Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜଧାନୀରୁ ରାୟଗଡ଼ା... କାହିଁକି ହିଂସ୍ର ପାଲଟି ଯାଉଛି ମଣିଷ ?

Odisha

Mob Violence / ରାଜଧାନୀରୁ ରାୟଗଡ଼ା... କାହିଁକି ହିଂସ୍ର ପାଲଟି ଯାଉଛି ମଣିଷ ?

Sushanta Sahoo
Browse all articles by Sushanta Sahoo
·2 hours ago·3 min read
ରାଜଧାନୀରୁ ରାୟଗଡ଼ା... କାହିଁକି ହିଂସ୍ର ପାଲଟି ଯାଉଛି ମଣିଷ ?
Why Mob Violence Is Rising in Odisha

Key Points

ବାଲିଅନ୍ତା ସୌମ୍ୟ ଭିଡ଼ ହିଂସାରୁ ଶିଖିଲେ କ'ଣ ? ଧୈର୍ଯ୍ୟହରା ମଣିଷ କେମିତି ସାଜିଯାଏ ରାକ୍ଷସ ? ରଜରେ ନାରୀଙ୍କ ସମ୍ମାନର ପରମ୍ପରା ପାଳୁଥିବା ମଣିଷ ରାୟଗଡ଼ାରେ ଭୁଲିଗଲା ସେହି ପରମ୍ପରା, ସେହି ସମ୍ମାନ ଓ ନିଜ ମାନବିକତା । ପର ପିଢ଼ି ପାଇଁ ଛାଡ଼ି ଦେଲା ଅକୁହା ପ୍ରଶ୍ନର ନୀରବ ଉତ୍ତର ।
ରାୟଗଡ଼ା: ଗୁଜବ, ମିଛରୁ ଆକ୍ରୋଶ । ସତ ନ ଜାଣି ମଣିଷ ସାଜୁଛି ସୈତାନ୍ । ଭୁଲ୍ ବୁଝାମଣାରୁ ସୃଷ୍ଟି କରୁଛି ଭିଡ଼ । ଆଉ କ୍ଷଣିକରେ ସାରି ଦେଉଛି ସବୁକିଛି । ରାଜଧାନୀ ଉପକଣ୍ଠ ବାଲିଅନ୍ତାରୁ ନେଇ ଉପାନ୍ତ ରାୟଗଡ଼ା । ସବୁଠି ଦେଖିବାକୁ ମିଳୁଛି ଭିଡ଼ ହିଂସାର ବୀଭତ୍ସ ଦୃଶ୍ୟ ।

ଭିଡ଼ ଭିତରେ ବତୁରି ଯାଉଛି ବେଦନା । ସାନ୍ତ୍ଵନାର ଦ୍ଵାହି ଦେଇ ହିଂସାକୁ ମିଳୁଛି ପ୍ରୋତ୍ସାହନ । ସତ ନ ଜାଣି ସନ୍ଦେହରୁ ମଣିଷ ସାଜୁଛି ସୈତାନ୍ । ବାଲିଅନ୍ତା ଭିଡ଼ରେ ସୌମ୍ୟକୁ ହତ୍ୟା ହେଉ କି ରାୟଗଡ଼ା କଲ୍ୟାଣସିଂହପୁରରେ ପିଲା ଚୋର ସନ୍ଦେହରେ ନିର୍ମମ ବର୍ବରତା । ସବୁଠି ମିଛ, ଗୁଜବରୁ ଭିଡ଼ ସବୁ ସୀମା ପାର୍ କରୁଛି ।

ଆମେ ଆମକୁ ସଭ୍ୟ କହି ଚିତ୍କାର କରୁଛେ । କିନ୍ତୁ ସଭ୍ୟ ସମାଜରେ ଅସଭ୍ୟ ଭଳି ବ୍ୟବହାର କରୁଛେ । ସନ୍ଦେହ ଚକ୍ଷୁରେ ସମାଜକୁ ଦେଖୁଛେ, ବିକୃତ ମାନସିକତାର ବୁଢ଼ିଆଣୀ ଜାଲ୍‌ରେ ଛନ୍ଦି ହୋଇ ହୋଇ ଯାଉଛେ ।

ଭ୍ରାନ୍ତ ଧାରଣା, ରୁଗ୍‌ଣ ମାନସିକତା, କାହାରିକୁ ନ ଶୁଣିବା, ଧୈର୍ଯ୍ୟ ହରା ହୋଇ ଆମେ ଭିଡ଼ ହିଂସାରେ ସାମିଲ୍ ହେଉଛେ । ଯାହାର ପରିମାଣ ସ୍ଵରୂପ ଆଇନ୍‌କୁ ହାତକୁ ନେଉଛେ । କାହାର ଚିତ୍କାର, ଆକୁଳ ନିବେଦନ, କାହାର ଇଜ୍ଜତ ଫରକ୍‌ ପଡ଼ୁନି ।

କଲ୍ୟାଣସିଂହପୁରରେ କ'ଣ ଘଟିଲା ?

କନ୍ଧମାଳ ଦାରିଙ୍ଗବାଡ଼ିରୁ ଯୁବକ, ଯୁବତୀ ସ୍କୁଟିରେ କଳାହାଣ୍ଡିର ଥୁଆମୂଳ ରାମପୁର ଯାଉଥିଲେ । ଗୁଗଲ୍ ମ୍ୟାପ୍‌ ବଦଳାଇ ଦେଇଥିଲା ବାଟ । ଆଉ ପହଞ୍ଚିଥିଲେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଇନ୍ତାଲିଗୁଡ଼ା ଗାଁ ନିକଟ ଜଙ୍ଗଲରେ ।

ଯେଉଁଠି ରଜ ଉତ୍ସବରେ ଦୋଳି ଖେଳୁଥିଲେ କୁନି କୁନି ଛୁଆ । ଆଉ NGOରେ କାମ କରୁଥିବା ଯୁବକ, ଯୁବତୀ ଛୋଟ ଛୁଆଙ୍କୁ ଦେଖି ଖୁସିରେ ଚକଲେଟ୍ ଯାଚିଥିଲେ । କିନ୍ତୁ ଶ୍ରଦ୍ଧା ବାଣ୍ଟିବାକୁ ଯାଇଥିବା ଯୁବକ, ଯୁବତୀଙ୍କୁ ପିଲା ଚୋର ଭାବି ନେଇଥିଲେ ଲୋକେ ।

ସଙ୍ଗେ ସଙ୍ଗେ ଏହି ପଦିଏ କଥା ରକେଟ୍ ବେଗରେ ବ୍ୟାପି ଯାଇଥିଲା । ଦେଖୁ ଦେଖୁ ଭିଡ଼ ଜମିଥିଲା । ଆଉ ସେହି ଭିଡ଼ରୁ ବର୍ତ୍ତି ପାରିନଥିଲେ ବାହାର ରାଜ୍ୟରୁ ଆସିଥିବା ଯୁବକ, ଯୁବତୀ । କେହି କିଛି ବୁଝିବା ଆଗରୁ ମାର୍‌ପିଟ୍ ଆରମ୍ଭ କରିଥିଲେ ।

ଶତାଧିକ ଲୋକଙ୍କ ଗହଳିରେ ଏକାକୀ ଝିଅଟି ନେହୁରା ହେଉଥିଲା, ହାତ ବି ଯୋଡ଼ୁଥିଲା । କିନ୍ତୁ, ଏ ମଣିଷ ଅମଣିଷ ସାଜିଥିଲା । ଭିଡ଼ ଭିତରେ ଇଜ୍ଜତ ଲୁଟିବାକୁ ବି ପଛାଇ ନଥିଲେ ମଣିଷରୂପୀ କିଛି ରାକ୍ଷାସ । ଦେହ ଲୁଚାଇବା ପାଇଁ ଖଣ୍ଡିଏ କନା ବି ଛାଡ଼ି ନଥିଲେ । ସେ ବୀଭତ୍ସ ଦୃଶ୍ୟକୁ ଶବ୍ଦରେ ବଖାଣିବା ବି କଷ୍ଟକର ।

ହେଲେ କାହିଁକି... ?

ଭଗବାନଙ୍କ ସୃଷ୍ଟିର ସବୁଠୁ ବୁଦ୍ଧିଆ ପ୍ରାଣୀ ମଣିଷ କାହିଁକି ନିର୍ବୁଦ୍ଧିଆ ପାଲଟି ଯାଉଛି ? କାହିଁକି ଆମ ଭିତରେ ସାମାନ୍ୟ ମାନବିକତା କି ମଣିଷ ପଣିଆ ଆଉ ରହୁ ନାହିଁ ? ନିଜ ଝିଅ ସହ କ'ଣ ଆମେ ଏଭଳି କରିଥାନ୍ତେ ? ଭିଡ଼ ହିଂସାରେ ଏସବୁ ଭାବନା ଆମ ମନକୁ କାହିଁକି ଆସୁନି ?

କାରଣ ହେଉଛି ଆମେ ମନୋରଞ୍ଜନକୁ ଆଉ ମଜ୍ଜା ଭାବେ ନେଉ ନାହେଁ । ବରଂ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ଦୃଶ୍ୟକୁ ଆମେ ମୁଣ୍ଡକୁ ନେଇ ଯାଉଛେ । ଆଉ ଯାହାର କୁ-ପ୍ରଭାବରେ ଭିଡ଼ ହିଂସାରେ ଆମ ମାନସିକତା ସମ୍ପୂର୍ଣ୍ଣ ବଦଳି ଯାଉଛି । ଗୁଜବର ଆଁ ଆମ ମଣିଷ ପଣିଆ ଗିଳି ଦେଉଛି । ଭିଡ଼ରେ ସାନ୍ତ୍ଵନାର ସ୍ଵର ହିଂସାକୁ ପ୍ରଶମିତ କରୁଛି । ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ମଣିଷର ମାନବିକତାର ମୂଲ୍ୟବୋଧକୁ ନେଇ ଠିଆ କରୁଛି ଅନେକ ପ୍ରଶ୍ନ, ପର ପିଢ଼ିକୁ କରୁଛି ପଥ ଭ୍ରଷ୍ଟ ।

ଥରେ ନିଜକୁ ପଚାରନ୍ତୁ...

ସତରେ କ'ଣ ଏଭଳି ଘଟଣାରୁ ଆମେ କ୍ଷାନ୍ତ ରହି ପାରିବାନି ? ନିଜ ଉପରେ କ'ଣ ନିୟନ୍ତ୍ରଣ ଆଣି ପାରିବାନି ? ଯଦି ଏଭଳି କ୍ଷେତ୍ରରେ ମନରେ କିଛି ସନ୍ଦେହ ଜାତ ହୁଏ, ପ୍ରଥମରୁ ଅଭିଯୁକ୍ତକୁ ଦୋଷୀ ନ ଭାବି ଆଇନ୍‌କୁ ହାତ ନ ନେଇ ପୋଲିସ ପ୍ରଶାସନକୁ ଜଣାଇବା ଦରକାର । ସମୟ ଦେଇ ପରିସ୍ଥିତିକୁ ବୁଝିବା ଦରକାର । ହୁଏତ ଘଟଣା ଘଟିବା ପରେ ନିଜ ମନ ବି କହିପାରେ ସତରେ ବଡ଼ ଭୁଲ୍ ହୋଇଗଲା, ଯାହା ହେବାର ନଥିଲା । 

ଏଥିସହ ପଢ଼ନ୍ତୁ: ବାନ୍ଧିଲେ, ପିଟିଲେ, ମୂତ୍ର ପିଆଇଲେ; ଛୁଆ ଆଗରେ ମାଆକୁ ବାପାର ନିର୍ଯାତନା 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored