ମୌଳିକ ସୁବିଧାରୁ ବଞ୍ଚିତ ସର୍ଗିପାନିବାସୀ

Key Points
ବିକାଶର ସ୍ୱାଦ ଚାଖିନି ସର୍ଗିପାନି
ମୌଳିକ ସୁବିଧାରୁ ବଞ୍ଚିତ ସର୍ଗିପାନିବାସୀ
ଗାଁକୁ ନାହିଁ ଭଲ ରାସ୍ତା
ବିଜୁଳି ଆଲୁଅ ମଧ୍ୟ ଏମାନଙ୍କ ପାଇଁ ସାତସପନ
ପାନୀୟ ଜଳର ସୁବିଧା ନଥିବାରୁ ଦୂଷିତ ନାଳ ପାଣି ଭରସା
ଦୂଷିତ ପାଣି ପିଇ ବିଭିନ୍ନ ରୋଗର ଶିକାର ଗ୍ରାମବାସୀ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଂଚାୟତର ସର୍ଗିପାନି ଗାଁ । ଏହି ଗାଁରେ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଆଦିବାସୀ ପରିବାର ବସବାସ କରନ୍ତି । ଗାଁକୁ ଯିବାକୁ ହେଲେ ନାହିଁ ଭଲ ରାସ୍ତା, ଜଙ୍ଗଲ ମଧ୍ୟରେ ଥିବା ଏହି ଆବୁଡା ଖାବୁଡ ରାସ୍ତାରେ ଅତି ଦୟନୀୟ ଅବସ୍ଥାରେ ଯାତାୟତ କରନ୍ତି ଏମାନେ । ଅନେକ ସମୟରେ ଦୁର୍ଘଟଣା ହୋଇ ଜୀବନ ହାନି ହେଉଥବା ଅଭିଯୋଗ କରିଛନ୍ତି । ଗାଁକୁ ଆମ୍ବୁଲାନ୍ସ ଆସି ପାରୁନଥିବାରୁ ରୋଗୀ ହୁଅନ୍ତୁ ଅବା ଗର୍ଭବତୀ, ମେଡିକାଲ ନେବା ପାଇଁ ଦୀର୍ଘ ୧୨ କିମି ବିରିମୁହାଣ ଛକକୁ ଖଟିଆରେ ବୋହି ନେବାକୁ ପଡେ । ଏମାନଙ୍କ ପାଇଁ ବିଜୁଳି ଆଲୁଅ ମଧ୍ୟ ସାତସପନ ।
ଗାଁରେ ପାନୀୟ ଜଳ ପାଇଁ ନଳକୂପ ନଥିବାରୁ ଗ୍ରାମବାସୀ ବାଧ୍ୟ ହୋଇ ଗାଁ ପାଖରେ ଥିବା ନାଳର ଦୂଷିତ ପାଣି ବ୍ୟବହାର କରୁଛନ୍ତି । ଏହି ଦୂଷିତ ପାଣି ପିଇ ଅନେକ ସମୟରେ ଗ୍ରାମବାସୀ ମାରାତ୍ମକ ରୋଗରେ ଆକ୍ରାନ୍ତ ହେବା ସହ ମୃତ୍ୟୁ ମୁଖରେ ପଡୁଥିବା ଅଭିଯୋଗ ହୋଇଛି । ଏମିତିରେ ରାସ୍ତା ସହ ବିଦ୍ୟୁତ, ପାଣି ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । ସେପଟେ ସମସ୍ୟା ନେଇ ସ୍ଥାନୀୟ ଉପାଧ୍ୟକ୍ଷଙ୍କୁ ଯୋଗାଯୋଗ କରିବା ପରେ ସେ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି ।
୨୪ ବର୍ଷର ସ୍ଥିର ବିଜେଡି ସରକାରରେ ବିକାଶ କେବଳ କାଗଜ କଲମରେ ରହିଗଲା, ସମସ୍ୟାର ସମାଧାନ ହେଲା ନାହିଁ । ରାଜ୍ୟରେ ବିଜେପି ସରକାର ଆସିଥିବାରୁ ଲୋକଙ୍କ ଭରସା ନିଶ୍ଚିନ୍ତ ସମାଧାନ ହେବ ସମସ୍ୟା ।