ବଢ଼ୁଛି ସଡ଼କ ଦୁର୍ଘଟଣା, ଗୋଟିଏ ମାସରେ ଯାଇଛି ୫୦୫ ଜଣଙ୍କ ଜୀବନ !

ରାଜ୍ୟରେ ବଢୁଛି ସଡ଼କ ଦୁର୍ଘଟଣା । ଗତ ପାଞ୍ଚ ବର୍ଷର ରେକର୍ଡ ଦେଖିଲେ ବର୍ଷକୁ ହାରାହାରି ୧୧ହଜାର ୩୬୬ଟି ଦୁର୍ଘଟଣା ଘଟୁଛି ରାଜ୍ୟରେ । ସେଥିରେ ୫୪୩୩ ଜଣଙ୍କ ଜୀବନ ଯାଇଥିବା ବେଳେ ୧୦ ହଜାର ୮ଜଣ ଆହତ ହୋଇଥିବା ତଥ୍ୟ ରହିଛି । ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗୃହରେ ଉତ୍ତର ରଖିଛନ୍ତି । ଯାନବାହାନ ସଂଖ୍ୟାର ଦ୍ରୁତ ବୃଦ୍ଧି ଓ ସଡ଼କ ସୁରକ୍ଷା ନିୟମ ଉଲଂଘନ ଯୋଗୁଁ ଅଧିକ ଦୁର୍ଘଟଣା ଘଟୁଥିବା ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଦେଖିବାକୁ ଗଲେ କେବଳ ସଡ଼କ ସୁରକ୍ଷା ମାସରେ ୮୪୮ ଦୁର୍ଘଟଣା ଘଟିଥିବା ବେଳେ ୫୦୫ ଜଣଙ୍କ ମୁଣ୍ଡ ନେଇଛି ସଡ଼କ ଦୁର୍ଘଟଣା । ଏଥିରେ ୪୭୨ ଜଣ ଆହତ ହୋଇଛନ୍ତି । ତେବେ ସଡ଼କ ସୁରକ୍ଷା ସଚେତନତା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ଏକ କୋଟି ୮୯ ଲକ୍ଷ ୬୬ ହଜାର ୬୯୪ ଟଙ୍କା । ଏପରି ଉଦବେଗଜନକ ଉତ୍ତର ଗୃହରେ ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା ।
ଗତ ୨୦୨୩ରେ ମୋଟ ୧୨ ହଜାର ୫୨ଟି ସଡ଼କ ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ୫ ହଜାର ୬୯୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାରି ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୪୪୮ ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ୨୦୧୯ରୁ ୨୦୨୩ ମଧ୍ୟରେ ମୋଟ ୫୫ ହଜାର ୫୮୦ଟି ସଡକ ଦୁର୍ଘଟଣା ଘଟିଥିଲା ।
ତେବେ ଗତକାଲି ମଧ୍ୟ ରାଜ୍ୟରେ ଏକ ଭୟଙ୍କ ଦୁର୍ଘଟଣା ଘଟିଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗାଁ ନିକଟ ତିନିଆମ୍ବ ଛକରେ ବୁଧବାର ସକାଳ ପ୍ରାୟ ସାଢ଼େ ୮ଟାରେ ସ୍କୁଲ ମିନି ବସ୍କୁ ଏକ ପଥର ଚିପ୍ସ ବୋଝେଇ ଟ୍ରାକ୍ଟର ଧକ୍କା ଦେଇଥିଲା। ଫଳରେ ସିଦ୍ଧେଶ୍ୱର ଗ୍ରାମର ବସ୍ ଚାଳକ ସମୀର ରଣା (୨୫) ଗୁରୁତର ଆହତ ହୋଇଥିଲେ। ସ୍କୁଲ ମିନି ବସ୍ରେ ଥିବା ସମସ୍ତ ଛାତ୍ରୀଛାତ୍ର ସୁରକ୍ଷିତ ଥିବା ଜଣାପଡିଛି।
📱 Get Argus News App
✨ ସକାଳେ ଦିଗପହଣ୍ଡିସ୍ଥିତ ଜ୍ଞାନଶ୍ରୀ ପବ୍ଲିକ ସ୍କୁଲ ବସ୍ ନଂ.( ଓଆର୦୭ କ୍ୟୁ – ୪୮୦୫)ଗୋକର୍ଣ୍ଣପୁରରୁ ଛାତ୍ରୀଛାତ୍ରଙ୍କୁ ନେଇ କେଦାରପୁର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ପଥର ଚିପ୍ସ ବୋଝେଇ ଟ୍ରାକ୍ଟର ନଂ.(ଓଡି ୦୭ ଜେ -୯୦୩୦) ଦ୍ରୁତଗତିରେ ଆସି ବସ୍କୁ ଧକ୍କା ଦେଇଥିଲା। ବସ୍ର ସାମ୍ନାଭାଗ ଭାଙ୍ଗି ରୁଜି ଯାଇଛି। ଚାଳକ ସମୀର ଡ୍ରାଇଭର ସିଟରେ ଚାପି ହୋଇ ରହିଥିଲେ।
ଖବରପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଓ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଉପସ୍ଥିତ ଲୋକଙ୍କ ସହାୟତାରେ ଚାଳକ ସମୀରଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।