ଦୋଳ ବିମାନ କାରିଗର ରତ୍ନାକର, ବଞ୍ଚାଇରଖିଛନ୍ତି କଳାକୁ

ନିର୍ଜୀବ କାଠରେ ସେମାନେ ଗଢୁଛନ୍ତି ଦେବ ବିଗ୍ରହ । ପାରମ୍ପରିକ ଦୋଳ ବିମାନ ନିର୍ମାଣ କରି ଉତ୍କଳୀୟ ସଂସ୍କୃତିକୁ ତିଷ୍ଠି ରହିବାରେ ଦେଉଛନ୍ତି ଯୋଗଦାନ । ରାଜ୍ୟର ଗାଁ'ଗଣ୍ଡାରୁ ପାରମ୍ପରିକ କାଠ କାରିଗରୀ କମି କମି ଆସୁଥିବା ବେଳେ ପୁରୀ ଜିଲ୍ଲା ବଳଙ୍ଗା ଥାନା ଖଣ୍ଡାୟତ ପାଟଣା ଗାଁର ଦୁଇ ଭାଇ କରୁଣାକର ମହାରଣା ଓ ରତ୍ନାକର ମହାରଣା ଓଁ ଶାନ୍ତି ଉଡ଼ ୱାର୍କସପ ଖୋଲି କାଠରେ ବିମାନ ଓ ବିଗ୍ରହ ଗଢୁଛନ୍ତି । ଶାଳ ,ପିଆଶାଳ ,ଶିଶୁ ,ଗମ୍ଭାରୀ ଓ ନିମ୍ବ କାଠକୁ ବ୍ୟବହାର କରି ସେମାନେ ତିଆରି କରୁଛନ୍ତି ଦୋଳ ବିମାନ ସାଙ୍ଗକୁ ପାଲିଙ୍କି ଆଉ ଝୁଲଣ ।
ବସନ୍ତ ପୂର୍ଣ୍ଣିମା ତିଥିରେ ଓଡ଼ିଶାର ପୁରପଲ୍ଲୀରେ ଅନୁଷ୍ଠିତ ହୁଏ ଦୋଳ ଉତ୍ସବ । ଦୋଳରେ ଦୋଳ ଗୋବିନ୍ଦ ରାଧାରାଣୀଙ୍କ ସହିତ ବିମାନରେ ବିଜେ କରି ନଗର ପରିକ୍ରମା କରନ୍ତି । ଏଥିପାଇଁ ଲୋଡ଼ା ପଡୁଥିବା ବିମାନ ଏଠାରେ ତିଆରି କରି ନାଁ କମାଇଛନ୍ତି ଏହି ମହାରଣା ପରିବାର । ସାମ୍ପ୍ରତିକ ସମୟରେ ଧାତବ ଦ୍ରବ୍ୟର ବହୁଳ ବ୍ୟବହାର ହେଉଥିବା ବେଳେ କାଠ କାରିଗରୀକୁ ବଞ୍ଚାଇବା ସହିତ ପବିତ୍ରତା ଓ ଏକାଗ୍ରତା ସହକାରେ ଏହି ଦୁଇଭାଇ ଦେବ କାର୍ଯ୍ୟ ସହିତ ହୋଇଛନ୍ତି ଆତ୍ମନିର୍ଭର । ଦୋଳ ପୂର୍ଣ୍ଣିମା ଓ ବିମାନ ପାଇଁ ବଳଙ୍ଗାର ନାଁ ଥିବାରୁ ଜିଲ୍ଲା ଓ ଜିଲ୍ଲା ବାହାରୁ ଲୋକେ ଏଠାକୁ ବିମାନ କିଣିବାକୁ ଆସିଥାନ୍ତି ।
ନିହାଣ ମୁନରେ କାଠ ପାଉଛି ଜୀବନ । ନିର୍ଜୀଵ କାଠରେ କମନୀୟ ଦେଖାଯାଉଛଂତି ଭଗବାନ ଗଣେଶ ,ବୁଦ୍ଧ,ରାଧା କୃଷ୍ଣ ଓ ଗଜରାଜ । ହାତୁଡି ,ବାରିସୀ ,କରତ ଓ ପାଲୁ ମାରି କୁନ୍ଦ କାମ ସହିତ ନିଖୁଣ ଭାବେ ଗଢ଼ାଯାଉଛି ଦୋଳ ବିମାନ । ଆଗକୁ ଦୋଳ ପୂର୍ଣ୍ଣିମା ଆସୁଥିବାରୁ ବିମାନ କାମ ଦ୍ରୁତ ଗତିରେ ଚାଲିଛି । କରୁଣାକରଙ୍କ ଚାରିପିଢ଼ି ଏଭଳି କାମରେ ନିୟୋଜିତ ରହି କମାଇଛନ୍ତି ନାଁ । ବିମାନ ଓ ବିଗ୍ରହ କିଣିବାକୁ ଚାରିଆଡୁ ଗ୍ରାହକ ଆସୁଥିବା ବେଳେ କାମ ଶିଖିବାକୁ ଆସିଛନ୍ତି ଆଗ୍ରହୀ ଯୁବକ । ଠାକୁରଙ୍କ କାମ ଓ ସଂସ୍କୃତିର ସୁରକ୍ଷା ହେଉଥିବାରୁ ଏଭଳି କାମରେ ଉତ୍ସାହିତ ଅଛନ୍ତି ଏହି ଦୁଇ ବିନ୍ଧାଣି । କାଠ କାରିଗରୀ ପାଇଁ ରାଜ୍ୟର ରହିଛି ନାଁ । କରୁଣାକର ଓ ରତ୍ନାକରଙ୍କ ଭଳି ବିନ୍ଧାଣିଙ୍କ ପାଇଁ ନିର୍ଜୀଵ କାଠରେ ଲେଖା ହେଉଛି ଅନେକ କାହାଣୀ ।