କପା ଖେତକୁ ଯାଇଥିବା ବେଳେ ବଜ୍ରପାତ, ଆଖି ବୁଜିଲେ ୩ ଜଣ

Key Points
ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି । କପା ଖେତକୁ ଚାଷ କରିବା ଲାଗି ଯାଇଥିବା ବେଳେ ବଜ୍ରପାତରେ ଆଖି ବୁଜିଛନ୍ତି ୩ ଜଣ ଶ୍ରମିକ । ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।
ରାୟଗଡ଼ା: ପେଟ ପୋଷିବା ପାଇଁ ଦିନ ମଜୁରୀ ଖଟୁଥିଲେ । ଟଙ୍କା ଆଣିଲେ ପରିବାର ଚଳିଥାନ୍ତା, ଓଳିକ ପାଇଁ ଚୁଲି ଜଳି ଥାନ୍ତା । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ଶୁକ୍ରବାର ଅପରାହ୍ଣରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି । କପା ଖେତକୁ ଚାଷ କରିବା ଲାଗି ଯାଇଥିବା ବେଳେ ବଜ୍ରପାତରେ ଆଖି ବୁଜିଛନ୍ତି ୩ ଜଣ ଶ୍ରମିକ । ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।
ଶୁକ୍ରବାର ଅପରାହ୍ଣରେ ରାୟଗଡ଼ା ସଦର ବ୍ଲକ୍ ଶେଷଖାଲ ଥାନା ହରିପୁର ନିକଟ ଜଙ୍ଗଲ କପା ଖେତରେ କାମ କରୁଥିଲେ ୫ ଜଣ । ହଠାତ୍ କଳାହାଣ୍ଡିଆ ମେଘ ମାଡ଼ି ଆସିବା ସହ ବଜ୍ରପାତ ହୋଇଥିଲା । ତେଣୁ ଖେତରେ କାମ କରୁଥିବା ଶ୍ରମିକ ମାନେ ନିକଟରେ ଥିବା ଏକ କୁଡ଼ିଆରେ ଯାଇ ଆଶ୍ରୟ ନେଇଥିଲେ । ହେଲେ କିଏ ଜାଣିଥିଲା, ସେମାନେ ଯେଉଁଠି ଆଶ୍ରୟ ନେଇଛନ୍ତି ସେଇଠି ହିଁ ମୃତ୍ୟୁ ଛକିଛି ।
କୁଡ଼ିଆ ଉପରେ ବଜ୍ରପାତ ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ବିଷ୍ଣୁଗୁଡ଼ା ଗାଁର ୪୫ ବର୍ଷୀୟା ସାମ୍ବାରୀ ପିଡ଼ିକା ଓ ଝୁମୁକା ଗାଁର ଗିରିଆ ମିଣିଆକା । ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳିନାହିଁ । ରାୟଗଡ଼ା ବିଧାୟକ ମେଡିକାଲ୍ରେ ଆହତଙ୍କୁ ଭେଟିଛନ୍ତି ।