ଆଜି ପାଇଁ ବନ୍ଦ ହେଲା ରଥଟଣା: କିଛି ସମୟ ଟଣାଯିବାପରେ ଏବେ ବି ସିଂହଦ୍ବାର ଆଗରେ ନନ୍ଦିଘୋଷ

Key Points
ରାତି ପ୍ରାୟ ୭.୩୦ ପର୍ଯ୍ୟନ୍ତ ଟଣାଯାଇ ନ ଥିଲା ଜଗନ୍ନାଥଙ୍କ ରଥ
ଯାହାକୁ ନେଇ ଅନେକ ପ୍ରଶ୍ନ ଉଠୁଥିଲା?
ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବିଳମ୍ୱରେ ଗଡ଼ିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ଆଇନମନ୍ତ୍ରୀ
ଆଲୋଚନା ପରେ ସନ୍ଧ୍ୟା ୭.୪୫ରେ ଗଡ଼ିଲା ନନ୍ଦିଘୋଷ ରଥ
ଆଜି ପାଇଁ ବନ୍ଦ ହେଲା ରଥଟଣା। ରାତି ପ୍ରାୟ ୭.୩୦ ପର୍ଯ୍ୟନ୍ତ ଟଣାଯାଇ ନ ଥିଲା ବଡ଼ଠାକୁର ଜଗନ୍ନାଥଙ୍କ ରଥ। ଯାହାକୁ ନେଇ ଅନେକ ପ୍ରଶ୍ନ ଉଠୁଥିଲା। କାହିଁକି ରାତି ହେଲାଣି ଏତେ ବିଳମ୍ୱ ଯାଏଁ ଟଣାଯାଉନି ନନ୍ଦିଘୋଷ ରଥ। ନିର୍ଦ୍ଧାରିତ ସମୟରେ ସମସ୍ତ ନୀତି ସରିବା ପରେ ଆରମ୍ଭ ହୋଇଥିଲା ରଥଟଣା। ଛେରା ପହଁରା ପରେ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରତ ଟଣାଯାଇଥିଲା। ହେଲେ ତାଳଧ୍ୱଜ ରଥ ବାରମ୍ୱାର ପ୍ରତି ୧୦ ମିଟରରେ ମୋଡ଼ ନେଉଥିବାର ରତ ଟାଣିବାକୁ ଡେରି ହେଉଥିଲା। ବଡ଼ଭାଇଙ୍କ ପଛେ ପଛେ ଆରମ୍ଭ ହୋଇଥିଲା ସୁନା ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ। ହେଲେ ଅନ୍ଧାର ହୋଇଯାଇଥିଲା କିନ୍ତୁ ସିଂହଦ୍ୱାର ସାମ୍ନାରୁ ଇଞ୍ଚେ ମଧ୍ୟ ଘୁଞ୍ଚି ନ ଥିଲା କାଳିଆର ନନ୍ଦିଘୋଷ ରଥ।
ଯାହାକୁ ନେଇ ଅନେକ ପ୍ରଶ୍ନ ଉଠିବା ପରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ସହ ଆଲୋଚନା କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଆଉ ବିଳମ୍ୱ ହେବା ସତ୍ତ୍ୱେ ମଧ୍ୟ ଆଲୋଚନା ପରେ ସନ୍ଧ୍ୟା ୭.୪୫ରେ ଗଡ଼ିଲା ନନ୍ଦିଘୋଷ ରଥ। ହେଲେ ତାହା ମାତ୍ର ଅଳ୍ପବାଟ ପର୍ଯ୍ୟନ୍ତ। ରାତି ହୋଇଯାଇଥିବାରୁ ନନ୍ଦିଘୋଷ ରଥକୁ ଅଳ୍ପବାଟ ପର୍ଯ୍ୟନ୍ତ ଟଣାଯାଇ ଅଟକା ଯାଇଥିଲା। ତେଣୁ ଏବେବି ସିଂହଦ୍ୱାର ଆଗରେ ରହିଛି ନନ୍ଦିଘୋଷ ରଥ। ଆଉ ସେପଟେ ବଳଗଣ୍ଡିରେ ତାଳଧ୍ୱଜ, ମରିଚିକୋଟରେ ଦର୍ପଦଳନ ରଥକୁ ରଖାଯାଇଛି। କାଲି ସକାଳ ୯ଟାରେ ପୁଣି ଟଣାଯିବ ରଥ। ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବିଳମ୍ୱରେ ଗଡ଼ିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ପୂର୍ବ ବର୍ଷ ଅପେକ୍ଷା ଏବର୍ଷ ରଥଯାତ୍ରାରେ ଅଧିକ ଲୋକ ହେଇଛନ୍ତି। ତେଣୁ ଶ୍ରଦ୍ଧାଳୁ କର୍ଡନ ଭିତରକୁ ପଶିଯାଇଥିଲେ। ଆଉ ଭକ୍ତଙ୍କୁ କର୍ଡନ ଭିତରୁ ବାହାର କରିବା ପରେ ନନ୍ଦିଘୋଷ ରଥ ଟଣାଗଲା। ସ୍ତିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଗଲା।