ଓଡ଼ିଶା ପାଳୁଛି ୮୯ତମ ଉତ୍କଳ ଦିବସ: ମନେ ପଡନ୍ତି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବିନ୍ଧାଣୀ ମାନେ

ଆଜି ଉତ୍କଳ ଦିବସ । ୧୯୩୬ ଏପ୍ରିଲ ୧, ଓଡ଼ିଶା ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ବିଦିତ ଏକ ଅବିସ୍ମରଣୀୟ ତାରିଖ। ଯାହାକୁ ନେଇ ନିଜକୁ ଗର୍ବିତ ଅନୁଭବ କରନ୍ତି ପ୍ରତ୍ୟେକ ଓଡ଼ିଆ । ଯେଉଁ ଦିନ ଭାଷା ଭିତ୍ତିରେ ଗଠନ ହୋଇଥିଲା ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ । ଯେଉଁମାନଙ୍କର ଅଦମ୍ୟ ସାଧନା, ପ୍ରଚେଷ୍ଟା ଲାଗି ଓଡ଼ିଶା ଭାଷା ଭିତ୍ତିରେ ସ୍ବତନ୍ତ୍ର ପରିଚୟ ପାଇପାରିଛି ସେମାନଙ୍କୁ ଆଜି ସମସ୍ତେ ମନେ ପକାଉଛନ୍ତି। ଏହି ଦିନ ବୟାନ କରେ ଓଡ଼ିଶା ରାଜ୍ୟ ଗଠନର ଗୌରବମୟ ଇତିହାସ । ଓଡ଼ିଆ ଜାତିର ତେଜୋଦୀପ୍ତ ଅସ୍ମିତାର ସୁରକ୍ଷା ନେଇ ଏକ ସୁଦୀର୍ଘ ସଂଗ୍ରାମର କାହାଣୀ କୁହେ ଏପ୍ରିଲ ୧ ତାରିଖ ।
ଇଏ ସେହି ଦିନ ଯେଉଁ ଦିନ ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା ପାଇ ଜନ୍ମ ନେଇଥିଲା ଆମ ରାଜ୍ୟ। ମୟୂରଭଞ୍ଜରୁ ମାଲକାନଗିରି, ନୂଆପଡ଼ାରୁ କେନ୍ଦ୍ରାପଡ଼ା, ଆଜି ଯାହା ମାତ୍ର ୩୦ ଜିଲ୍ଲା ଭିତରେ ଆବଦ୍ଧ । ଦିନ ଥିଲା ଏହି ଉତ୍କଳ ଗଙ୍ଗାଠାରୁ ଗୋଦାବରୀ ଯାଏଁ ଥିଲା ପରିବ୍ୟାପ୍ତ । ଆଉ 1936 ମସିହାରେ ଯେତେବେଳେ ସେ ନୂଆ ପରିଚୟ ପାଇଲା ସେତେବେଳେ ଭାଷା ଭିତ୍ତିରେ ଭାରତରେ ଗଠନ ହୋଇଥିଲା ପ୍ରଥମ ରାଜ୍ୟ। ଯାହାର ନାଁ ହେଲା ଓଡ଼ିଶା। ଏହି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ମୁଖ୍ୟ ବିନ୍ଧାଣୀ ସାଜିଥିଲେ ଆମ ମାଟିର ବୀରପୁତ୍ରମାନେ ।
ମାତୃଭାଷା,ଓଡ଼ିଆ,ଓଡ଼ିଶା ଏହା କେବଳ ଗୋଟିଏ ଶବ୍ଦ ନୁହେଁ,ପ୍ରତିଟି ଓଡ଼ିଆଙ୍କ ଭାବାବେଗ । ଓଡ଼ିଆ ଖାଲି କେବଳ ଭାଷା ନୁହେଁ,ପ୍ରତିଟି ଓଡ଼ିଆଙ୍କ ପାଇଁ ସମ୍ପର୍କ ସ୍ଥାପନାର ମୂଳଦୁଆ । ପୁରପଲ୍ଲୀରେ ରହୁଥିବା ଲୋକମାନଙ୍କଠୁ ନେଇ ସହରାଞ୍ଚଳ ପର୍ଯ୍ୟନ୍ତ ସମସ୍ତେ ସହଜରେ ଗୋଟିଏ ସୂତାଖିଅରେ ବାନ୍ଧି ହୋଇଯାଆନ୍ତି ଏହି ମଧୁର ଭାଷା ସହ । ସବୁଠୁ ମଧୁର ଆମ ଭାଷା ଓ ଆମ ସାହିତ୍ୟ ।
ଆଜି ଉତ୍କଳ ଦିବସ ଚଳିତ ବର୍ଷ ୮୯ତମ ଉତ୍କଳ ଦିବସ ପାଳୁଛି ଓଡ଼ିଶା । ଆଜିର ଦିନକୁ ନେଇ ସାରା ରାଜ୍ୟବାସୀ ଉତ୍ସାହିତ ଥିବାବେଳେ ଗର୍ବର ସହ ଉତ୍କଳ ଦିବସ ପାଳନ କରନ୍ତି ପ୍ରତିଟି ଓଡିଆ ।
ଯେତେବେଳେ ଓଡ଼ିଶା ଭାଷାଭିତ୍ତିକ ବିପର୍ଯ୍ୟୟ ଦେଇ ଗତି କରୁଥିଲା,ସେତେବେଳେ କେବଳ ଓଡ଼ିଶାର କବି ଓ ଲେଖକଙ୍କର ସାହିତ୍ୟ ସାଧନା ଅବ୍ୟାହତ ରହିଥିବାରୁ ଓଡ଼ିଆ ଭାଷା-ସଂସ୍କୃତି ଏକ ବିଶାଳ ଭୂଖଣ୍ଡରେ ତିଷ୍ଠି ରହିଥିଲା । କିନ୍ତୁ ଊନବିଂଶ ଶତାବ୍ଦୀରେ ପାଶ୍ଚାତ୍ୟ ଶିକ୍ଷା ଓ ଛାପାଖାନାର ପ୍ରସାର ଫଳରେ ଓଡ଼ିଆ ଭାଷା ଓ ସଂସ୍କୃତି ବିପନ୍ନ ହୋଇପଡ଼ିଲା । ଦୁର୍ଦ୍ଦଶାଗ୍ରସ୍ତ ଓଡ଼ିଆ ଜାତି ପୂର୍ବେ ବହୁ ବାଧାବିଘ୍ନ, ଘଟଣା ଦୁର୍ଘଟଣା ଦେଇ ଗତି କରିଥିଲା । ଓଡ଼ିଶାର ସ୍କୁଲମାନଙ୍କରୁ ଓଡ଼ିଆ ଭାଷା ଉଠାଇଦେଇ ବଙ୍ଗଳା ଭାଷାର ପ୍ରବର୍ତ୍ତନ ଦ୍ବାରା ଓଡ଼ିଶାକୁ ଧୀରେ ଧୀରେ ବଙ୍ଗ ପ୍ରଦେଶରେ ସାମିଲ କରିବାର ବିରାଟ ଚକ୍ରାନ୍ତ ହୋଇଥିଲା । ସେହିପରି ତେଲୁଗୁମାନେ ଦକ୍ଷିଣ ଓଡ଼ିଶାରେ ଆଧିପତ୍ୟ ବିସ୍ତାର ପାଇଁ ମସୁଧା କରିଥିଲେ । ୧୮୯୫ରେ ସମ୍ବଲପୁରରେ ହିନ୍ଦୀକୁ ସରକାରୀ କାର୍ଯ୍ୟ ଓ ଶିକ୍ଷାର ମାଧ୍ୟମକରାଯାଇଥିଲା । ଏହି ପରିସ୍ଥିତିରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକର ଏକତ୍ରୀକରଣ ପାଇଁ ଆରମ୍ଭ ହୋଇଥିଲା ଆନ୍ଦୋଳନ ।
ଓଡିଆ ଭାଷା ସାହିତ୍ୟକୁ ବଞ୍ଚାଇବା ପାଇଁ ୧୯୦୩ରେ ଉତ୍କଳ ସମ୍ମିଳନୀ ଗଠିତ ହୋଇଥିଲା । ଉତ୍କଳଗୌରବ ମଧୁସୂଦନ ଦାସଙ୍କ ନେତୃତ୍ବ ତଥା ବହୁ ରାଜା ଓ ଜମିଦାରଙ୍କ ସହଯୋଗରେ ଭାଷା ଆନ୍ଦୋଳନ ତୀବ୍ରତର ହୋଇଥିଲା । ଶେଷରେ ଜନ୍ମ ନେଇଥିଲା ଭାଷାଭିତ୍ତିକ ସ୍ବତନ୍ତ୍ର ପ୍ରଦେଶ ଓଡ଼ିଶା । ଏହା ଆଧୁନିକ ଓଡ଼ିଶା ଇତିହାସର ଅନ୍ୟତମ ଉଲ୍ଲେଖନୀୟ ଘଟଣା ।
ସେଦିନ ଥିଲା ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାକୁ ମିଳିଥିଲା ସ୍ୱତନ୍ତ୍ର ମାନ୍ୟତା । ପୂର୍ବରୁ ଖଣ୍ଡବିଖଣ୍ଡିତ ଅବସ୍ଥାରେ ପହଞ୍ଚିଥିବା ସୁବିସ୍ତୃତ ଓଡ଼ିଶା ପ୍ରାୟ ପାଞ୍ଚ ଶହ ବର୍ଷ ସୀମାହୀନ, ଜାତିହୀନ ଓ ଭାଷାହୀନ ଅବସ୍ଥାରେ ରହିବା ପରେ ଏହି ଦିନରେ ଏକତ୍ର ହୋଇଥିଲା । ସେବେଠାରୁ ସ୍ବତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶାକୁ ମିଳିଥିବା ମାନ୍ୟତାକୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ‘ଉତ୍କଳ ଦିବସ’ ଭାବେ ପାଳନ କରାଯାଏ ।
ସ୍ୱତନ୍ତ୍ର ଭାଷା ସାହିତ୍ୟ ଓଡ଼ିଶା ଗଠନରେ ଓଡ଼ିଶାର କବି ଓ ଲେଖକମାନେ ସାଜିଥିଲେ କର୍ଣ୍ଣଧାର । ଉତ୍କଳମଣି ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ ସେନାପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ପଣ୍ତିତ ନୀଳକଣ୍ଠ ଦାସ, କବିବର ରାଧାନାଥ ରାୟ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ, ସ୍ବଭାବକବି ଗଙ୍ଗାଧର ମେହେର, କର୍ମବୀର ଗୌରୀଶଙ୍କର ରାୟ ପ୍ରମୁଖଙ୍କ ଅବଦାନ ଅବିସ୍ମରଣୀୟ । ଯୁଗେ ଯଗେ ଓଡିଶା ସହ ଓଡିଆ ଭାଷା ସାହିତ୍ୟ ମଧ୍ୟ ସ୍ୱତନ୍ତ୍ର ହୋଇ ରହିବ ।