Odisha Politics / ନବୀନଙ୍କୁ ନେଇ ବଡ଼ କଥା କହିଲେ ରବି, 'ସେତେବେଳେ ବାପା ଏବେ ପୁଅ'

Key Points
ସେ ନବୀନଙ୍କୁ ସିଧା ସିଧା ସମାଲୋଚନା କରିଛନ୍ତି ।
ରାଜ୍ୟ ରାଜନୀତି ଏବେ ଖୁବ୍ ସରଗରମ । ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ କରାଯିବା ଘଟଣା, ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ସମସ୍ତଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ, କାହିଁକି ଅରବିନ୍ଦଙ୍କୁ କରାଗଲା ନିଲମ୍ବନ ? କ'ଣ ଥିଲା ତାଙ୍କର ଭୁଲ । ତେବେ ଏହାରି ଭିତରେ ଅରବିନ୍ଦ ମହାପାତ୍ରଙ୍କ ବାପା ବିଜୟ ମହାପାତ୍ରଙ୍କୁ ଭେଟିଛନ୍ତି ପୂର୍ବତନ ବିଧାୟକ ତଥା ସାଂସଦ ରବି ପାଣି । ସେଠାରେ ସେ ଗଣମାଧ୍ୟମ ଆଗରେ ଦେଇଛନ୍ତି ବିସ୍ଫୋରକ ବୟାନ । ସେ ନବୀନଙ୍କୁ ସିଧା ସିଧା ସମାଲୋଚନା କରିଛନ୍ତି ।
ନବୀନଙ୍କ ନାଁ ନେଇ ସେ କହିଛନ୍ତି, 'ନବୀନ ନିଜ ଛାଇକୁ ବି ଦେଖିଲେ ଭୟ କରନ୍ତି । ବିଜୟଙ୍କ ପୁଅକୁ ଡାକି ଆଣି ନବୀନ ପଟ୍ଟନାୟକ ପାର୍ଥୀ କରିଥିଲେ, ବାପାଙ୍କୁ କିଛି ପଚାରି ନାହାନ୍ତି । ସେତେବେଳେ ବିଜୟ ଆଉ ନଳିନୀଙ୍କୁ ବାହାର କରି କହିଥିଲେ ଦୁର୍ନୀତିଗ୍ରସ୍ତ ଆଉ ଏବେ ବି ସେୟା' । ଏମିତି କହି ପରୋକ୍ଷରେ ଅତନୁଙ୍କୁ ଟାର୍ଗେଟ କରିଛନ୍ତି ରବି ।
ଏହାସହ ସେ ଆହୁରି କହିଛନ୍ତି 'ଯେଉଁମାନେ କାଲି ବିଶ୍ୱାସଘାତକ ଓ ଦୁର୍ନୀତିଗସ୍ତ କହୁଥିଲେ ସେମାନେ ମେ' ୨୯ ରେ କଣ କରିଥିଲେ । ନବୀନଙ୍କ ପାଖରେ ଘେରିକି ଅଛନ୍ତି ବିଶ୍ୱାସଘାତକ । ନବୀନ କଣ କୋଳି ଖାଇ ମଞ୍ଜି ପୋତିଛନ୍ତି କି ସବୁବେଳେ ରହିବେ । ଆମେ ୫୦ ରୁ ୬୦ ସବୁବେଳେ ବସୁଛୁ, ଓଡିଶା ବୁଲୁଛୁ ନୂଆ ସମୀକରଣ କଥା ଚିନ୍ତା କରାଯାଉଛି । ବିଜୁ ବାବୁ ଟିକେ ଭୁଲ ପାଇଁ ୪୫ କୁ ଖସି ଆସିଥିଲେ ଆଉ ନବୀନ ଏବେ ଜିରୋ । କହୁଥିଲେ ହାତ ହଲେଇଲେ ଭୋଟ, କିନ୍ତୁ ନୂଆପଡ଼ାରେ କଣ ହେଲା । ଦୁଇ ବିଧାୟକଙ୍କ ଉପରେ ଆକ୍ସନ ବୁମେରାଙ୍ଗ ହୋଇପାରେ' ।
ବିରିଷ୍ଠ ନେତା ତଥା ପୂର୍ବତନ ବିଧାୟକଙ୍କ ଏଭଳି ବୟାନ ବିଜେଡିକୁ ଅଡ଼ୁଆ ପରିସ୍ଥିତିରେ ପକାଇଛି । ନେତାଙ୍କ ମଧ୍ୟରେ କୁହୁଳୁଥିବା ନିଆଁକୁ ଆହୁରି ତେଜିଛି । ଖାଲି ସେତିକି ନୁହେଁ ଅରବିନ୍ଦ ଓ ସନାଙ୍କ ନିଲମ୍ବନ ବିଜେଡିକୁ କ୍ଷତି ପହଞ୍ଚାଇବ ବୋଲି ଅନେକ ନେତା ମତ ପ୍ରକାଶ କରିଛନ୍ତି ।
ବିଜେଡିରୁ ନିଲମ୍ବିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର । ସେ କହିଛନ୍ତି 'ଏହି ନିଲମ୍ବନ କିଛି ଫରକ ପଡ଼ିବନି । ମୁଁ ମୋ ନିର୍ବାଚନ ମଣ୍ଡଳୀର ସାଧାରଣ ଜନତାଙ୍କ ସହ ରହିଛି ଆଉ ରହିବି । ମୁଁ କିଛି ଦୁର୍ନୀତି କରିନି' । ଅରବିନ୍ଦଙ୍କ ସମର୍ଥକ ମାନେ ମଧ୍ୟ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ନିନ୍ଦା କରିବା ସହ ପାଟକୁରାରେ ବିଜେଡିର ଶୋଚନୀୟ ସ୍ଥିତି ହୋଇଯିବ ବୋଲି ଚେତାବନୀ ଦେଇଛନ୍ତି ।
ଅନ୍ୟପଟେ ଅରବିନ୍ଦ ମହାପାତ୍ରଙ୍କ ବାପା ବିଜୟ ମହାପାତ୍ର କହିଛନ୍ତି, 'କାହିଁକି ପୁଅକୁ ନିଲମ୍ବନ କରାଗଲା ମୁଁ ଆଦୌ ଜାଣିନି । ବିଶ୍ବାସଘାତକ କିଏ ଲୋକେ ବିଚାର କରିବେ । ଏହା ପଛରେ ଷଡ଼ଯନ୍ତ୍ର ଥାଇପାରେ ବୋଲି ସନ୍ଦେହ ହେଉଛି' । ସେହିଭଳି ଗୁରୁବାର ଗଣମାଧ୍ୟମ ଆଗରେ ଅରବିନ୍ଦ କହିଥିଲେ, 'ମୁଁ ନିଲମ୍ବନ ସମ୍ପର୍କରେ ଗଣମାଧ୍ୟମରୁ ଜାଣିଲି । ଦଳର କୌଣସି ନେତା ମୋ ସହ କଥା ହୋଇନାହାନ୍ତି। କାହିଁକି ନିଲମ୍ବନ କରାଗଲା, ମୁଁ ଜାଣିନାହିଁ। ଦଳକୁ ଅସୁବିଧାରେ ପକାଇଲା ପରି କାମ ମୁଁ କରି ନାହିଁ'।
📱 Get Argus News App
✨Related Topics
Explore more stories