Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଘୋଷଯାତ୍ରା ଶେଷ ପରେ ରଥ କାଠର କ'ଣ ହୁଏ ?

Odisha

ଘୋଷଯାତ୍ରା ଶେଷ ପରେ ରଥ କାଠର କ'ଣ ହୁଏ ?

Smruti Parija
Browse all articles by Smruti Parija
·1 year ago·3 min read
ଘୋଷଯାତ୍ରା ଶେଷ ପରେ ରଥ କାଠର କ'ଣ ହୁଏ ?

ପୁରୀ: ସରିଛି ଘୋଷଯାତ୍ରା । ସିଂହଦ୍ୱାରରେ ଶ୍ରୀହୀନ ହୋଇ ରହିଛି ତିନି ରଥ । ହେଲେ କେଇଟା ଦିନ ତଳେ ଆମ ମହାପ୍ରଭୁମାନେ ଏହି ରଥରେ ବସି ମାଉମୀ ମା' ଘରକୁ ଯାଇଥିଲେ । ସେଥିପାଇଁ ଏଇ ବାଟ ଦେଇ ଯା ଆସ ସମୟରେ ଯିଏ ବି ଯାଉଥିଲା ରଥକୁ ଟିକେ ମୁଣ୍ଡିଆ ମାରି ଦେଇ ଯାଉଥିଲା । କାରଣ ଶ୍ରୀଗୁଣ୍ଡିଚା ଦିନ ରଥ ପ୍ରତିଷ୍ଠା ପରେ ରଥ ହୋଇଯାଏ ଦେବତା ଏବଂ ଏହାର ଅଂଶ ଗୁଡ଼ିକ ହୋଇ ଯାଆନ୍ତି ପ୍ରସାଦ । ଆଉ ଏହି ପ୍ରସାଦ ରୂପକ ରଥକାଠ ପାଇବା ପାଇଁ ଭକ୍ତଙ୍କ ମନରେ ଥାଏ ଅପୂର୍ବ ଉତ୍କଣ୍ଠା ଓ ଶ୍ରଦ୍ଧା । ତେବେ ଘୋଷଯାତ୍ରା ଶେଷ ପରେ ରଥ କାଠର କ'ଣ ହୁଏ ? ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଥାଏ । ତେବେ ଆସନ୍ତୁ ଏ ବିଷୟରେ ଜାଣିବା ....

 

ଯେମିତି ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ପରମ୍ପରା ମୁତାବକ ଶ୍ରୀପଞ୍ଚମୀ ଦିନ ହୁଏ ରଥକାଠ ଅନୁକୂଳ ଓ ରାମ ନବମୀରେ ହୁଏ ରଥ ଚିରଟ ଅନୁକୂଳ ।  ଅକ୍ଷୟ ତୃତୀୟା ଠାରୁ ଅନୁକୂଳ ହୋଇ ଆରମ୍ଭ ହୁଏ ରଥ ନିର୍ମାଣ କାର୍ଯ୍ୟ । ଠିକ୍ ସେହିପରି ପ୍ରତିବର୍ଷ  ଆଷାଢ଼ ମାସରେ ଘୋଷଯାତ୍ରା ଶେଷ ପରେ ଶ୍ରାବଣ ମାସ ବେଳକୁ ତିନି ରଥକୁ ଭାଙ୍ଗି ଦିଆଯାଇଥାଏ । ଏହି କ୍ରମରେ ଚଳିତ ବର୍ଷ ଏହି ରଥ ଭଙ୍ଗା ପ୍ରକ୍ରିୟା ଆରମ୍ଭ ହୋଇଛି । ନିୟମ ମୁତାବକ ଶ୍ରୀମନ୍ଦିର ପ୍ରଶାସନ ଚିଠି ପରେ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ଵ ଓ ରଥକାଠ ତତ୍ତ୍ୱାବଧାରକଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହୋଇଛି ରଥ ଭଙ୍ଗା ପ୍ରକ୍ରିୟା । ପ୍ରାରମ୍ଭିକ ପର୍ଯ୍ୟାୟରେ ୮ ଜଣ ଭୋଇ ସେବକଙ୍କ ଦ୍ଵାରା ଆରମ୍ଭ ହୋଇଛି ଦେବଦଳନ ରଥ ଭାଙ୍ଗିବା ପ୍ରକ୍ରିୟା । ପରେ ତାଳଧ୍ଵଜ ଓ ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବ । ପ୍ରାୟ ୧୨ ରୁ ୧୫ ଦିନ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ ।

ରଥ ଚକ କ୍ରୟ କରିବା ଓ ତାକୁ ମର୍ଯ୍ୟାଦା ଦେଇ ରଖିବାକୁ ନେଇ ହୋଇଛି ସ୍ବତନ୍ତ୍ର ଏସଓପି । ତେବେ ଚଳିତ ବର୍ଷ ରଥ ଚକର ଦର ବୃଦ୍ଧି ପାଇଁ ହୋଇଛି ଆଲୋଚନା । 

ରଥ ଚକର ଦାମ୍ କେତେ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଚକ ୧ ଲକ୍ଷ ପରିବର୍ତ୍ତେ ଦେଢ଼ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି । 

ସେହିପରି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଚକ ୫୦ ହଜାର ଟଙ୍କା ଏବଂ ବଳଭଦ୍ରଙ୍କ ତାଳଧ୍ଵଜ ରଥର ଚକ ୬୦ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି । 

ସେପଟେ ପ୍ରଭାର ଦର ୨୫ ହଜାର ଟଙ୍କା ରଖାଯାଇଥିବା ବେଳେ ଗୁଜ ଓ ଅଶ୍ୱାରି ୧୦ ହଜାର ଲେଖାଏଁ ରଖାଯାଇଛି । 

ତେବେ ଗୋଟିଏ ରଥ ଚକ କ୍ରୟ କଲେ ଗୋଟିଏ ଲେଖାଏଁ ଗୁଜ ନିଶୁଳ୍କ ଦେବା ସହ ଦୁଇଟି ଚକ କିଣିଲେ ଗୋଟିଏ ପ୍ରଭା କିମ୍ବା ଦୁଇଟି ଗୁଜ ନିଶୁଳ୍କ ଦେବାପାଇଁ ମଧ୍ୟ ଏସଓପିରେ ଉଲ୍ଲେଖ ରହିଛି। 

ଏଗୁଡ଼ିକୁ ନେବାପରେ ସ୍ବତନ୍ତ୍ର ସ୍ଥାନରେ ଏହାର ମର୍ଯ୍ୟାଦା ବଜାୟ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ ହେବାକୁ ନିୟମାବଳୀ ରହିଛି ।
ତେବେ ରଥର ପାର୍ଶ୍ଵ ଦେବାଦେବୀ, ଅଶ୍ଵ,ସାରଥୀ,ଓଲଟ ଶୁଆ ଆଦିକୁ ପରବର୍ତ୍ତୀ ବର୍ଷ ପାଇଁ ସଂରକ୍ଷିତ ରଖାଯାଇଥାଏ । ମହାପ୍ରଭୁଙ୍କ ନବକଳେବର ସମୟରେ ଏମାନଙ୍କୁ ନୂତନ ରୂପ ଦିଆଯାଇଥାଏ । ମହାପ୍ରଭୁ ପାତାଳୀ ହେବା ସମୟରେ ଏମାନଙ୍କୁ ମଧ୍ୟ ପୋତି ଦିଆଯାଇଥାଏ । ସେହିଭଳି ରଥର ଟୁକୁରା ଅଂଶ ଗୁଡ଼ିକୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ସଂରକ୍ଷିତ ରଖାଯାଇ ମହାପ୍ରଭୁଙ୍କ କୋଠ ଭୋଗ ରୋଷେଇ କାମ ବେଳେ ବ୍ୟବହାର କରାଯାଏ । 

ରଥ ଭାଙ୍ଗିବା ପରେ ରଥର ବିଭିନ୍ନ ଅଂଶଗୁଡ଼ିକ ନିଲାମି ହେବା ସହ ଟୁକୁରା କାଠ ଗୁଡ଼ିକ ମହାପ୍ରଭୁଙ୍କ କୋଠ ଭୋଗ ପାଇଁ ଜାଳେଣି ଭାବରେ ବ୍ୟବହୃତ ହେବ । ନିଲାମ ପାଇଁ ସ୍ବତନ୍ତ୍ର ଭାବରେ ୧୦୦୧ ଟଙ୍କା ଦେଇ ଶ୍ରୀମନ୍ଦିର ପ୍ରଶାସନ ୱେବସାଇଟରେ ଆବେଦନ କରିପାରିବେ ଭକ୍ତ ଶ୍ରଦ୍ଧାଳୁ । ନୂଆ ଏସଓପି ମାଧ୍ୟମରେ ହେବ ନିଲାମୀ ପ୍ରକ୍ରିୟା । ନୂଆ ଏସଓପି ଅନୁସରଣରେ ହିଁ ଦେୟ ଦେଇ ରଥର ମୂଲ୍ୟବାନ ଅଂଶ ଗୁଡ଼ିକୁ ପାଇ ପାରିବେ ଶ୍ରଦ୍ଧାଳୁ । 

ଚଳିତ ବର୍ଷ ନୂତନ ଏସଓପି ଅନୁସାରେ ହିଁ ହେବ ରଥଚକ ନିଲାମି ପ୍ରକ୍ରିୟା । ତେବେ ୫୦ ପ୍ରତିଶତ ରଥଚକ ବିଭିନ୍ନ ସାଂସ୍କୃତିକ ଓ ଧର୍ମୀୟ ଅନୁଷ୍ଠାନ,ଲୀଳାକ୍ଷେତ୍ର,ଦାରୁ ମିଳିଥିବା କ୍ଷେତ୍ରକୁ ଅଗ୍ରାଧିକାର ଦିଆଯିବ । ଏଥିସହିତ ବିଭିନ୍ନ ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟକୁ ମଧ୍ୟ ଦିଆଯିବ । ଅନ୍ୟ ୫୦ ପ୍ରତିଶତ ପାଇଁ ଆବେଦନ କରିବେ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ପ୍ରଶାସନ ୱେବ୍ ସାଇଟ୍ ଜରିଆରେ ୧୦୦୧ ଟଙ୍କା ଦେଇ ନୀଲାମି ପାଇଁ ଆବେଦନ କରିପାରିବେ ଶ୍ରଦ୍ଧାଳୁ । ଅଫ୍ ଲାଇନ୍ ରେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କୁ ଆବେଦନ କରିପାରିବେ । ରଥ ଚକ ପ୍ରକ୍ରିୟା ପାଇଁ ଗଠିତ ସବ୍ କମିଟି ଏହାର ନିଷ୍ପତ୍ତି ନେବ । ଇଛୁକ ବ୍ୟକ୍ତିମାନେ WWW.shreejagannatha.in ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ । 

୨୦୧୨ ରୁ ୨୦୧୫ ମସିହା ମଧ୍ୟରେ ରଥ ଚକ ଓ ଏହାର ଅନ୍ୟାନ୍ୟ ଅଂଶ ଗୁଡ଼ିକ ବିକ୍ରୟ ନହୋଇ ନଷ୍ଟ ହୋଇଯାଇଥିବାରୁ ନିୟମାବଳୀରେ ପରିବର୍ତ୍ତନ ହୋଇଥିଲା । ଧାର୍ଯ୍ୟ ମୂଲ୍ୟ ଠାରୁ ଅଧା ଦାମ୍ ରେ ବିକ୍ରି ପାଇଁ ନିଷ୍ପତ୍ତି ହୋଇଥିଲା । ଏବେ ଭକ୍ତଙ୍କ ଅହେତୁକ ଆଗ୍ରହ ଦେଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାର ମୂଲ୍ୟ ବୃଦ୍ଧି କରାଯାଇଛି ।
 

Sponsored
Sale of Chariot Components – Shree Jagannatha Temple | Argus News