କେନ୍ଦୁଝରରେ DMF ପାଣ୍ଠି ଖର୍ଚ୍ଚରେ ବଡ଼ କେଳେଙ୍କାରୀ ଅଭିଯୋଗ

Key Points
୫୭ ଡାକ୍ତର ନେଇଛନ୍ତି ୪୭.୭୭ କୋଟି ଟଙ୍କା
ଦିନକୁ ୪ ଘଣ୍ଟା ରୋଗୀ ଦେଖିବାକୁ ଡାକ୍ତର ନେଇଛନ୍ତି ୩୦ ହଜାର ଟଙ୍କା
ରୋଗୀ ପାଇଲେନି ସୁବିଧା, ବ୍ୟାପକ ଅନିୟମିତତା ଅଭିଯୋଗ
ବଡ଼ ପ୍ରଶ୍ନ DMF ପାଣ୍ଠି ଆସିଥିଲା କାହିଁକି ?
କେନ୍ଦୁଝର: ସ୍ଵାସ୍ଥ୍ୟସେବା ଆଳରେ ଡିଏମ୍ଏଫ୍ରୁ ୫୭ ଜଣ ଡାକ୍ତରଙ୍କୁ ପାରିତୋଷିକ ବାବଦରେ ୪୭ କୋଟି ୭୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ପ୍ରତିଥର ପାଇଁ ଜଣେ ଜଣେ ଡାକ୍ତରଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ଦିଆଯାଇ ଥିବାର ଆସିଛି ସାଂଘାତିକ ଅଭିଯୋଗ । ଏସବୁ ହୋଇଥିଲା ତତ୍କାଳୀନ ଜିଲ୍ଲାପାଳ ଆଶିଷ ଠାକରେଙ୍କ ସମୟରେ ।
କେନ୍ଦୁଝର ଜିଲ୍ଲାବାସୀଙ୍କୁ ଉତ୍ତମ ଚିକିତ୍ସାସେବା ଯୋଗାଇବା ପାଇଁ ସୁପର ସ୍ପେଶାଲିଟି ଡାକ୍ତରମାନଙ୍କୁ ନିଯୁକ୍ତି ଦିଆ ଯାଇଥିଲା । ଏମାନଙ୍କ ପାରିତୋଷିକ ବାବଦକୁ ଡିଏମ୍ଏଫ ପାଣ୍ଠିରୁ ଅର୍ଥ ପ୍ରଦାନ କରାଯାଇ ଥିଲା। ତତ୍କାଳୀନ ଜିଲ୍ଲାପାଳ ଆଶିଷ ଠାକରେ ଯୋଗ ଦେବା ପରେ ୨୦୧୮-୧୯ ଆର୍ଥିକ ବର୍ଷରେ ୧ କୋଟି ୧୯ ଲକ୍ଷ ୮୮ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।
ଏହି ଖର୍ଚ୍ଚ ବଢ଼ି ୨୦୨୩-୨୪ରେ ୯ କୋଟି ୫୮ ଲକ୍ଷ ୧୮ ହଜାର ଟଙ୍କାରେ ପହଞ୍ଚିଥିଲା । ରୋଗୀ ସେବା ଆଳରେ ଡାକ୍ତରଙ୍କୁ ପାରିତୋଷିକ ବାବଦକୁ ଡିଏମ୍ଏଫ୍ରୁ ପୂର୍ବତନ ଜିଲ୍ଲାପାଳ ଆଶିଷ ଠାକ୍ରେ ମନଇଚ୍ଛା ଖର୍ଚ୍ଚ କରିଥିବା ସୂଚନା ଅଧିକାର କର୍ମୀ ହିମାଂଶୁ ଶେଖର ନାୟକ ଅଭିଯୋଗ କରିଛନ୍ତି ।
ସୂଚନା ଅଧିକାର କର୍ମୀଙ୍କ ଅଭିଯୋଗ ଅନୁସାରେ, ୫୭ ଡାକ୍ତର ନେଇଛନ୍ତି ୪୭.୭୭ କୋଟି ଟଙ୍କା । ଡିଏମଏଫରୁ ନିଯୁକ୍ତି ପାଇଥିବା ୫୭ ଜଣ ଡାକ୍ତରଙ୍କ ମଧ୍ୟରୁ ୨୬ ଜଣ କେବଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଛନ୍ତି । ନିଯୁକ୍ତି ପାଇଥିବା ଅଧିକାଂଶ ଡାକ୍ତର ୪ ଘଣ୍ଟା ରୋଗୀ ଦେଖିବାକୁ ୩୦ ହଜାର ଟଙ୍କା ନେଇଛନ୍ତି ।
📱 Get Argus News App
✨
ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ନିଯୁକ୍ତି ପାଇଥିବା ଡାକ୍ତର ଉଦୟ ଭାସ୍କର ପଣ୍ଡାଙ୍କୁ ମାସିକ ପାରିତୋଷିକ ବାବଦକୁ ୧ ଲକ୍ଷ ୫୦ ହଜାର ଟଙ୍କା ଦିଆଯାଇଛି । ଡାକ୍ତର ଦେବକାନ୍ତ ମିଶ୍ର, ଡାକ୍ତର ଦିବ୍ୟସୁନ୍ଦର ମହାନ୍ତ, ଡାକ୍ତର ମାନଭଞ୍ଜନ ଜେନା ଓ ଡାକ୍ତର ଦୀପକ ନାରାୟଣ ଲେଙ୍କାଙ୍କୁ ପ୍ରତିଥର ପାଇଁ ୩୦ ହଜାର ଲେଖାଏଁ ପ୍ରଦାନ କରାଯାଇଛି । ସେହିପରି ଡାକ୍ତର କ୍ଷୀରୋଦ ଚନ୍ଦ୍ର ସାହୁଙ୍କୁ ୨୮ ହଜାର, ଡାକ୍ତର ସ୍ଵୟଂସୁଧା ପଣ୍ଡା ୩୦ ହଜାର ଟଙ୍କା ନେଇଛନ୍ତି । ଡାକ୍ତର ଜିଙ୍ଗା ଉମାମହେଶ୍ଵର ରାଓ ମାସକୁ ୨ ଲକ୍ଷ ଟଙ୍କା ପାରିତୋଷିକ ନେଉଥିବା ଜଣାପଡ଼ିଛି ।
ରୋଗୀସେବା ପାଇଁ ଡିଏମଏଫ୍ରୁ ୨୦୧୯-୨୦ ଆର୍ଥିକ ବର୍ଷରେ ୪ କୋଟି ୬୮ ଲକ୍ଷ ୧୨ ହଜାର ୭୧୫ ଟଙ୍କା, ୨୦୨୦-୨୧ ଆର୍ଥିକ ବର୍ଷରେ ୭ କୋଟି ୨୪ ଲକ୍ଷ ୮୩ ହଜାର ୩୦୫ ଟଙ୍କା, ୨୦୨୧-୨୨ ଆର୍ଥିକ ବର୍ଷରେ ୮ କୋଟି ୯୭ ଲକ୍ଷ ୧୩ ହଜାର ୬୫ ଟଙ୍କା, ୨୦୨୨-୨୩ ଆର୍ଥିକ ବର୍ଷରେ ୮ କୋଟି ୬୫ ଲକ୍ଷ ୫ ହଜାର ୩୫୮ ଟଙ୍କା ଓ ୨୦୨୪-୨୫ ଆର୍ଥିକ ବର୍ଷରେ ୭ କୋଟି ୪୨ ଲକ୍ଷ ୪ ହଜାର ୨୩୮ ଟଙ୍କା ଖର୍ଚ୍ଚ କରାଯାଇଛି ।
ରୋଗୀସେବା ଆଳରେ ପାଣି ଭଳି ଅର୍ଥ ଖର୍ଚ୍ଚ ହୋଇଥିଲେ ମଧ୍ୟ ଲୋକେ ଉପକୃତ ହୋଇ ପାରୁନଥିବା ଅଭିଯୋଗ ହୋଇଛି । ଏନେଇ ଆମେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଯୋଗାଯୋଗ କରିଥିବା ବେଳେ କ୍ୟାମେରା ସମ୍ମୁଖରେ ସେ ମୁହଁ ଖୋଲିନାହାନ୍ତି । ବଡ଼ ପ୍ରଶ୍ନ DMF ପାଣ୍ଠି ଆସିଥିଲା କାହିଁକି ? ଯେଉଁମାନଙ୍କ ମାଟି ତଳେ ଖଣି ସେମାନେ ବିସ୍ଥାପିତ, ଭୋଗୁଛନ୍ତି ଅସୁବିଧା ।