ଚଳିତବର୍ଷ ଲଗାତର ଦ୍ବିତୀୟ ଥର ପାଇଁ ଖସିଲା ରେପୋ ରେଟ୍

ଖସିଲା ରେପୋ ରେଟ୍ । ଆରବିଆଇର ଆର୍ଥିକ ମୁଦ୍ରାନୀତି ଘୋଷଣା । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଘୋଷଣା । ରେପୋରେଟ୍ ୨୫ ବେସିସ୍ ପଏଣ୍ଟ ହ୍ରାସ ପାଇ ୬ ପ୍ରତିଶତରେ ପହଞ୍ଚିଲା । ରେପୋ ରେଟ୍ ହ୍ରାସ ପରେ ଗୃହ ଓ କାର ଋଣର କମିବ ମାସିକ କିସ୍ତି । ଲଗାତାର ଦ୍ବିତୀୟ ଥର ପାଇଁ ରେପୋ ରେଟ୍ ହ୍ରାସ ପାଇଛି । ଆରବିଆଇ ପକ୍ଷରୁ ବିଭିନ୍ନ ବାଣିଜ୍ୟିକ ବ୍ୟାଙ୍କକୁ ଦିଆଯାଉଥିବା ସୁଧ ହାରକୁ ରେପୋ ରେଟ୍ କୁହାଯାଇଥାଏ । ତେଣୁ ରେପୋ ରେଟ୍ ହ୍ରାସ ପାଇଲେ ପରବର୍ତ୍ତୀ ପର୍ଯ୍ୟାୟରେ ଗ୍ରାହକଙ୍କୁ ଏହାର ଫାଇଦା ମିଳିଥାଏ ।
ରିଜର୍ଭ ବ୍ୟାଙ୍କର କାମ କ'ଣ ?
ପ୍ରଥମେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଭାରତୀୟ ରିଜର୍ଭ ବ୍ୟାଙ୍କର କାମ କଣ? ଯେମିତି ଆମ ଦେଶରେ ସାଂସଦ ନିର୍ବାଚିତ ହୁଅନ୍ତି ଆଉ ସେମାନଙ୍କ ମଧ୍ୟରୁ ଜଣେ ନେତା ହୁଅନ୍ତି ପ୍ରଧାନମନ୍ତ୍ରୀ, ସେହିଭଳି ରିଜର୍ଭ ବ୍ୟାଙ୍କ ଆମ ଦେଶର ବ୍ୟାଙ୍କମାନଙ୍କର ପ୍ରଧାନମନ୍ତ୍ରୀ । ଦେଶରେ ଯେଉଁ ସରକାରୀ କିମ୍ବା ବେସରକାରୀ ବ୍ୟାଙ୍କ ଚାଲିଥାଏ ଏମାନଙ୍କ କାମ ଦେଖିବା ରିଜର୍ଭ ବ୍ୟାଙ୍କର କାମ । ରିଜର୍ଭ ବ୍ୟାଙ୍କ ଗୋଟିଏ ନୀତି ପ୍ରସ୍ତୁତ କରି ଏହି ସମସ୍ତ ବ୍ୟାଙ୍କକୁ ପ୍ରଦାନ କରିଥାଏ । ଯେଉଁ ଆଧାରରେ ବ୍ୟାଙ୍କ ଗୁଡିକ କାମ କରିଥାନ୍ତି ।
ରେପୋ ରେଟ୍ ଆଉ ରିଭର୍ସ ରେପୋ ରେଟ କ'ଣ?
ଏବେ ଆସିବା ଆଜିର ମୁଖ୍ୟ ପ୍ରଶ୍ନ ଉପରକୁ, ରେପୋ ରେଟ୍ ଆଉ ରିଭର୍ସ ରେପୋ ରେଟ କଣ? ରିଜର୍ଭ ବ୍ୟାଙ୍କର ଅନେକ କାମ ରହିଛି । ଏଥିରୁ ଗୋଟିଏ ପ୍ରମୁଖ କାମ ହେଉଛି ନୀତିଗତ ଦର ଉପରେ ନିଷ୍ପତ୍ତି ନେବା । ପୁଣି ଆଉ ଗୋଟିଏ ନୂଆ ଶବ୍ଧ ଆସିଲା ଯେ ଏହି ନୀତିଗତ ଦର କଣ । ଏହାର ଅର୍ଥ ହେଉଛି ଯେଉଁ ଆଧାରରେ ରିଜର୍ଭ ବ୍ୟାଙ୍କ ସହ ଅନ୍ୟବ୍ୟାଙ୍କର ନେଣଦେଣ ହୋଇଥାଏ । ଏଇ ଯେମିତି ଆପଣ ଗୋଟିଏ ବ୍ୟାଙ୍କ ଖୋଲୁଛନ୍ତି । ନିଜର କାମ ଚଳାଇବା ପାଇଁ ଆପଣଙ୍କୁ ଋଣ ନେବାକୁ ପଡିବ । ଯଦି ଆପଣଙ୍କ କାମ ଭଲ ଚାଲୁଛି ତେବେ ଆପଣ କେଉଁଠି ଟଙ୍କା ରଖିବାକୁ ଚାହିଁବେ । ଏହି ସମୟରେ ସାମ୍ନାକୁ ଆସେ ରିଜର୍ଭ ବ୍ୟାଙ୍କ । ବ୍ୟାଙ୍କ ଗୁଡିକ ଏହି ସମୟରେ ରିଜର୍ଭ ବ୍ୟାଙ୍କ ଠାରୁ ଋଣ ନେଇଥାନ୍ତି । ଏକ ସମୟ ଅବଧି ପାଇଁ ସେମାନେ ଏହି ଋଣ ନେଇଥାନ୍ତି । ଯେଉଁ ସୁଧ ଦେଇ ସେମାନେ ଏହି ଋଣ ନେଇଥାନ୍ତି ତାକୁ ରେପୋ ରେଟ୍ କୁହାଯାଏ । ସେପଟେ ବ୍ୟାଙ୍କକୁ ଯେତେବେଳେ ରିଜର୍ଭ ବ୍ୟାଙ୍କରେ ରଖିବାକୁ ହୋଇଥାଏ ସେତେବେଳେ ଯେଉଁ ସୁଧ ମିଳେ ତାକୁ ରିଭର୍ସ ରେପୋ ରେଟ୍ କୁହାଯାଏ । ରେପୋ ରେଟ୍ ରିଜର୍ଭ ବ୍ୟାଙ୍କ ଅନ୍ୟବ୍ୟାଙ୍କକୁ କେତେ ସୁଧରେ ଋଣ ଦେଇଥାଏ । ରିଭର୍ସ ରେପୋ ରେଟ ହେଉଛି ଯେତେବେଳେ ସେହି ବ୍ୟାଙ୍କ ରିଜର୍ଭ ବ୍ୟାଙ୍କରେ ଯେଉଁ ଟଙ୍କା ରଖିଥାଏ ସେହି ବାବଦରେ ଯେତିକି ସୁଧ ପାଇଥାଏ ।
ରେପୋ ରେଟ୍ ବଢିଲେ କି କମିଲେ କ'ଣ ପ୍ରଭାବ ପଡେ?
ଆପଣଙ୍କ ମନରେ ସାଧରଣରେ ପ୍ରଶ୍ନ ଆସୁଥିବ ଯେ ରେପୋ ରେଟ କମିଲେ କିମ୍ବା ବଢିଲେ କଣ ପ୍ରଭାବ ପଡିଥାଏ । ବ୍ୟାଙ୍କ ଗୁଡିକ ଋଣ ନେବା ପାଇଁ ରିଜର୍ଭ ବ୍ୟାଙ୍କ ପାଖରେ ସରକାରୀବଣ୍ଡକୁ ବନ୍ଧକ ରଖିଥାନ୍ତି । ଯେଉଁ ସୁଧହାରରେ ଋଣ ମିଳିଥାଏ ତାକୁ ରେପୋ ରେଟ କୁହାଯାଏ । ଆପଣଙ୍କୁ ଫାଇଦା ସେତେବେଳେ ହେବ ଯେତେବେଳେ ରିଜର୍ଭ ବ୍ୟାଙ୍କରୁ ଆପଣଙ୍କ ବ୍ୟାଙ୍କକୁ କମ ସୁଧହାରରେ ଋଣ ମିଳିବ । ରେପୋ ରେଟ୍ ଯେତେ କମିବ ଦେଶର ସାଧାରଣ ଜନତାଙ୍କୁ ସେତିକି ଫାଇଦା ମିଳିବ । ରେପୋ ରେଟ୍ କମ ରହିବା ଅର୍ଥ ବ୍ୟାଙ୍କ ଗୁଡିକ ପାଖରେ ଅଧିକ ଟଙ୍କା କ୍ୟାସ ଆକାରରେ ଉପଲବ୍ଧ ରହିଛି । ତେଣୁ ବ୍ୟାଙ୍କ ଯଦି ମାଲାମାଲ ହୁଏ ତେବେ ଲୋକଙ୍କ ଉପରେ ସେ କମ ଚାପ ପ୍ରୟୋଗ କରିବ । ଅର୍ଥାତ ବ୍ୟାଙ୍କ ଆପଣଙ୍କ ପାଖରୁ କମ ସୁଧ ଆଦାୟ କରିବ । ଋଣ ବି ଶସ୍ତା ହେବ । ଯଦି କମ ସୁଧରେ ଆପଣଙ୍କୁ ଋଣ ମିଳିଲା ତେବେ ଆପଣ ଋଣ ନେଇ କେବେ ଘର କରିବେ ତ ଆଉ କେତେବେଳେ ଗାଡି କିଣିବେ କିମ୍ବା ଅନ୍ୟ କୌଣସି କାମରେ ଏହାକୁ ବ୍ୟବହାର କରିବେ । ଟଙ୍କା ବଜାରରେ ବୁଲିବା ଦ୍ୱାରା ରୋଜଗାର ବୃଦ୍ଧି ହେବ ।
