କପାଳି ମଠ ନିକଟରେ ଅଟକିଲା ରୁକୁଣା ରଥ, କାଲି ଦିନ ୨ ଟାରୁ ରଥ ଟଣା

ଭୁବନେଶ୍ଵର: ଅଶୋକାଷ୍ଟମୀରେ ବାବା ଲିଙ୍ଗରାଜଙ୍କ ରୁକୁଣା ରଥ ଅଟକିଛି, ମାଉସୀ ଘରେ ପହଞ୍ଚି ପାରିନି । ଅଣଲେଉଟା ରଥରେ ଚଢ଼ି ମାଉସୀ ଘରକୁ ପ୍ରଭୁ ଯାଉଥିବା ବେଳେ କପାଳି ମଠ ନିକଟରେ ଅଟକିଛି ରୁକୁଣା ରଥ । ଶନିବାର ରଥ ଟାଣିବାକୁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।
ଆସନ୍ତା କାଲି ଦିନ ୨ଟାରୁ ରଥ ଟଣା ହେବ । ଶନିବାର ନୀତିକାନ୍ତିରେ ବିଳମ୍ବ ଯୋଗୁଁ ରଥ ଟଣା କାର୍ଯ୍ୟକ୍ରମ ୫ଟା ୨୩ରେ ଆରମ୍ଭ ହୋଇ ୬ଟା ୩୦ରେ ରଥ ଅଟକି ଥିଲା । ଏହି ପବିତ୍ର ଯାତ୍ରାକୁ ଅତି ନିକଟରେ ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟି ଥିଲା । ଅତି ନିକଟରୁ ରୁକୁଣା ରଥରେ ପ୍ରଭୁଙ୍କ ଦର୍ଶନ କରି ବେଶ୍ ଆନନ୍ଦିତ ହୋଇଥିଲେ ଶ୍ରଦ୍ଧାଳୁ ।
ଏହି ଅବସରରେ ମନ୍ଦିର ନିକଟରେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ମହୋତ୍ସବ ଆୟୋଜିତ ହୋଇଛି । ଆସନ୍ତା ୬ ଦିନ ଧରି ଚାଲିବ ଏହି ଉତ୍ସବ । ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ୧୧ ରାଜ୍ୟର ୩୬ଟି ଗ୍ରୁପ ଓ ୮ ଶହରୁ ଅଧିକ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ।
📱 Get Argus News App
✨
ଶନିବାର ଉଦଘାଟନୀ ଉତ୍ସବରେ ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଧାୟକ ବାବୁ ସିଂ, ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ, ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।