୪ ଦିନରେ ୪୫୬ ମାମଲା ରୁଜୁ, ୫୨୪ ଗାଡ଼ି ଜବତ !

ରାଜ୍ୟରେ ବେଆଇନ ମୋରମ, ବାଲି ଚାଲାଣ ଉପରେ ଲାଗିବ ରୋକ । ୪ ଦିନର ସ୍ପେଶାଲ୍ ଡ୍ରାଇଭରେ ୪୫୬ ମାମଲା ରୁଜୁ, ୫୨୪ ଗାଡ଼ି ଜବତ । ୩୬୦ ଜଣଙ୍କୁ ଗିରଫ ଓ ୧୦୦ରୁ ଅଧିକଙ୍କୁ ନୋଟିସ୍ କରିଛି ପୋଲିସ । ବାଲି ଲୁଟ୍କୁ ରୋଜଗାରର ପନ୍ଥା କରିଥିଲା ବିଜେଡି । ସରକାର ବଦଳିବା ପରେ ନିଆଯାଉଛି କଡ଼ା ଆକ୍ସନ ।
ବିଜେଡିର ବେଆଇନ ହାତପାଣ୍ଠି ଉପରେ ଓଡ଼ିଶା ପୋଲିସର ପଡ଼ିଛି ପ୍ରହାର। ଲଘୁ ଖଣିଜ ମାଫିଆଙ୍କ ଉପରେ ଚାଲିଛି ରାଜସ୍ବ ବିଭାଗ, ପୋଲିସ ଓ ଖଣି ବିଭାଗର ସଂଘବଦ୍ଧ ଚଢ଼ାଉ । ଧରପଗଡ଼ ପରେ ମାଫିଆଙ୍କ ଭିତରେ ସୃଷ୍ଟି ହୋଇଛି କୋକୁଆ ଭୟ । ପୋଲିସ ଡିଜି କହିଛନ୍ତି ଗତ ୭ ତାରିଖରୁ ଆରମ୍ଭ ହୋଇଥିବା ସ୍ପେଶାଲ ଡ୍ରାଇଭରେ ରାଜ୍ୟର ବିଭିନ୍ନ ଥାନାରେ ୪୫୬ଟି ମାମଲା ରୁଜୁ ହୋଇଛି, ୫୨୪ ଗାଡ଼ି ଜବତ କରାଯିବା ସହ ୩୬୦ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ ଓ ୧୦୦ରୁ ଅଧିକ ଲୋକଙ୍କୁ ନୋଟିସ ଜାରି କରାଯାଇଛି। ଆଗକୁ ବି ଏହିଭଳି ସ୍ପେଶାଲ ଡ୍ରାଇଭ୍ ଜାରି ରହିବ, ରାଜ୍ୟରେ ବେଆଇନ ମୋରମ, ବାଲି ଚାଲାଣ ଉପରେ ରୋକ ଲାଗିବ ।
କେନ୍ଦ୍ରାପଡ଼ା ଗରଦପୁର ଅଞ୍ଚଳରେ ବର୍ଷ ବର୍ଷ ଧରି ଏମିତି ଲୁଟ୍ ଚାଲିଥିଲା ଶହ ଶହ ଟ୍ରିପ୍ ବାଲି । ଏବେ ସରକାରଙ୍କ ଛାଟ ବାଜିବା ପରେ ଆକ୍ସନ ମୁଡକୁ ଆସିଛନ୍ତି ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ତହସିଲଦାର ଯାଏଁ। ତଳକୁସୁମା ବାଲି ସୈରାତ ଓ କୁସୁନପୁର ଆଦି ଘାଟରେ ଚଢ଼ାଉ କରି ଗାଡ଼ି ଜବତ କରାଯାଇଛି। ଆଉ ଏଚିତ୍ର ହେଉଛି କପ୍ତିପଦା ତହସିଲ ଅଧୀନରେ ଥିବା ବଜରପୁରର। ସୋନନଦୀର ବାଲିଘାଟରେ ଚଢ଼ାଉ କରି ଚାଲାଣ ପାଇଁ ଷ୍ଟକ୍ କରାଯାଇଥିବା ବାଲି ଜବତ କରାଯାଇଛି ।
ଚୋରା ବାଲି ଚାଲାଣକୁ ରୋଜଗାରର ପନ୍ଥା କରିଥିଲା ବିଜେଡି। ଲଘୁ ଖଣିଜକୁ ଲୁଟ୍ କରି ପକେଟ ଗରମ କରୁଥିଲେ ବିଜେଡି ନେତା, ବିଧାୟକ ଓ ମନ୍ତ୍ରୀ। ଏବେ ସରକାର ବଦଳିବା ପରେ ବଦଳିଛି ସ୍ଥିତି। ବାଲି ଟଙ୍କା, ମାଫିଆଙ୍କ ପକେଟକୁ ନୁହେଁ ସରକାରଙ୍କ ତହବିଲକୁ ଆସିବାକୁ ଯୋଜନା ହୋଇଛି।