Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Hockey india league / ଆସନ୍ତା କାଲି ଠାରୁ ରାଉରକେଲାରେ ପୁରୁଷ ହକି ପ୍ରୋ-ଲିଗ୍‌, ଚମକିବେ ୫ ଓଡ଼ିଆ

Bikash Mohanty
Browse all articles by Bikash Mohanty
·5 months ago·3 min read
ଆସନ୍ତା କାଲି ଠାରୁ ରାଉରକେଲାରେ  ପୁରୁଷ ହକି ପ୍ରୋ-ଲିଗ୍‌, ଚମକିବେ ୫ ଓଡ଼ିଆ
HIL

Key Points

ଆସନ୍ତା କାଲି ଠାରୁ ପୁରୁଷ ହକି ପ୍ରୋ-ଲିଗ୍‌
ଖେଳିବେ ୫ ଓଡ଼ିଆ ଖେଳାଳି
ଅମିତ ରୋହିଦାସ, ଅମନଦୀପ ଲାକ୍ରା, ରୋଶନ କୁଜୁର, ଶୀଳାନନ୍ଦ ଲାକ୍ରା ଓ ନୀଳମ ସଞ୍ଜୀପ ଖେସ୍‌
କ୍ରୀଡା ସମ୍ବାଦ: ଆସନ୍ତା କାଲି ଠାରୁ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହେବ ପୁରୁଷ ହକି ପ୍ରୋ-ଲିଗ୍‌। ଏହାକୁ ଚାତକପରି ଚାହିଁବସିଛନ୍ତି ଜିଲ୍ଲାର ଅସଂଖ୍ୟ ହକିପ୍ରେମୀ। ତେବେ ଏଥର ଏହି ସମ୍ମାନଜନକ ପ୍ରତିଯୋଗିତା ସ୍ଥାନୀୟ ହକିପ୍ରେମୀଙ୍କ ଉତ୍କଣ୍ଠା ଓ ଉତ୍ସାହକୁ ଦ୍ବିଗୁଣିତ କରିଛି, କାରଣ ଏଥର ୨୪ ଜଣିଆ ଭାରତୀୟ ଦଳରେ ଅଛନ୍ତି ସୁନ୍ଦରଗଡ଼ ଜନ୍ମିତ ୫ ଜଣ ଖେଳାଳି। ଏହି ତାରକା ଖେଳାଳି ହେଉଛନ୍ତି ଅମିତ ରୋହିଦାସ, ଅମନଦୀପ ଲାକ୍ରା, ରୋଶନ କୁଜୁର, ଶୀଳାନନ୍ଦ ଲାକ୍ରା ଓ ନୀଳମ ସଞ୍ଜୀପ ଖେସ୍‌।

ଭାରତର ପ୍ରତିରକ୍ଷାର ଶକ୍ତିଶାଳୀ ସ୍ତମ୍ଭଭାବେ ପରିଚିତ ଅମିତ ସଦ୍ୟ ସମାପ୍ତ ହକି ଇଣ୍ଡିଆ ଲିଗରେ ଉନ୍ନତ ପ୍ରଦର୍ଶନ କରିଥିଲେ। ସେ ରାଉରକେଲାରେ ଘରୋଇ ଦର୍ଶକଙ୍କ ସମ୍ମୁଖରେ ବିଶ୍ବକପ, ହକି ପ୍ରୋଲିଗ୍‌, ଏଚ୍‌ଆଇଏଲ୍‌ରେ ପଡ଼ିଆକୁ ଓହ୍ଲାଇ ନିଜର ଚମତ୍କାର କ୍ରୀଡ଼ାନୈପୁଣ୍ୟ ଦେଖାଇସାରିଛନ୍ତି। ତାଙ୍କ ସହ ପ୍ରତିରକ୍ଷା ଲାଇନ୍‌ରେ ଯୋଗଦେବେ ଅମନଦୀପ ଲାକ୍ରା।। ଏହି ୨୧ ବର୍ଷୀୟ ଡ୍ରାଗ୍-ଫ୍ଲିକର୍‌ ନିକଟ ଅତିତରେ ଶେଷ ହୋଇଥିବା ହକି ଇଣ୍ଡିଆ ଲିଗ୍‌ରେ ‘ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି’ ପୁରସ୍କାର ଲାଭ କରିଥିଲେ। ଏତଦ୍‌ବ୍ୟତୀତ ମଧ୍ୟକ୍ଷେତ୍ରରେ ରୋଶନ କୁଜୁରଙ୍କ ବହୁ ପ୍ରତୀକ୍ଷିତ ପଦାର୍ପଣ ଦେଖିବାକୁ ମିଳିବ। ୨୦୨୫ କନିଷ୍ଠ ବିଶ୍ୱକପରେ ବ୍ରୋଞ୍ଜ ପଦକ ହାସଲ କରିବା ତଥା ଏଚ୍‌ଆଇଏଲ୍‌ ବିଜେତା ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଦଳର ଅଭିନ୍ନ ଅଙ୍ଗ ଥିଲେ। ପ୍ରତିରକ୍ଷାରେ ନିର୍ଭରଯୋଗ୍ୟ ନୀଳମ ସଞ୍ଜୀପ ଖେସ୍‌ ଓ ଫରୱାର୍ଡ୍‌ ଲାଇନ୍‌ରେ ଶିଳାନନ୍ଦ ଲାକ୍ରା ଅଛନ୍ତି। ଉଭୟେ ପୂର୍ବରୁ ଅନ୍ତର୍ଜାତୀୟସ୍ତରରେ ସେମାନଙ୍କର ଦକ୍ଷତା ପ୍ରମାଣିତ କରିସାରିଛନ୍ତି।

ଅମିତ ରୋହିଦାସ ହେଉଛନ୍ତି ଭାରତୀୟ ବ୍ୟାକଲାଇନ୍‌ର ଅଭିଜ୍ଞ ସ୍ତମ୍ଭ ଓ ଦୁଇ ଥର ଅଲିମ୍ପିକର କାଂସ୍ୟ ପଦକ ବିଜେତା। ସେ ହକି ଇଣ୍ଡିଆ ଲିଗ୍‌ରେ ତାମିଲନାଡୁ ଡ୍ରାଗନ୍ସର ନେତୃତ୍ୱ ନେଇଥିଲେ, ଯେଉଁଠାରେ ତାଙ୍କର ନେତୃତ୍ୱ ଓ ପ୍ରତିରକ୍ଷା ପାଇଁ ପ୍ରଶଂସିତ ହୋଇଥିଲେ। ପେନାଲ୍ଟି କର୍ଣ୍ଣର, ଡ୍ରାଗ୍-ଫ୍ଲିକ୍ ପାଇଁ ଜଣାଶୁଣା, ଅମିତ ହେଉଛନ୍ତି ଭାରତୀୟ ଦଳର ସବୁଠାରୁ ଅଭିଜ୍ଞ ଓ ନିର୍ଭରଯୋଗ୍ୟ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ। ସେ ଗତ ୨୦୨୫ରେ ଦ୍ୱାଦଶ ପୁରୁଷ ଏସିଆ କପ୍‌ରେ ସ୍ୱର୍ଣ୍ଣପଦକ ଓ ସୁଲତାନ ଆଜଲାନ ଶାହ କପ୍‌ରେ ଭାରତୀୟ ଦଳ ରୌପ୍ୟପଦକ ଜିତିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଅମିତ ପୂର୍ବରୁ ଏକାଧିକ ମ୍ୟାଚ୍‌ ଏହି ଷ୍ଟାଡିୟମରେ ଖେଳିଛନ୍ତି। ଏମିତିକି ତାଙ୍କୁ ଭରପୂର ସମର୍ଥନ ମିଳିଥିବାବେଳେ ଏଥର ମଧ୍ୟ ଏହା ବଳବତ୍ତର ରହିବ।

ପଢ଼ନ୍ତୁ ଏହି ଖବର: ହକି ଇଣ୍ଡିଆ ଲିଗରେ ବେଦାନ୍ତ କଳିଙ୍ଗ ଲାନସର୍ସ ଚାମ୍ପିଅନ, ୩-୨ରେ ରାଞ୍ଚିକୁ ଦେଲା ମାତ୍

ମାତ୍ର ୨୧ ବର୍ଷ ବୟସରେ ପ୍ରଥମଥର ପାଇଁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ମିଡ୍‌ଫିଲ୍‌ଡର୍‌ ରୋଶନ କୁଜୁର। ରାଉରକେଲାରେ ହେବାକୁ ଥିବା ପ୍ରୋ-ଲିଗ୍‌ରେ ସେ ଅନ୍ତର୍ଜାତୀୟ ପଦାର୍ପଣ କରିବେ। ସଦ୍ୟ ସମାପ୍ତ ଏଚ୍‌ଆଇଏଲ୍‌ରେ ବିଜେତା ବେଦାନ୍ତ କଳିଙ୍ଗ ଲାନ୍ସର୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମଧ୍ୟକ୍ଷେତ୍ରରେ ଅସାଧାରଣ ଗତି, ପ୍ରତିରକ୍ଷା ରେଖା ଭେଦ କରିବାର କ୍ଷମତା ତଥା ସୃଜନଶୀଳ ଖେଳ ପାଇଁ ସେ ପରିଚିତ। ଏହାସହ ଚାପମୁକ୍ତ ହୋଇ ଖେଳିବାର କଳା, ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଛି। ଏଚ୍‌ଆଇଏଲ୍‌ ସଫଳତା ପୂର୍ବରୁ, ସେ ଚେନ୍ନାଇରେ ଅନୁଷ୍ଠିତ କନିଷ୍ଠ ବିଶ୍ୱକପ୍‌ରେ ବ୍ରୋଞ୍ଜ୍‌ ପଦକ ହାସଲ କରିଥିବା ଭାରତୀୟ କନିଷ୍ଠ ଦଳର ଜଣେ ପ୍ରମୁଖ ସଦସ୍ୟ ଥିଲେ। ଏହି ଉଦୀୟମାନ ଖେଲାଳି କନିଷ୍ଠରୁ ବରିଷ୍ଠ ଦଳରେ ସାମିଲହେବା ଜିଲ୍ଲାର ହକିପ୍ରେମୀଙ୍କୁ ଖୁସି ଆଣିଦେଇଛି।

ଡିଫେଣ୍ଡର ଅମନଦୀପ ଏଚ୍‌ଆଇଏଲ୍‌ ୨୦୨୫-୨୬ ସିଜିନ୍‌ରେ ସର୍ବଶ୍ରେଷ୍ଠ ଖେଳାଳିଭାବେ ଉଭା ହୋଇଛନ୍ତି। ଏଥିରେ ହାଇଦ୍ରାବାଦ ତୁଫାନ୍ସର ପ୍ରତିନିଧିତ୍ୱ କରିଥିବା ଅମନଦୀପ ପ୍ରତିଯୋଗିତାର ଶ୍ରେଷ୍ଠ ପୁରସ୍କାର ଲାଭ କରିବାସହ ୯ଟି ଗୋଲ୍‌ ଦେଇ ଶୀର୍ଷ ଭାରତୀୟ ସ୍କୋରର୍‌ ଭାବେ ଲିଗ୍ ଶେଷ କରିଥିଲେ। ତୁଫାନ୍ସର କାଂସ୍ୟ ପଦକ ଜିତିବାରେ ତାଙ୍କର ପ୍ରଦର୍ଶନ ଗୁରୁତ୍ୱପୂର୍ଣ୍ଣ ଥିଲା, ବିଶେଷକରି ତୃତୀୟ/ଚତୁର୍ଥ ସ୍ଥାନ ପ୍ଲେ’ଅଫ୍‌ରେ ତାଙ୍କର ପ୍ରଦର୍ଶନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସୁନ୍ଦରଗଡ଼ରେ ଜନ୍ମିତ ଅମନଦୀପ ତାଙ୍କ ପିତା, ଜଣେ ହକି ପ୍ରଶିକ୍ଷକଙ୍କ ଐତିହ୍ୟକୁ ଅନୁସରଣ କରୁଛନ୍ତି ଓ କନିଷ୍ଠ ବିଶ୍ୱକପ୍ ଦଳରୁ ବରିଷ୍ଠ ଭାରତୀୟ ଦଳକୁ ଲମ୍ଫ ପ୍ରଦାନ କରିଛନ୍ତି।

ତେବେ ବେଲଜିୟମ ଓ ଆର୍ଜେଣ୍ଟିନା ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ଭାରତୀୟ ଦଳକୁ ଆହୁରି ମଜବୁତ୍‌ କରିବାସହ ନୂତନ ଶକ୍ତି ଯୋଗାଇବେବୋଲି ଆଶା ରଖିଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hockey india league | Rourkela Mens Hockey Pro League | 5 Odia Players to Shine | Argus News