Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାକ୍ଷୀ..ଭାଇ ଭଉଣୀ ସମ୍ପର୍କରେ ପ୍ରେମ ଓ ପବିତ୍ରତାର ପ୍ରତୀକ

Rashmita Mishra
Browse all articles by Rashmita Mishra
·11 months ago·3 min read
ରାକ୍ଷୀ..ଭାଇ ଭଉଣୀ ସମ୍ପର୍କରେ ପ୍ରେମ ଓ ପବିତ୍ରତାର ପ୍ରତୀକ

Key Points

ରାକ୍ଷୀ ଭାଇ ଭଉଣୀ ସମ୍ପର୍କରେ ପ୍ରେମ ଓ ପବିତ୍ରତାର ପ୍ରତୀକ

ଭାଇ ଭଉଣୀର ସମ୍ପର୍କ ଏକ ନାଁ ନୁହେଁ ଏକ ଦାୟିତ୍ବ

ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନିଏ ଭଉଣୀ

ସମ୍ପର୍କର ସାକ୍ଷୀ ଭାବେ ରାକ୍ଷୀ ବାନ୍ଧି ଭାଇର ଶୁଭ ମନାସେ ଭଉଣୀ 

ରାକ୍ଷୀ..ଭାଇ ଭଉଣୀ ସମ୍ପର୍କରେ ପ୍ରେମ ଓ ପବିତ୍ରତାର ପ୍ରତୀକ । ଭାଇ ଭଉଣୀର ସମ୍ପର୍କ ଏକ ନାଁ ନୁହେଁ ଏକ ଦାୟିତ୍ବ । ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନିଏ ଭଉଣୀ । ସମ୍ପର୍କର ସାକ୍ଷୀ ଭାବେ ରାକ୍ଷୀ ବାନ୍ଧି ଭାଇର ଶୁଭ ମନାସେ ଭଉଣୀ । ଏ ବର୍ଷ ଅର୍ଥାତ୍‌ ଅଗଷ୍ଟ ୯ରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ପାଳୁଛି ରାଜ୍ୟ ସମେତ ଭାରତ । ରାକ୍ଷୀ ପୂର୍ଣ୍ଣିମା ହେଉଛି ଭାଇ ଭଉଣୀଙ୍କ ମଧ୍ୟରେ ଏକ ଅତୁଟ ବନ୍ଧନର ପର୍ବ । ଭାଇ ଠାରୁ ସୁରକ୍ଷା ଆଶା ନେଇ ସୁରକ୍ଷାର ସୂତା ବାନ୍ଧୁଛି ଭଉଣୀ । ହିନ୍ଦୁ ଧର୍ମର ଏକ ପ୍ରମୁଖ ପର୍ବ ଭାବରେ ରାକ୍ଷୀ ପୂର୍ଣ୍ଣିମା ଭାଇ-ଭଉଣୀ ସମ୍ପର୍କକୁ ମଜବୁତ କରିବା ପାଇଁ ପାଳନ କରାଯାଏ । ଭାରତୀୟ ପରମ୍ପରା ଅନୁସାରେ ଆଜିର ଦିନକୁ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣମୀ ବୋଲି କୁହାଯାଏ ।

ଏହି ବିଶେଷ ଦିନରେ ଭଉଣୀମାନେ ନିଜ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ସେମାନଙ୍କ ଦୀର୍ଘାୟୁ କାମନା କରନ୍ତି । ସେହିପରି ଭାଇମାନେ ମଧ୍ୟ ନିଜ ଭଉଣୀମାନଙ୍କୁ ଉପହାର ଦେଇ ସେମାନଙ୍କୁ ସୁରକ୍ଷା ଦେବାକୁ ଆଶ୍ଵସନା ଦିଅନ୍ତି । ହିନ୍ଦୁ ପରମ୍ପରା ଅନୁସାରେ ରାକ୍ଷୀକୁ ରକ୍ଷା ସୂତା ରୂପେ ବିବେଚନା କରାଯାଏ । ଯାହାକି ସାଧାରଣତଃ ସୂତାରୁ ପ୍ରସ୍ତୁତ ହୋଇଥାଏ ।

ପିଠାପଣାରେ ମହକେ ଗାଁଠୁ ସହର
ସମ୍ପର୍କର ଏହି ଖାସ ପର୍ବରେ ମିଠା ଭରିଦିଏ ବିଭିନ୍ନ ପ୍ରକାର ପିଠାପଣା । ଘରେ ଘରେ ବିଭିନ୍ନ ପ୍ରକାର ପିଠା ସାଙ୍ଗକୁ ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ । ଆଜିକାଲି ବଜାର ମିଠା ଉପରେ ଅନେକ ନିର୍ଭରଶୀଳ ଥିବାରୁ ମାର୍କେଟରେ ବି ମିଠା ଦର ଆକାଶଛୁଆଁ ହୋଇଯାଏ । ଘରକୁ ଅତିଥି ଆସିବା ସହ ମିଠା ଦିଆ ନିଆର ଆସର ଜମେ ।

ରାକ୍ଷୀ ପୂର୍ଣ୍ଣିମାରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ଉତ୍ସବ
ଯେମିତି ଭାଇ ଠାରୁ ସୁରକ୍ଷା ଆଶା ନେଇ ଭଉଣୀ ଭାଇ ହାତରେ ରାକ୍ଷୀ ଭିଡ଼ିଥାଏ ଠିକ୍ ସେହିଭଳି ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ର ନିଜ ଅଲିଅଳି ଭଉଣୀ ସୁଭଦ୍ରାଙ୍କ ହାତରୁ ରାକ୍ଷୀ ପିନ୍ଧିଥାନ୍ତି। ୪ ଗୋଟି ବୃହତକାୟ ରାକ୍ଷୀ ଓ ଗୁଆମାଲ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ର ଶ୍ରୀ ହସ୍ତରେ ଧାରଣ କରିଥାନ୍ତି । ମହାପ୍ରଭୁଙ୍କ ଭୋଗ ମଣ୍ଡପ ନୀତି ସରିବା ପରେ ମହାପ୍ରଭୁଙ୍କ ଶ୍ରୀଭୂଜରେ ରାକ୍ଷୀ ଲାଗି ନୀତି ଅନୁଷ୍ଠିତ ହୋଇଥାଏ । କେବଳ ସେତିକି ନୁହେଁ ପରମ୍ପରା ଅନୁଯାୟୀ ଜଜମାନଙ୍କ ମଙ୍ଗଳ ଓ ଉନ୍ନତି ପାଇଁ ପୁରୋହିତ ମାନେ ରକ୍ଷା ବନ୍ଧନ ପୂର୍ବକ ହାତରେ ଡୋରୀ ପିନ୍ଧାଇ ଥାଆନ୍ତି । ଶ୍ରୀମନ୍ଦିର ପାଟରା ବିଷୋୟୀ ସେବକ ମାନେ ମହାପ୍ରଭୁଙ୍କ ପାଇଁ ରାକ୍ଷୀ ତିଆରି କରିଥାନ୍ତି । ଏହା ବ୍ୟତୀତ ବାସୁଙ୍ଗା ପାଟରେ ୧୫ ଟି ଛୋଟ ରାକ୍ଷୀ ପ୍ରସ୍ତୁତ ହୋଇଥାଏ। ଶ୍ରୀମନ୍ଦିର ଭିତରେ ଥିବା ପାର୍ଶ୍ଵ ଦେବାଦେବୀ ମଧ୍ୟ ଏହି ଛୋଟ ରାକ୍ଷୀ ପରିଧାନ କରିଥାନ୍ତି।

ଶ୍ରାବଣ ପୂର୍ଣ୍ଣିମା ତଥା ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଲଭଦ୍ରଙ୍କ ଜନ୍ମ ଦିବସ ଭାବେ ଶ୍ରୀମନ୍ଦିରରେ ପାଳନ କରାଯାଏ। ପ୍ରଭୂ ବଳଭଦ୍ର ରୋହିଣୀଙ୍କ ଗର୍ଭରୁ ଏହି ଦିନରେ ଜନ୍ମ ହୋଇଥିଲେ। ଏହାକୁ ମଧ୍ୟ ଶ୍ରୀମନ୍ଦିରରେ ଅତ୍ୟନ୍ତ ଜାକଜମକରେ ପାଳନ କରାଯାଇଥାଏ। ଯେତେବେଳେ ଶ୍ରୀମନ୍ଦିରରେ ଭୋଗ ମଣ୍ଡପ ସରିଥାଏ ସେତେବେଲେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସର୍ବାଙ୍ଗ ଚନ୍ଦନ ଲେପ ନୀତି ଅନୁଷ୍ଠିତ ହୋଇଥାଏ। ବଡ ଠାକୁର ପ୍ରଭୁ ବଲଭଦ୍ରଙ୍କ ଆଗରେ ଝୋଟି ମୁରୁଜ ପଡ଼ି ଏକ ସ୍ବତନ୍ତ୍ର ପୂଜା ବିଧି ଅନୁଷ୍ଠିତ ହୋଇଥାଏ। ଯାହାକୁ କୁହାଯାଏ ଷଷ୍ଠୀ ମାର୍କଣ୍ଡି ପୂଜା। ଏହି ପୂଜାରେ ସ୍ଵତନ୍ତ୍ର ଭୋଗ ଅନୁଷ୍ଠିତ ହୋଇଥାଏ। ପରେ ମଧ୍ୟାହ୍ନ ଧୂପ ନୀତି ଅନୁଷ୍ଠିତ ହେଇଥାଏ। ଷଷ୍ଠୀ ମାର୍କଣ୍ଡି ପୂଜା ପରେ ଏକ ଜନ୍ମ ନୀତି ଅନୁଷ୍ଠିତ ହେଇଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
rakshia-symbol-of-love-and-purity-in-the-relationship-between-brother-and-sister | Argus News