ଆଜି ବେଶି ତାତିଲା ସମ୍ବଲପୁର

ଗତ ଦୁଇଦିନ ହେଲା ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି। ଦିନ ସହ ରାତି ବି ପଡୁନି ବାଦ୍। ରାତିରେ ଘରେ ପୁରେଇ ଦେଉନି ଗୁଳୁଗୁଳି। ତେବେ ଆଜି ଦିନ ସାଢେ ୨ ଟା ସୁଦ୍ଧା ୪୨ ଡିଗ୍ରୀ ସେଲସିୟସ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ସମ୍ବଲପୁର। ଆସନ୍ତା ୩ଦିନ ପାଇଁ ହିଟ୍ ଓ୍ବେଭ୍ ନେଇ ପୂର୍ବାନୁମାନ କରାଯାଇଛି। ଉଭୟ ଦିନ ଓ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।
ଆସନ୍ତାକାଲି ସମ୍ବଲପୁର, ଝାରସୁଗୁଡା, ବୌଦ୍ଧ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ଅନୁଗୁଳ ଓ ଢେଙ୍କାନାଳ ପାଇଁ ୟେଲୋ ଓ୍ବାର୍ଣ୍ଣି ଜାରି କରାଯାଇଛି। ଏହି ସବୁ ଜିଲାରେ ସୋମବାର ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ତେବେ ଏପ୍ରିଲ ୨ ତାରିଖ ପରେ ଆସିପାରେ ପାଗରେ ପରିବର୍ତ୍ତନ। କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ଗୋଟିଏରୁ ୨ ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏପ୍ରିଲ ୩ରୁ ୫ ତାରିଖ ଭିତରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। ଯାହାର ପ୍ରଭାବରେ କେତେକ ସ୍ଥାନରେ ବର୍ଷା ହୋଇପାରେ।
📱 Get Argus News App
✨ଶନିବାର ସାଢ଼େ ୨ଟା ସୁଦ୍ଧା ସମ୍ବଲପୁର ୪୨ ଡିଗ୍ରୀ, ଝାରସୁଗୁଡ଼ା ଓ ହୀରାକୁଦରେ ୪୦.୪ ଡିଗ୍ରୀ, ରାଉରକେଲା ୩୮.୮ ଡିଗ୍ରୀ, ଭୁବନେଶ୍ୱର ୩୮ ଡିଗ୍ରୀ, କେନ୍ଦୁଝର ୩୭.୮ ଡିଗ୍ରୀ, ଚାନ୍ଦବାଲିରେ ୩୭.୬ ଡିଗ୍ରୀ।