|
logo
Live
Argus News App
GET APP

Argus News - ନୂଆପଡ଼ା ପରାଜୟ ପରେ BJDରେ ବିଦ୍ରୋହର ନିଆଁ

Odisha

Odisha Politics / ନୂଆପଡ଼ା ପରାଜୟ ପରେ BJDରେ ବିଦ୍ରୋହର ନିଆଁ

Satyendu Sekhar Mishra
Browse all articles by Satyendu Sekhar Mishra
·4 months ago·2 min read
ନୂଆପଡ଼ା ପରାଜୟ ପରେ BJDରେ ବିଦ୍ରୋହର ନିଆଁ

Key Points

ପ୍ରାର୍ଥୀ ଚୟନରେ ଥିଲା ତ୍ରୁଟି, ବରିଷ୍ଠଙ୍କୁ କରାଗଲା ଅଣଦେଖା ।
ବିସ୍ଫୋରଣ କଲେ ବିଜେଡିର ବରିଷ୍ଠ ନେତା ଭୂପିନ୍ଦର ସିଂହ ।

ନୂଆପଡ଼ା ପରାଜୟ ପରେ ବିଜେଡିରେ ବିଦ୍ରୋହର ବହ୍ନି । ବିସ୍ଫୋରଣ କଲେ ବିଜେଡିର ବରିଷ୍ଠ ନେତା ଭୂପିନ୍ଦର ସିଂହ । କହିଲେ, ନବୀନଙ୍କୁ ପ୍ରଚାର ପାଇଁ ନେବା.. ବିଜେଡିର ବଡ଼ ଭୁଲ ଥିଲା । ପ୍ରଥମେ ପ୍ରାର୍ଥୀ ଚୟନରେ ତ୍ରୁଟି, ବରିଷ୍ଠଙ୍କୁ ଅଣଦେଖା, ଆଉ ଏବେ ଜଣଙ୍କ ପରେ ଜଣେ ବିଜେଡିର ବରିଷ୍ଠ ନେତା ଖୋଲୁଛନ୍ତି ମୁହଁ । ରାଜନୈତିକ ବିଶେଷଜ୍ଞଙ୍କ ମତ ଆଗକୁ ବିଜେଡିରେ ଉପୁଜିପାରେ ଗୃହ ଯୁଦ୍ଧ ସ୍ଥିତି ।

ନୂଆପଡ଼ା ଉପନିର୍ବାଚନରେ ୩ ନମ୍ବରକୁ ଖସିଲା ବିଜେଡି, ଯାହାକୁ ନେଇ ଦଳରେ ଏବେ ବିଦ୍ରୋହ, ଆଗକୁ ହୋଇପାରେ ବଡ଼ ବିସ୍ଫୋରଣ। ପ୍ରଫୁଲ୍ଲ ସାମଲ, ଏଲିନା ଦାସ, ଅଜିତ ବେହେରାଙ୍କ ପରେ ବରିଷ୍ଠ ନେତା ଭୁପିନ୍ଦର ଉଠାଇଛନ୍ତି ପ୍ରଶ୍ନ । ଭୂପିନ୍ଦର କହିଛନ୍ତି ନୂଆପଡ଼ାରେ ମୋର ଭଲ ଦବଦବା ଥିଲେ ବି ଦଳ କୌଣସି ଦାୟିତ୍ୱ ଦେଇ ନଥିଲା । ପ୍ରାର୍ଥୀ ଚୟନ ସହ ଜୟ ଢ଼ୋଲକିଆଙ୍କ ନାଁ ଆଗୁଆ ଘୋଷଣା ନ କରିବା ବିଜେଡି ପରାଜୟର ଏକ କାରଣ । ତେବେ ସବୁଠୁ ବଡ଼ କଥା ନବୀନଙ୍କ ଏଭଳି ଅବସ୍ଥାରେ ପ୍ରଚାର ପାଇଁ ତାଙ୍କୁ ନେବା ଦଳର ବଡ଼ ଭୁଲ ଥିଲା । ଯେଉଁଥିପାଇଁ ପରାଜୟ ପରେ ବିଜେଡିର ସମ୍ମାନ ଚାଲିଗଲା ବୋଲି କହିଛନ୍ତି ଭୂପିନ୍ଦର ।

ପୂର୍ବରୁ ବିଜେଡିର ସର୍ବେସର୍ବା ଥିବା ପାଣ୍ଡିଆନ ରାଜନୀତି ଛାଡିଥିଲେ ବି ଦଳରେ ବେଶ ସକ୍ରିୟ । ନୂଆପଡ଼ା ଉପନିର୍ବାଚନ ବି ପାଣ୍ଡିଆନ ଓ କୋଟେରୀ ଗ୍ରୁପ ନେତା ପରିଚାଳନା କରୁଥିଲେ । ଆସନ୍ତା ବର୍ଷ ରାଜ୍ୟସଭାର ୪ଟି ଆସନ ଖାଲି ହେଉଥିବା ବେଳେ ବିଜେଡି ଖାତାକୁ ଗୋଟିଏ ପଡ଼ିବ । ଯେଉଁଥିରେ ସୁଜାତା କାର୍ତ୍ତୀକେୟନଙ୍କୁ ବିଜେଡିରେ ଏଣ୍ଟ୍ରି କରାଇ ରାଜ୍ୟସଭା ପଠାଇବାକୁ ଯୋଜନା କରାଯାଉଥିବା ଚର୍ଚ୍ଚା ହେଉଛି । ରାଜନୈତିକ ବିଶେଷଜ୍ଞଙ୍କ ମତ ଏଭଳି ହେଲେ ଆଗକୁ ବିଜେଡିରେ ଗୃହ ଯୁଦ୍ଧ ସ୍ଥିତି ଉପୁଜିପାରେ ।

ନୂଆପଡ଼ା ପରାଜୟ ନେଇ ବିଜେଡିର ବିଭିନ୍ନ ନେତା ଦେଇଥିବା ମନ୍ତବ୍ୟ ଉପରେ ନଜର ପକାଇଲେ ଲାଗୁଛି ବିଜେଡି ଆଉ ସୁଧୁରିବା ସ୍ଥିତିରେ ନାହିଁ । ସମ୍ବିତ ରାଉତରାୟ କହିଥିଲେ-ଏରାଗେରାଙ୍କୁ ଦାୟିତ୍ବ ଦେବା ଦଳ ପାଇଁ ମହଙ୍ଗା ପଡିଲା । ସେହିଭଳି ପ୍ରଫୁଲ୍ଲ ସାମଲ ପରାଜୟର ସମୀକ୍ଷା ପାଇଁ ଦାବି କରିଥିଲେ । ସୁବାସ ସିଂଙ୍କ ମତ ଥିଲା-ବଡ଼ ଶିକ୍ଷା ଦେଇଛି ନୂଆପଡ଼ା । ଏଲିନା ଦାସ ସୋସିଆଲ ମିଡିଆରେ ଲେଖିଥିଲେ କୋମନା ଦାୟିତ୍ବ ନେଇଥିବା କ୍ରୀତଦାସ ଦାୟୀ । ଅଜିତ ବେହେରା ମତ ରଖିଥିଲେ ବହୁମତ ଆଧାରିତ ନଥିଲା ପ୍ରାର୍ଥୀ ଚୟନ । ସେହିଭଳି ନୂଆପଡ଼ାର ବିଜେଡି ନେତା ଭାନୁ ପ୍ରତାପ ସିଂ ମାଝୀ ଖୋଲାଖୋଲି କହିଥିଲେ ବାହାର ପ୍ରାର୍ଥୀ ବିପର୍ଯ୍ୟୟର କାରଣ । ଏବେ ଦଳ ପରାଜୟର ସମୀକ୍ଷା କରୁଛି ନା ଦାୟିତ୍ବ ଦିଆଯାଇଥିବା ନେତାଙ୍କୁ ଘଣ୍ଟ ଘୋଡ଼ାଉଛି ତାହା ଉପରେ ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Politics: ନୂଆପଡ଼ା ପରାଜୟ ପରେ BJDରେ ବିଦ୍ରୋହର ନିଆଁ | Argus News