Shed Collapse / ପ୍ରବଳ ବର୍ଷାରେ ବେହାଲ ରାଉରକେଲା: ଷ୍ଟେସନରେ ଭୁଶୁଡ଼ିଲା ଅସ୍ଥାୟୀ ସେଡ୍; ଯାତ୍ରୀ ଆହତ

Key Points
ଅସ୍ଥାୟୀ ସେଡ୍ ଭାଙ୍ଗିବା ଫଳରେ କିଛି ଯାତ୍ରୀ ଆହତ ।
ଭୁଶୁଡ଼ିଲା ଯାତ୍ରୀ ସେଡ୍, ୩ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି ।
ଜଳମଗ୍ନ ଇସ୍ପାତ ସହର ରାଉରକେଲା ।
ବର୍ଷାରେ ବେହାଲ ରାଉରକେଲା... ଷ୍ଟେସନରେ ଅଘଟଣ ! ପ୍ରବଳ ବର୍ଷା ଓ ପବନରେ ରାଉରକେଲା ରେଳ ଷ୍ଟେସନର ପ୍ରଥମ ପ୍ରବେଶ ପଥ ନିକଟରେ ଥିବା ଅସ୍ଥାୟୀ ଟେଣ୍ଟ ହଠାତ୍ ଭୁଶୁଡ଼ି ପଡ଼ିଛି । ଟେଣ୍ଟ ତଳେ ଥିବା କିଛି ଯାତ୍ରୀ ଆହତ ହୋଇଥିବା ବେଳେ କିଛି ଜଣଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାଥାଉ କି ପ୍ରବଳ ବର୍ଷାରେ ବେହାଲ ହୋଇପଡ଼ିଛି ରାଉରକେଲା ସହର । ଲଗାଣ ବର୍ଷାର ପ୍ରଭାବ ସିଧାସଳଖ ଦେଖିବାକୁ ମିଳିଛି ରାଉରକେଲା ରେଳ ଷ୍ଟେସନରେ । ଷ୍ଟେସନର ପ୍ରଥମ ପ୍ରବେଶ ପଥ ନିକଟରେ ଯାତ୍ରୀଙ୍କ ସୁବିଧା ପାଇଁ ଲଗାଯାଇଥିବା ଅସ୍ଥାୟୀ ଟେଣ୍ଟ ପ୍ରବଳ ବର୍ଷା ଓ ପବନରେ ହଠାତ୍ ଭୁଶୁଡ଼ି ପଡ଼ିଛି । ଫଳରେ ଟେଣ୍ଟ ତଳେ ଥିବା କିଛି ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି ।
ଆହତ ଯାତ୍ରୀଙ୍କ ମଧ୍ୟରୁ ୨ରୁ ୩ ଜଣଙ୍କୁ ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ଷା ଆରମ୍ଭ ହେବା ମାତ୍ରେ ଷ୍ଟେସନ ପରିସରରେ ଏଭଳି ଅଘଟଣ ଘଟିବାରୁ ଯାତ୍ରୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଛି ।
ଅନ୍ୟପଟେ, ଷ୍ଟେସନର ଦ୍ୱିତୀୟ ପ୍ରବେଶ ପଥରେ ମଧ୍ୟ ବର୍ଷାର ଭୟଙ୍କର ପ୍ରଭାବ ଦେଖିବାକୁ ମିଳିଛି । ରାସ୍ତାରେ ଲହଡ଼ି ମାରୁଛି ବର୍ଷା ପାଣି । ପାଣି ଜମିଯିବାରୁ ଅନେକ ବାଇକ୍ ଓ ଅଟୋ ଅଧା ବୁଡ଼ି ରହିଛି । ଜଳ ନିଷ୍କାସନକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ । ରାଉରକେଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଏବେ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି ।
ସେପଟେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା । ୧୧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର । ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା, ବଲାଙ୍ଗିର, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଓ ମୟୁରଭଞ୍ଜ । ସେହିପରି କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ଅନୁଗୁଳ, ଦେବଗଡ ଓ ସମ୍ବଲପୁରରେ ଏହି ୧୦ ଜିଲ୍ଲାରେ ବିଜୁଳି ଘଡଘଡି ସହ ୩୦ରୁ ୪୦ କି.ମି. ଝଟକା ପବନ ବହିବା ସମ୍ଭାବନାକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ସୋମବାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, କଟକ, ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ, କୋରାପୁଟ ଓ ନବରଙ୍ଗପୁର ଏହି ୯ ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ । ସେହିପରି ଗଜପତି, ମାଲକାନଗିରି, ନୟାଗଡ, କଳାହାଣ୍ଡି, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ, ଦେବଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଓ ବରଗଡ଼ ଏହି ୧୧ ଜିଲ୍ଲାରେ ବିଜୁଳି ଘଡଘଡି ସହ ୩୦ରୁ ୪୦ କି.ମି. ବେଗରେ ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ରାଜ୍ୟରେ ୧୫ ତାରିଖ ଯାଏ ବର୍ଷା ସହ ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଚେତାବନୀ ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପାଣିପାଗ ବିଶେଷଜ୍ଞ କହୁଛନ୍ତି ଆସନ୍ତା ସପ୍ତାହେ ଯାଏଁ ବର୍ଷା ଜାରି ରହିବ । ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିବ । ଗତ ୨୪ ଘଣ୍ଟାରେ ଗୋଟିଏ ସ୍ଥାନରେ ଅତି ପ୍ରବଳ ସହ ୨୦ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ବଲାଙ୍ଗିରର ଆଗଲପୁରରେ ୧୩୨ମିମି ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି।
📱 Get Argus News App
✨Related Topics
Explore more stories