ରାଜନୀତିରେ ରେଭେନ୍ସା : ଅଯଥା ପ୍ରସଙ୍ଗ କହିଲା ବିଜେପି

Key Points
- ରାଜନୀତିରେ ରେଭେନ୍ସା
- ବିତର୍କ ପାଇଁ ଆହ୍ଵାନ ଦେଇଥିଲେ ଧର୍ମେନ୍ଦ୍ର
- ଅଯଥା ରାଜନୀତି କରୁଛି କିଏ ?
ଅର୍ଗସ ବ୍ୟୁରୋ: ରେଭେନ୍ସାକୁ ନେଇ ଥମୁନି ରାଜନୀତି । ନାଁ ପରିବର୍ତ୍ତନକୁ ନେଇ ବିତର୍କ ହେବା ଦରକାର ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ଵାନ ଦେଇଥିଲେ । ହେଲେ ଏହାକୁ ନେଇ ବିଜେଡି ନେତା ବିତଣ୍ଡା ଯୁକ୍ତି କରିବା ସହିତ ଶୁଖିଲା ରାଜନୀତି କରୁଛନ୍ତି । ଯାହାକୁ ନେଇ ଏବେ ପୁରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । କ୍ୟାମ୍ପସରେ ଗଣ୍ଡଗୋଳ ସହିତ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ସ୍ଥିତି ଅଣାୟତ୍ତ ହେବାରୁ କଟକ ଡିସିପିଙ୍କୁ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି । ଆନ୍ଦୋଳନ ପାଇଁ କ୍ୟାମ୍ପସରେ ବିଭିନ୍ନ ସଂଗଠନ ଓ ଅଣଛାତ୍ରଙ୍କ ପ୍ରବେଶରୁ ଶୈକ୍ଷିକ ବାତାବରଣ ନଷ୍ଟ ହେଉଥିବା ଉଲ୍ଲେଖ କରି ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଯେଉଁଥି ଲାଗି କ୍ୟାମ୍ପସରେ ମୁତୟନ ହୋଇଛନ୍ତି ପୋଲିସ ।
ରେଭେନ୍ସା ପ୍ରସଙ୍ଗକୁ ନେଇ ବିଧାନସଭାରେ ସରଗରମ ଆଲୋଚନା । ତୁତୁ-ମେମେ ହୋଇଛନ୍ତି ଶାସକ ବିରୋଧୀ । ଶୂନ୍ୟକାଳରେ ବିରୋଧୀ ବିଜେଡି ବିଧାୟକ ବ୍ୟୋମକେଶ ରାୟ ଏହି ପ୍ରସଙ୍ଗ ଉଠାଇ ଅଭିଯୋଗ କରିଥିଲେ, କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଛାତ୍ର ଆନ୍ଦୋଳନ ତୀବ୍ର ହେଉଛିତେଣୁ ମୁଖ୍ୟମନ୍ତ୍ରୀ ଏ ନେଇ ତୁରନ୍ତ ଗୃହରେ ବିବୃତ୍ତି ରଖନ୍ତୁ । କଂଗ୍ରେସ ମଧ୍ୟ ସମାନ କଥା ଉଠାଇ ନାଁ ପରିବର୍ତ୍ତନ ହେବକି ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବାକୁ ଦାବି କରିଥିଲେ । ସେପଟେ ଜବାବରେ ବିଜେପି କହିଛି, କେନ୍ଦ୍ରମନ୍ତ୍ରୀ ବିତର୍କ କଥା କହିଛନ୍ତି । ନାଁ ବଦଳିବା କଥା ନେଇ ଆଲୋଚନା ପାଇଁ କହିଛନ୍ତି । ଜାଣିଶୁଣି ତାହାକୁ ରାଜନୀତି କରାଯାଇ ଗୃହର ବହୁମୂଲ୍ୟ ସମୟ ନଷ୍ଟ କରାଯାଉଥିବା କହିଛନ୍ତି ବିଧାୟକ ଈରାଶିଷ ଆଚାର୍ଯ୍ୟ ।
ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିତର୍କର ଆବଶ୍ୟକତା ଥିବା କହି, ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି ସ୍ପଷ୍ଟ କରିଥିଲେ । ହେଲେ ତାହାକୁ ନେଇ କାହିଁକି ତେଜୁଛି ରାଜନୈତିକ ବୟାନବାଜି ? କୁହାଯାଉଛି, ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗରୁ ରାଜନୈତିକ ଫାଇଦା ନେବା ଲୋଭରୁ ବର୍ତ୍ତିପାରୁନାହାନ୍ତି ବିରୋଧୀ । ଖାସ କରି ବିଜେଡି ଏ ପ୍ରସଙ୍ଗରୁ ବେଶି ରାଜନୀତି କରୁଛି । ହେଲେ କୌଣସି ଲାଭ ହେବନି ବୋଲି କହିଲେଣି ବୁଦ୍ଧିଜୀବୀ ।
📱 Get Argus News App
✨ତେବେ କିଏ ଏହି ରେଭେନ୍ସା ସାହେବ ? ୧୮୬୬ରେ ହୋଇଥିବା ଓଡ଼ିଶା ଇତିହାସର ସବୁଠୁ ବଡ଼ ବପତ୍ତି ନଅଙ୍କ ଦୁର୍ଭିକ୍ଷରେ ତାଙ୍କର କଣ ଥିଲା ଭୂମିକା ? ବ୍ୟାସ କବି ଫକୀର ମୋହନ ସେନାପତି ନିଜ ଆତ୍ମ ଜୀବନୀରେ ଲେଖିଛନ୍ତି । କମିଶନର ସାହେବ ଗଭର୍ଣ୍ଣରଙ୍କୁ ଲେଖିଲେ - ଓଡ଼ିଶାରେ ଦୁର୍ଭିକ୍ଷ ପଡ଼ିପାରେ ମାତ୍ର ଦେଶ ମଧ୍ୟରେ ଅନେକ ଧାନ ମହଜୁଦ ଅଛି ସେଥିରେ ବର୍ଷକ ଚଳିପାରିବ । କମିଶନର ସାହେବ ବଡ଼ ଭୁଲ କଲେ ଓଡ଼ିଶାରେ ପ୍ରକୃତରେ ଏତେ ଧାନ ମହଜୁଦ ଅଛି କି ନାହିଁ, ପୁଣି ଯେଉଁମାନଙ୍କ ଘରେ ଧାନ ମହଜୁଦ ଅଛି ସାଧାରଣ ସଂକଟ ସମୟରେ ସେମାନେ ସେହି ଧାନ ବିକ୍ରୟ ବା ବିତରଣ କରିବେ କି ନାହିଁ କଥାଟା ଭଲରୂପେ ତଦନ୍ତ କରି ଗଭର୍ଣ୍ଣରଙ୍କୁ ଜଣାଇବା ଉଚିତ ଥିଲା । ହେଲେ ସେ ସେମିତି କିଛି ଦାୟିତ୍ଵ ନିଭାଇ ନଥିବାରୁ ଓଡ଼ିଶାର ଲକ୍ଷଲକ୍ଷ ଲୋକ ପୋକ ମାଛ ପରି ଜୀବନ ହରାଇଥିଲେ । ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ନିଜ ବ୍ୟକ୍ତିଗତ ମତ ବୋଲି ସ୍ପଷ୍ଟ କରିବା ପରେ ବି ଯେଉଁପରି ଭାବରେ ରାଜନୀତି ହେଉଛି ତାହାକୁ ସାଧାରଣରେ ନିନ୍ଦା କରାଯାଉଛି ।