'ସ୍ଵଚ୍ଛତା ହିଁ ସେବା-୨୦୨୫' କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

Key Points
'ସମ୍ବଲପୁର ମହାନଗର ନିଗମ' ପକ୍ଷରୁ ଆୟୋଜିତ 'ସ୍ଵଚ୍ଛତା ହିଁ ସେବା-୨୦୨୫' କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ସ୍ଥାନୀୟ ସ୍ୱଚ୍ଛ ସାଥୀମାନଙ୍କୁ ସମ୍ମାନିତ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । ସ୍ୱଚ୍ଛ, ସୁନ୍ଦର ଓ ସବୁଜ ସମ୍ବଲପୁର ଗଢ଼ିବାର ଉଦ୍ୟମକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ।
ସମ୍ବଲପୁର: ସ୍ୱଚ୍ଛତାକୁ ନିଜ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବା ଏବଂ ଆଗାମୀ ପାର୍ବଣ ଋତୁରେ ସ୍ୱଚ୍ଛତାକୁ ଅଧିକ ଗୁରୁତ୍ଵ ଦେବା । ପର୍ବପର୍ବାଣୀ ଭଳି ଆନନ୍ଦ ଓ ଉତ୍ସାହର ସହ ସ୍ୱଚ୍ଛତା ପର୍ବ ପାଳିବା ସହ ଆମ ସହରକୁ ସ୍ୱଚ୍ଛ ସହରରେ ପରିଣତ କରିବାର ସଂକଳ୍ପ ନେବାକୁ ସମ୍ବଲପୁରବାସୀଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ରବିବାର ସମ୍ବଲପୁର କ୍ଷେତରାଜପୁରରେ 'ସମ୍ବଲପୁର ମହାନଗର ନିଗମ' ପକ୍ଷରୁ ଆୟୋଜିତ 'ସ୍ଵଚ୍ଛତା ହିଁ ସେବା-୨୦୨୫' କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ସ୍ଥାନୀୟ ସ୍ୱଚ୍ଛ ସାଥୀମାନଙ୍କୁ ସମ୍ମାନିତ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । ସ୍ୱଚ୍ଛ, ସୁନ୍ଦର ଓ ସବୁଜ ସମ୍ବଲପୁର ଗଢ଼ିବାର ଉଦ୍ୟମକୁ ପ୍ରଶଂସା କରିବା ସହ ସେ କହିଛନ୍ତି ଯେ, ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ 'ସେବା ପକ୍ଷ' ପାଳନର ପ୍ରସ୍ତୁତି ପୂର୍ବରୁ ଆଜି ସମ୍ବଲପୁରରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଛି ।
ସ୍ୱଚ୍ଛ ସର୍ବେକ୍ଷଣରେ ସମ୍ବଲପୁର ପୂର୍ବବର୍ଷ ଅପେକ୍ଷା ଅପେକ୍ଷା କୃତ ଭଲ ପ୍ରଦର୍ଶନ କରିଛି । କେବଳ ଦାୟିତ୍ଵରେ ଥିବା ଲୋକମାନେ ସ୍ୱଚ୍ଛତା ରଖିଲେ ହେବ ନାହିଁ ବରଂ ସମ୍ବଲପୁର ଲୋକଙ୍କୁ ସ୍ୱଚ୍ଛତାରେ ସଂସ୍କାର ଆଣିବାକୁ ପଡ଼ିବ । ସବୁ ପର୍ବପର୍ବାଣୀକୁ ଯେପରି ଭାବରେ ଆମେ ଆନନ୍ଦ ଉଲ୍ଲାସରେ ପାଳନ କରୁଛନ୍ତି ସେଇ ଭଳି ଭାବେ ଆମକୁ ସହରକୁ ସ୍ୱଚ୍ଛ କରିବାକୁ ପଡ଼ିବ । ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିଲେ ହିଁ ସମାଜ ସୁସ୍ଥ ହେବ ।
📱 Get Argus News App
✨
ସମ୍ବଲପୁରରେ ସ୍ୱଚ୍ଛତା ଦାୟିତ୍ୱରେ ଥିବା କର୍ମଚାରୀ ଭାଇ ଭଉଣୀ, ଜନସାଧାରଣ, ସ୍ୱେଚ୍ଛାସେବୀ ସଂଗଠନ ଓ ବ୍ୟବସାୟିକ ସଂଗଠନକୁ ସାଧୁବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସ୍ଵଚ୍ଛ ରଖୁଥିବା ସାଥୀମାନଙ୍କୁ ଉତ୍ସାହିତ କରିବା ସହ ନିରୋଗ ଜୀବନ ପାଇଁ ସ୍ଵଚ୍ଛତାକୁ ଆପଣାଇବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
ଏହି ଅବସରରେ ସମ୍ବଲପୁରକୁ ଆବର୍ଜନା ମୁକ୍ତ କରିବା ସହ ସ୍ୱଚ୍ଛ ରଖିବା ପାଇଁ ସମବେତ ଜନସାଧାରଣ ଶପଥ ପାଠ କରିଥିଲେ । ସ୍ୱଚ୍ଛ ସମ୍ବଲପୁର ପାଇଁ ଏକ ଦସ୍ତଖତ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।