Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚାଷୀର ପରିଶ୍ରମକୁ ଧୋଇଦେଇଛି ବର୍ଷା, ଚିନ୍ତାରେ ଚାଷୀ

Rashmita Mishra
Browse all articles by Rashmita Mishra
·1 year ago·2 min read
ଚାଷୀର ପରିଶ୍ରମକୁ ଧୋଇଦେଇଛି ବର୍ଷା, ଚିନ୍ତାରେ ଚାଷୀ

Key Points

ଜମିରେ ଭିଜିଲା ଚାଷୀର ଧାନ
ଚାଷୀକୁ ଶକ୍ତ ପ୍ରହାର କରିଛି ଲଘୁଚାପ
ଗ୍ରାଉଣ୍ଡ ଜିରୋରେ କ୍ଷୟକ୍ଷତିର ସମୀକ୍ଷା କଲେ ଜିଲ୍ଲା କୃଷି ଅଧିକାରୀ
କହିଲେ, କ୍ଷୟକ୍ଷତିର ସର୍ଭେ କରାଯାଇ ରିପୋର୍ଟ ପ୍ରସ୍ତୁତ ହେବ
3 ଦଫା ଦାବିରେ ବରଗଡ଼ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଚାଷୀ

ଚାଷୀର ପରିଶ୍ରମକୁ ଧୋଇଦେଇଛି ବର୍ଷା । ଭିଜା ଧାନକୁ ନେଇ କଣ କରିବ ଚାଷୀ ଏବେ ସେହି ଚିନ୍ତାରେ, କେଉଁଠି ରାସ୍ତାରେ ଧାନ ପଡ଼ିଛି ତ ଆଉ କେଉଁଠି ଜମିରେ ଭାସୁଛି। ଲଘୁଚାପ ବର୍ଷା ଚାଷୀ ଉପରେ ଦାଉ ସାଧିଛି । ଏହି ଦୁର୍ଦ୍ଦଶା ଆଣିଦେଇଛି । ବରଗଡ଼, ବରପାଲି,ଅତାବିରା ଓ ଭେଡେନ ବ୍ଲକର ଚାଷୀ ସର୍ବାଧିକ କ୍ଷତି ସହିଛନ୍ତି। ପୂର୍ବ ସରକାରରେ ଭିତ୍ତଭୂମି ସୁଦୃଢ଼ ହୋଇପାରିନଥିବାରୁ କେଉଁଠି ରାସ୍ତା କଡ଼ରେ ତ ଆଉ କେଉଁଠି ଖୋଲା ଆକାଶ ତଳେ ପଡ଼ିଛି ଚାଷୀଙ୍କ ଟନ୍ ଟନ୍ ଧାନ। ଲଗାତାର ୩ ଦିନ ଧରି ବର୍ଷା ଜାରି ରହିବା ଫଳରେ ଧାନ ଭିଜିଯାଇଛି।

ସେପଟେ ଗ୍ରାଉଣ୍ଡଜିରୋରେ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ଜିଲ୍ଲା କୃଷି ଅଧିକାରୀ। ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଥିବା ବେଳେ ସର୍ଭେ କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି। ବରଗଡ଼ ଜିଲ୍ଲାରେ ୩ ଦିନ ହେଲା ଲଗାତାର ବର୍ଷା। ସୋମବାର ବରପାଲି ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ୩ ଦିନ ଜିଲ୍ଲାରେ ବର୍ଷା ଜାରି ରହିବ ।

ଯଦି ବର୍ଷା ଜାରି ରହେ ତେବେ ଚାଷୀର ଦୁର୍ଦ୍ଦଶା ଆହୁରି ବଢିଯିବ । ଜିଲ୍ଲାରେ ରବି ଋତୁରେ ୯୧ ହଜାର ଚାଷୀ ପଞ୍ଜିକରଣ କରିଥିବା ବେଳେ ଏପର୍ଯ୍ୟନ୍ତ ୧୫ ଲକ୍ଷ କ୍ବିଣ୍ଟାଲ ଧାନ କିଣା ସରିଛି। ସେହିପରି ୬୦ ହଜାର ପ୍ୟାକେଟ ଧାନ ମାର୍କେଟରେ ପଡ଼ିଛି। ଟାର୍ଗେଟର ୫୦ ପ୍ରତିଶତ ମଧ୍ୟ ଧାନ କିଣା ସରିନାହିଁ।

ସେପଟେ 3 ଦଫା ଦାବିରେ ବରଗଡ଼ ଜିଲ୍ଲାପାଳ ଅଫିସ ଘେରିଲେ ଚାଷୀ। ଦାବି ଗୁଡିକ ହେଲା
1- ଚାଷୀ ଯେଉଁ ଦିନ ମଣ୍ଡିକୁ ଧାନ ଆଣିବ ସେହି ଦିନ ଧାନର ମାନ ପରୀକ୍ଷା ଏବଂ ଓଜନ କରାଯାଇ ଅନଲାଇନ ରେଜିଷ୍ଟ୍ରେସନ କରାଯାଉ।
2- ଚାଷୀ ଆଣିଥିବା ବସ୍ତାରେ ଧାନ ବିକ୍ରୟ କରିବା ପାଇଁ ବ୍ୟବସ୍ଥା କରାଯାଉ।
3- ସରକାରଙ୍କ ଘୋଷଣା ମୁତାବକ ପ୍ରତ୍ୟେକ ମଣ୍ଡି ରୁ ପ୍ରତିଦିନ ଯଥା ଶୀଘ୍ର ଏକ ହଜାର କୁଇଣ୍ଟାଲ ରୁ ଉର୍ଦ୍ଧ୍ୱ ଧାନ କିଣାଯାଉ।
ଦାବିଗୁଡିକ ଯଥାଶୀଘ୍ର ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
rain-has-washed-away-the-farmers-hard-work-farmers-are-worried | Argus News