Sanaghagara / ସାନଘାଗରାରେ ହେବ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର

Key Points
ସାନଘାଗରାରେ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ପ୍ରତିଷ୍ଠା
ଜୈବ ବିବିଧତା, ଗବେଷଣା ଓ ଇକୋ-ଟୁରିଜିମ ପାଇଁ ନୂତନ ପ୍ରୟାସ
୧୩୪ ଏକର ଜମିରେ ୨୦୨୭ ସୁଦ୍ଧା ନିର୍ମାଣ ସମାପ୍ତି ଲକ୍ଷ୍ୟ
ସାନଘାଗରାରେ ନୂଆ ‘ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର’ ପ୍ରତିଷ୍ଠା ହେବ। ଆଜି ଏହି ପ୍ରକଳ୍ପ ବିଷୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ କେନ୍ଦୁଝର ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି। ଏହି କେନ୍ଦ୍ର ଓଡ଼ିଶାର ଦ୍ୱିତୀୟ ‘ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର’ ଭାବେ ପ୍ରାୟ ୧୩୪ ଏକର ପରିମିତ ଅଞ୍ଚଳରେ ପ୍ରତିଷ୍ଠା ହେବ।
ବୈଠକରୁ ମିଳିଥିବା ସୂଚନା ମୁତାବକ ଜୈବ ବିବିଧତା ସଂରକ୍ଷଣ, କମ୍ୟୁନିଟି ସେଣ୍ଟର, ଇକୋ-ଟୁରିଜିମ, ଗବେଷଣା ଓ ଶିକ୍ଷାର ବିକାଶ ପାଇଁ ଏହି କେନ୍ଦ୍ର ନିର୍ମାଣ କରାଯିବ। ଏହି ସ୍ଥାନଟି ପ୍ରକୃତିର ଅଭିଜ୍ଞତା ସହ ବିଷୟବସ୍ତୁଭିତ୍ତିକ ବଗିଚାର ଅନୁଭୂତି ପ୍ରଦାନ କରିବ। ଏହି କେନ୍ଦ୍ରରେ ଓଡ଼ିଶାରେ ଥିବା ବିଭିନ୍ନ ପ୍ରଜାତିର ଅର୍କିଡ୍ ଉପଲବ୍ଧ ହେବା ସହିତ ଗୋଲାପ, ବାଉଁଶ, କାକ୍ଟସ୍, ଜଙ୍ଗଲୀ ଫଳ ଆଦି ସ୍ଥାନୀତ ହୋଇ ଅଞ୍ଚଳର ଶୋଭା ବଢ଼ାଇବ।
ଏଥିସହ ପଢ଼ନ୍ତୁ: ଚିର ନିଦ୍ରାରେ ମହାଭାରତର ’କର୍ଣ୍ଣ’ ପଙ୍କଜ ଧୀର
📱 Get Argus News App
✨
ଏହି ଅଞ୍ଚଳକୁ ବିଶେଷ ପର୍ଯ୍ୟଟନସ୍ଥଳ ଭାବେ କାର୍ଯ୍ୟକ୍ଷମ କରିବା ପାଇଁ ଏହାକୁ ବର୍ଷତମାମ ପର୍ଯ୍ୟଟକ ଓ ଜନସାଧାରଣଙ୍କ ପାଇଁ ଖୋଲା ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହି ଅଞ୍ଚଳରେ ହାତୀ ଉପଦ୍ରବ ଅଧିକ ରହୁଥିବାରୁ ଜିଲ୍ଲା ପ୍ରଶାସନକୁ ମଧ୍ୟ ଏହାର ଉଚିତ ପ୍ରତିକାର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଘଞ୍ଚ ବୁଦା ଅଞ୍ଚଳ ଦ୍ୱାରା ମଣିଷ-ହାତୀ ସଂଘର୍ଷକୁ ରୋକିବା ପାଇଁ ପରାମର୍ଶ ଦେଇଥିଲେ। ଏହି ନୂତନ ନିର୍ମାଣ ଯୋଗୁଁ ସେହି ସ୍ଥାନ ଦେଇ ବହି ଯାଉଥିବା ମାଛକାନ୍ଦଣା ନଦୀର ଜଳ ଯେପରି ସବୁବେଳେ ଭରପୂର ରୁହେ ସେଥିପ୍ରତି ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।
ଏହି କେନ୍ଦ୍ରରେ ଅର୍କିଡ୍ ସଂରକ୍ଷଣ ଓ ପ୍ରଦର୍ଶନ କେନ୍ଦ୍ର, ପଦ୍ମ ଉଦ୍ୟାନ, ଜଙ୍ଗଲୀ ଖାଦ୍ୟଯୋଗ୍ୟ ଫଳ ଉଦ୍ୟାନ, ଔଷଧୀୟ ଉଦ୍ଭିଦ ଉଦ୍ୟାନ, ଫୁଲ ବଜାର, ଛୋଟ ପିଲାଙ୍କ ଖେଳ ସ୍ଥାନ ନିର୍ମାଣ ହେବା ସହିତ ସମସ୍ତ ଆସବାବପତ୍ର ପାଇଁ ସ୍ଥାନୀୟ ପଥର ଏବଂ କାଠର ବ୍ୟବହାର କରାଯିବ। ଏହାର ନିର୍ମାଣ କାର୍ଯ୍ୟ ୨୦୨୭ ସୁଦ୍ଧା ସମାପ୍ତ ହେବ ବୋଲି ଆଲୋଚନାରୁ ଜଣାପଡ଼ିଛି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀର ମୁଖ୍ୟ ସୁରେଶ ପନ୍ତ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଆଭାସୀ ମାଧ୍ୟମରେ କେନ୍ଦୁଝର ଜିଲ୍ଲାପାଳ ବିଶାଳ ସିଂହ ଓ କେନ୍ଦୁଝର ଡିଏଫ୍ଓ ଧନରାଜ ହନୁମନ୍ତ ଧାମଡେରେ ଉପସ୍ଥିତ ଥିଲେ।
Related Topics
Explore more stories