଘରେ ଚିକିତ୍ସିତ ହେଉଥିଲେ । ଆଜି ସକାଳେ ତାଙ୍କର ଦେହାନ୍ତ ଘଟିଛି । ତାଙ୍କ ପରଲୋକ ପରେ ଭାଙ୍ଗି ପଡିଛନ୍ତି ତାଙ୍କ ପରିବାର ଲୋକେ ।

ଦୀର୍ଘ ୬ ଦଶନ୍ଧି ଧରି ଦହିବରା ଆଳୁଦମ ବ୍ୟବସାୟ କରି ଆସୁଥିଲେ ରଘୁ । ୧୯୫୦ ମସିହାରେ ମାତ୍ର ୧୫ ବର୍ଷ ବୟସରେ ଦହିବରା ଆଳୁଦମ ବ୍ୟବସାୟ ସେ ଆରମ୍ଭ କରିଥିଲେ । ୨୦୧୭ ମସିହାରେ ଦିଲ୍ଲୀରେ ଓଡିଆ ପର୍ବରେ ସାମିଲ ହୋଇ ରାଜ୍ୟ ବାହାରେ ଥିବା ଓଡ଼ିଆ ଓ ଅଣ ଓଡିଆଙ୍କୁ ନିଜ ଦହିବରା ଆଳୁଦମର ସ୍ଵାଦ ଛଖେଇ ଥିଲେ ରଘୁ ମଉସା । ପ୍ରତିଦିନ ୨୦୦ ଜଣଙ୍କ ପାଇଁ ତାଙ୍କର ଦହିବରା ଆଳୁଦମ ପ୍ରସ୍ତୁତ ହେଉଥିବା ବେଳେ ଛୁଟି ଦିନରେ ଅଧିକ ୫୦ ଜଣଙ୍କ ପାଇଁ ତିଆରି ହୋଇଥାଏ । ଅନ୍ୟଙ୍କଠାରୁ ତାଙ୍କର ଟିକେ ଭିନ୍ନ ଥିଲା ଦହିବରା ଆଳୁଦମ । ସେ କେବଳ ଖଟା ଦହିବରା ଓ ମିଠା ଦହିବରା ସହ ଆଳୁଦମ ରଖିଥାନ୍ତି। ଅଧିକ ରାଗ ଲାଗିଲେ ସେ ପେଡା ମଧ୍ୟ ଗ୍ରାହକଙ୍କୁ ଦେଇ ଥାଆନ୍ତି।

ସନ୍ଧ୍ୟା ୫.୩୦ ହେଲେ ଟ୍ରଲିରେ ଦହିବରା ଆଳୁଦମ ହାଣ୍ଡି ଥୋଇ ବିଡାନାସୀ ଛକକୁ ବ୍ୟବସାୟ ପାଇଁ ଆସି ଯାଆନ୍ତି ରଘୁ ମଉସା । ସେପଟେ ତାଙ୍କ ବିୟୋଗ ଖବର ପାଇ ତାଙ୍କ ବାସ ଭବନରେ ପହଂଚି ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣେଇଛନ୍ତି। ରଘୁ ମଉସାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବାକୁ ଦାବି କରିଛନ୍ତି ଦହିବରା ଆଳୁଦମ ବ୍ୟବସାୟୀ ସଂଘ ଓ କଟକବାସୀ। କଟକ ସହରରେ ଦହିବରା ଆଳୁଦମ ବ୍ୟବସାୟ ଆରମ୍ଭ କରିଥିବା ଏକ ଯୁଗର ଏବେ ଅବସାନ ଘଟିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରଘୁ ମଉସାଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Raghu Mousa in Offera Raij Scandal | Argus News | Argus News