weather update / ଦକ୍ଷିଣ ଓଡ଼ିଶାରେ ପ୍ରଳୟ ରଚିଛି ଲଗାଣ ବର୍ଷା

Key Points
ଅନେକ ସ୍ଥାନରେ ଭାଙ୍ଗିଲା ପୋଲ, ଧୋଇଗଲା ରାସ୍ତା
ପଶ୍ଚିମ ଓଡ଼ିଶାରେ ବି ବର୍ଷାର ତାଣ୍ଡବ
ଫୁଲୁଛି ଚିଲିକା, ରିଙ୍ଗ୍ ରୋଡ ବନ୍ଧ ଡେଇଁ ମାଡ଼ି ଆସିଲା ପାଣି
ଜଳ ସଂପଦ ସର୍ବୋଚ୍ଚ ଯନ୍ତ୍ରୀ କହିଲେ, ବଂଶଧାରାରେ ବନ୍ୟା ସ୍ଥିତି
ଦୁର୍ବଳ ହେଉଛି ଲଘୁଚାପ, ୨୪ ଘଣ୍ଟା ପାଇଁ ପ୍ରବଳ ବର୍ଷା ସମ୍ଭାବନା
ବର୍ଷିଲା, ଭସେଇଲା, ବୁଡ଼େଇଲା, ଭାଙ୍ଗିଲା...... ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ପ୍ରଳୟ ରଚିଛି । ପ୍ରବଳ ବର୍ଷାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଗଜପତି ଜିଲ୍ଲା । କେଉଁଠି ପୋଲ ଭାଙ୍ଗିଛି ତ ଆଉ କେଉଁଠି ରାସ୍ତା ଧୋଇ ନେଇଛି । ଫଳରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । କାଶୀନଗର ଠାରେ ବଂଶଧାରା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଲଗାଣ ବର୍ଷାରେ ମୋହନା ଥାନା ବନ୍ଧାଗୁଡା ଗାଁରେ ଗାଈ ଚରେଇବାକୁ ଯାଇଥିବା ବେଳେ ନଦୀ ସୁଅରେ ଭାସି ଯାଇ ଯୁବକଙ୍କ ଜୀବନ ଯାଇଛି ।
ସେହିପରି ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅଂଚଳରେ ଲଘୁଚାପ ଜନିତ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ପୁଟାସିଂ ଏବଂ ଟୋଳନା ପଂଚାୟତର ବିଭିନ୍ନ ସ୍ଥାନରେ ଆପ୍ରୋଚ ରୋଡ଼ ଓ ରାସ୍ତା ଧସି ଯିବାରୁ ବିଭିନ୍ନ ସ୍ଥାନକୁ ଯାତାୟତ ପ୍ରଭାବିତ ହୋଇଛି । ସ୍କୁଲର ପାଚେରି ଭୁସୁଡ଼ି ପଡ଼ିଛି ।
📱 Get Argus News App
✨ସେପଟେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷତି କରିଛି ବର୍ଷା । କେଉଁଠି ନଦୀ ଜଳରେ ମଇଁଷି ଭାସିଯାଇଛନ୍ତି ତ ଆଉ କେଉଁଠି ଚାଷ ଜମି ସଂପୂର୍ଣ୍ଣ ନଷ୍ଟ ହୋଇଛି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଘୋଡ଼ାହାଡ଼ ଡ୍ୟାମରେ ଖୋଲିଛି ୪ଟି ଗେଟ୍ I ଧରାକୋଟ ବ୍ଲକ ଜାହାଡ଼ା ପଞ୍ଚାୟତ କୁଶପଡ଼ା ଗାଁରେ ଋଷିକୂଲ୍ୟା ନଦୀ ବନ୍ଧ ଭାଙ୍ଗି ୧୦୦ ଏକରରୁ ଉର୍ଦ୍ଧ୍ବ ଚାଷ ଜମିର ଫସଲ ନଷ୍ଟ ହୋଇଛି ।
କେବଳ ଦକ୍ଷିଣ ଓଡ଼ିଶା ନୁହଁ ପଶ୍ଚିମ ଓଡ଼ିଶାରେ ବି ତାଣ୍ଡବ ରଚିଛି ବର୍ଷା । କଳାହାଣ୍ଡିର ଥୁଆମୁଲରାମପୁରରେ ସର୍ବାଧିକ ୩୫୨ ମିଲିମିଟର ବର୍ଷା ରେକର୍ଡ଼ ହୋଇଥିବା ବେଳେ ସବୁଠୁ ଅଧିକ ପ୍ରଭାବିତ ହୋଇଛି କଳାହାଣ୍ଡି ଜିଲ୍ଲା । ଜିଲ୍ଲାର ଦୁଇ ଘାଟି ରାସ୍ତାରେ ଭୂସ୍ଖଳନ ହୋଇଛି । ବର୍ଷା ଯୋଗୁଁ ହାତୀ ନଦୀରେ ପ୍ରଥମ ବନ୍ୟା ଆସିଥିବା ବେଳେ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । ଜିଲ୍ଲାରେ ଧାନ ଓ କପା ଚାଷୀଙ୍କର ଅଧିକ କ୍ଷୟକ୍ଷତି ହୋଇଛି । ଜିଲ୍ଲାର କିଛି ସ୍ଥାନରେ କଚ୍ଚା ଘର ମଧ୍ୟ ଭାଙ୍ଗି ଯାଇଛି ।
ସେହିପରି ରିଙ୍ଗ୍ ରୋଡ଼ ବନ୍ଧ ଡେଇଁ ମାଡ଼ି ଆସୁଛି ଚିଲିକା ପାଣି । ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଚିଲିକା କୂଳ ଜେଟି ନିକଟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବର୍ଷା ଓ ପବନ ଲାଗି ରହିଥିବା ବେଳେ, ଚିଲିକା କୂଳକୁ ନଯିବା ପାଇଁ ବାରଣ ହୋଇଛି ।
ବଂଶଧାରା ମୁହାଣରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । କାଶୀନଗରରେ ବିପଦ ସଂକେତ ଉପରେ ପାଣି ପ୍ରବାହିତ ଯୋଗୁଁ ବଂଶଧାରାରେ ବନ୍ୟା ଆସିଛି । ହରଭଙ୍ଗି ନଦୀରୁ ପାଣି ଆସିବା ଫଳରେ ପାଣି ଆହୁରି ବଢିବ ବୋଲି କହିଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢ଼ୀ ।
ସେପଟେ ଦୁର୍ବଳ ହେଉଛି ଲଘୁଚାପ, ୨୪ ଘଣ୍ଟା ପାଇଁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସୁନ୍ଦରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ନବରଙ୍ଗପୁର, ନୂଆପଡା , ବଲାଙ୍ଗୀର, ବରଗଡ଼ , ସମ୍ବଲପୁର କେନ୍ଦୁଝର ଓ ମୟୁରଭଞ୍ଜ ୭ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଠି । ୫ ତାରିଖ ଯାଏ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି ।
Related Topics
Explore more stories