Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

BOOK FAIR / ସମ୍ବଲପୁର ପୁସ୍ତକ ମେଳାକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Bikash Mohanty
Browse all articles by Bikash Mohanty
·5 months ago·3 min read
ସମ୍ବଲପୁର ପୁସ୍ତକ ମେଳାକୁ ଉଦଘାଟନ କଲେ  କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ
BOOK FAIR

Key Points

ସମ୍ବଲପୁର ପୁସ୍ତକ ମେଳା ଉଦଘାଟିତ
ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଯିଏ ପଢ଼େ, ସେ କେବଳ ଟ୍ରେଣ୍ଡ୍ ବନାଏ ନାହିଁ, ସେ ଇତିହାସ ବନାଏ

୨୬ତମ 'ସମ୍ବଲପୁର ପୁସ୍ତକ ମେଳା’କୁ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନ୍ୟାସନାଲ ବୁକ୍ ଟ୍ରଷ୍ଟ, ସେତୁ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଆୟୋଜିତ ହୋଇଛି ପୁସ୍ତକ ମେଳା । ଏହି ଅବସରରେ କେନ୍ଦ୍ର ମନ୍ତୀ କହିଛନ୍ତି, ପୁସ୍ତକ ମେଳା ବିଚାର ଓ ଆଚାରର ଏକ ଉତ୍ସବ । ବହି ପଢ଼ିବା ଦ୍ୱାରା ଜ୍ଞାନର ଗଭୀରତା ବଢ଼େ ଏବଂ ଆଗକୁ ଯିବାର ପଥ ମିଳେ । ଆଜିକାଲିର ମୋବାଇଲ ଓ ୩୦ ସେକେଣ୍ଡର 'ରିଲ୍' ମସ୍ତିଷ୍କକୁ କିଛି ସମୟ ପାଇଁ ପ୍ରଭାବିତ କରିପାରେ, କିନ୍ତୁ ଗୋଟିଏ ଭଲ ବହି ସାରା ଜୀବନକୁ ପ୍ରଭାବିତ କରିଥାଏ । ଯିଏ ପଢ଼େ, ସେ କେବଳ ଟ୍ରେଣ୍ଡ୍ ବନାଏ ନାହିଁ, ସେ ଇତିହାସ ବନାଏ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ ଆମେ ଯେତେବେଳେ ଆଦିକବି ସାରଳା ଦାସଙ୍କ ୬୦୦ ତମ ଜୟନ୍ତୀ, ସର୍ଦ୍ଦାର ପଟେଲଙ୍କ ୧୫୦ ତମ ଜୟନ୍ତୀ, ବନ୍ଦେ ମାତରମ୍ ଗୀତ ରଚନାର ୧୫୦ ବର୍ଷ, ମା' ରମାଦେବୀଙ୍କ ୧୨୫ ବର୍ଷ, ପାର୍ବତୀ ଗିରିଙ୍କ ୧୦୦ ବର୍ଷ, ବାଜି ରାଉତଙ୍କ ଶତବାର୍ଷିକୀ ଏବଂ ଆର.ଏସ.ଏସ.ର ଶତବାର୍ଷିକୀ ପାଳନ କରୁଛୁ ଓ ନେତାଜୀଙ୍କ ୧୩୦ ତମ ଜନ୍ମଦିନ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ୨୧୮ ତମ ଜୟନ୍ତୀ ପାଳନ ହେଉଛି, ସେହି ସମୟରେ ଏହି ପୁସ୍ତକ ମେଳା ଆୟୋଜନ ହେବା ଏକ ଗୌରବର ବିଷୟ । ଏହାସହ ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି, ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳାରେ କାତାର ଓ ସ୍ପେନର ସଂସ୍କୃତି ମନ୍ତ୍ରୀଙ୍କ ଉପସ୍ଥିତିରେ “ଦି ସାଗା ଅଫ୍ କୁଦୋପାଲି: ଦ ଅନସଙ୍ଗ୍ ଷ୍ଟୋରି ଅଫ୍ ୧୮୫୭” ପୁସ୍ତକଟି ସ୍ପାନିସ ସମେତ ୧୦ଟି ଆଞ୍ଚଳିକ ଭାଷାରେ ଉନ୍ମୋଚିତ ହୋଇଛି। ବର୍ତ୍ତମାନ ଏହି ପୁସ୍ତକ ମୋଟ ୧୩ଟି ଭାଷାରେ ଉପଲବ୍ଧ । କୁଦୋପାଲିର ଅଜଣା ନାୟକଙ୍କ ବଳିଦାନ ୧୮୫୭ ସିପାହୀ ବିଦ୍ରୋହର ଏକ ନୂତନ ପରିଚୟ ସୃଷ୍ଟି କରିବ । କେନ୍ଦ୍ର ମନ୍ତ୍ରୀ ସମ୍ବଲପୁରର ବୁଦ୍ଧିଜୀବୀ, ଶିକ୍ଷାବିତ୍ ଏବଂ ଛାତ୍ରଛାତ୍ରୀମାନଙ୍କୁ ଏହି ପୁସ୍ତକମେଳା ପରିଦର୍ଶନ ସହ ନିଜକୁ ସମୃଦ୍ଧ କରିବାକୁ ଆହ୍ୱାନ ଦେଇଛନ୍ତି । ଏହାସହ ନିଜେ ପୁସ୍ତକ ମେଳା ପରିଦର୍ଶନ କରିବା ସହ ୟୁପିଆଇ ପେମେଣ୍ଟ କରି ବହି କିଣିଛନ୍ତି ।

ଆସନ୍ତା ୧ ଫେବୃଆରୀ ପର୍ଯ୍ୟନ୍ତ, ସମ୍ବଲପୁର ସହର ପିଏଚଡି ପଡ଼ିଆରେ ଏହି ପୁସ୍ତକ ମେଳା ଆୟୋଜନ ହେବ । ଆଜିର ଉଦଘାଟନୀ ଦିବସରେ କେନ୍ଦ୍ର ମନ୍ତ୍ରୀ ଶିଶିର ବେହେରାଙ୍କ ଦ୍ୱାରା ଅନୁଦିତ 'ଆନନ୍ଦ ମଠ'ର ଓଡ଼ିଆ ଭାଷାନ୍ତର, ଦୀପକ ପଣ୍ଡାଙ୍କ ରଚିତ 'ଦ ଲ୍ୟାଣ୍ଡ ଅଫ୍ ଭାଲୋର: ହିଷ୍ଟ୍ରି ଅଫ୍ ସମ୍ବଲପୁର'ର ଇଂରାଜୀ ପୁସ୍ତକ, 'ବୀର ସୁରେନ୍ଦ୍ର ସାଏ', 'ମାଆ ସମଲେଶ୍ୱରୀ' ଏବଂ 'ସବ୍‌ମର୍ଜଡ୍ ଟେମ୍ପଲ୍ସ ଅଫ୍ ସମ୍ବଲପୁର' ଉନ୍ମୋଚନ କରିଛନ୍ତି । ଏହାସହ ଗଣେଶରାମ ନାହାକଙ୍କ ସମ୍ପାଦିତ 'ସତ୍ୟ ନାରାୟଣ ବୋହିଦାର ଗ୍ରନ୍ଥାବଳି' ଏବଂ ନିରଞ୍ଜନ ତ୍ରିପାଠୀଙ୍କ ଦ୍ୱାରା ସମ୍ପାଦିତ 'ଘନଶ୍ୟାମ ରଥଙ୍କ ଗ୍ରନ୍ଥାବଳୀ' ମଧ୍ୟ ଆଜି ଉନ୍ମୋଚିତ ହୋଇଛି । ଏହାସହ ସେ ଏନବିଟି ଏବଂ ସେତୁ ଭଳି ସଂସ୍ଥା ମାନଙ୍କୁ ଆଗାମୀ ଦିନରେ ସମ୍ବଲପୁର ପୁସ୍ତକ ମେଳାକୁ ବିଶ୍ୱସ୍ତରୀୟ ସାହିତ୍ୟ ସମ୍ମିଳନୀରେ ପରିବର୍ତ୍ତନ କରାଇବା ଦିଗରେ ଚର୍ଚ୍ଚା କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏହାଛଡ଼ା ଆସନ୍ତା ୧୫ ଫେବୃଆରୀରେ ଆୟୋଜିତ ହେବାକୁ ଥିବା 'ହୀରାକୁଦ ମାରାଥନ'ରେ ଅଂଶଗ୍ରହଣ କରିବା ପାଇଁ ସମ୍ବଲପୁର ବାସିନ୍ଦାଙ୍କୁ ଆହ୍ଵାନ କରିଛନ୍ତି । ସେପଟେ ପୁସ୍ତକ ମେଳା ପରିସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ ସହ ପୁସ୍ତକ ବାଣ୍ଟିଥିଲେ କେନ୍ଦ୍ର ମନ୍ତ୍ରୀ ।

ପୁସ୍ତକ ମେଳାରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ପ୍ରକାଶକଙ୍କ ଦ୍ୱାରା ୨୫୦ ରୁ ଅଧିକ ଷ୍ଟଲ୍ ରହିଛି । ଶିଶୁ-ସାହିତ୍ୟ ଠାରୁ ଆରମ୍ଭ କରି କଥା ସାହିତ୍ଯ, ତଥ୍ଯ-ସାହିତ୍ଯ, ଶୈକ୍ଷିକ, ଗବେଷଣାତ୍ମକ ପୁସ୍ତକ ଏବଂ ଲୋକପ୍ରିୟ ପାଠ୍ୟ ସାମଗ୍ରୀ ସମେତ ବିଭିନ୍ନ ପୁସ୍ତକ ପ୍ରଦର୍ଶିତ ହେଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BOOK FAIR | Dharmendra Pradhan Attends Sambalpur Book Fair, Proposes Global Literary Conference | Argus News