ବେଆଇନ ଧାନ ଗୋଦାମରେ ଚଢ଼ାଉ: ଗାଡ଼ି ସହ ୨୭୦ ବସ୍ତା ଧାନ ଜବତ

Key Points
ବେଆଇନ ଧାନ ଗୋଦାମରେ ଚଢ଼ାଉ
ଗାଡ଼ି ସହ ୨୭୦ ବସ୍ତା ଧାନ ଜବତ
ତୁଷୁରା ପୋଲିସ ସହାୟତାରେ କୁଲଦୀପଙ୍କ ଗୋଦାମରେ ଚଢ଼ଉ କରିଥିଲେ
ବେଆଇନ ଗୋଦାମ ଭାବେ ଗଚ୍ଛିତ ଏକ ଧାନ ଗୋଦାମ ଉପରେ ଜିଲ୍ଲା ଯୋଗାଣ ବିଭାଗ ଚଢ଼ଉ କରିଛି। ସେଠାରୁ ଏକ ଗାଡ଼ି ସହ ୨୭୦ ବସ୍ତା ଧାନକୁ ବିଭାଗୀୟ ଅଧିକାରୀ ଜବତ କରି ସ୍ଥାନୀୟ ଏକ ରାଇସ ମିଲର ଜିମା ଦିଆଯାଇଛି। ତୁଷୁରା- ଚାଣ୍ଟିପଦର ରାସ୍ତାରେ ଥିବା କୁଲଦୀପ ଗୁପ୍ତାଙ୍କ ଗୋଦାମରେ ବେଆଇନ ଭାବେ ଏକ ଟ୍ରକ (ନଂ. ଓଡି ୧୭ଡବ୍ଲୁ ୩୭୬୬)ରେ ଧାନ ଥିବା ନେଇ ଜିଲ୍ଲା ଯୋଗାଣ ଏନଫୋର୍ସମେଣ୍ଟ ବିଭାଗକୁ ଖବର ମିଳିଥିଲା। ଏନେଇ ବଲାଙ୍ଗିର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମାଜିଷ୍ଟ୍ରେଟ୍ ଦାୟିତ୍ଵରେ ଥିବା ଆସିଷ୍ଟାଣ୍ଡ କଲେକ୍ଟର ସାମକେସ ନାୟକଙ୍କ ନେତୃତ୍ବରେ ବଲାଙ୍ଗିର ସଦର ଏସିଏସଓ ଶରତ ଚନ୍ଦ୍ର ରାଉତ, ଗୁଡ଼ଭେଲା ବୃକ ଯୋଗାଣ ଅଧିକାରୀ ଗୋକୁଲଚନ୍ଦ୍ର ଭୋଇ ତୁଷୁରା ପୋଲିସ ସହାୟତାରେ କୁଲଦୀପଙ୍କ ଗୋଦାମରେ ଚଢ଼ଉ କରିଥିଲେ।
ସେଠାରେ ଏକ ଟ୍ରକରେ ୨୭୦ ବସ୍ତା ରବିଧାନ ଲୋଡ ହୋଇଥିବା ଦେଖିବାକୁ ପାଇଥିଲେ। ଉକ୍ତ ଧାନର କୌଣସି କାଗଜପତ୍ର ଦେଖାଇ ନପାରିବାରୁ ବିଭାଗୀୟ ଅଧିକାରୀମାନେ ଜବ କରିଥିଲେ। ଜବତ ଧାନ ଓଜନ କରିବାରୁ ତାହା ୧୧୮କ୍ରିଣ୍ଟାଲ ୯୦କେଜି ହୋଇଥିଲା । ଏନେଇ ବିଭାଗ ଏକ ମାମଲା ରୁଜୁକରି ଜବତ ଟ୍ରକ ଓ ଧାନକୁ ତୁଷୁରା ସମଲେଶ୍ୱରୀ ଏଗ୍ରୋ ନାମକ ଏକ ରାଇସ ମିଲର ଜିମା ଦେଇଛି। ଜବତ ଧାନ ଛତିଶଗଡ଼ ରାଜ୍ୟରୁ ଆସିଥିବାବେଳେ ବେଆଇନ ଭାବେ ମଣ୍ଡି ଗୁଡ଼ି ଗୁଡ଼ିକରେ ଦିଆଯିବାର ଯୋଜନା ଥିଲା ବୋଲି ଏସିଏସଓ ଶ୍ରୀ ରାଉତ ସୂଚନା ଦେଇଛନ୍ତି।