Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଶ୍ୱର ବଡ଼ ବଡ଼ ଦାର୍ଶନିକଙ୍କ ଠାରୁ ସନ୍ଥକବି ଭୀମ ଭୋଇ ବହୁତ ଉର୍ଦ୍ଧ୍ୱରେ: ଧର୍ମେନ୍ଦ୍ର

Ritu Das
Browse all articles by Ritu Das
·2 years ago·3 min read
ବିଶ୍ୱର ବଡ଼ ବଡ଼ ଦାର୍ଶନିକଙ୍କ ଠାରୁ ସନ୍ଥକବି ଭୀମ ଭୋଇ ବହୁତ ଉର୍ଦ୍ଧ୍ୱରେ: ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ: ପୃଥିବୀର ବଡ ବଡ ଦାର୍ଶନିକଙ୍କ ଠାରୁ ମହିମା ଧର୍ମର ମହାନ ପ୍ରଚାର ସନ୍ଥ କବି ଭୀମ ଭୋଇ ବହୁତ ଉର୍ଦ୍ଧ୍ୱରେ ରହିଛନ୍ତି ବୋଲି ଶନିବାର ସମ୍ବଲପୁର ଜିଲ୍ଲା ରେଢାଖୋଲ ସ୍ଥିତ ମିନି ଷ୍ଟାଡିୟମରେ ମହିମା ଧର୍ମର ଉପାସକ ମାନଙ୍କ ଦ୍ୱାରା ଆୟୋଜିତ ସଭାରେ ଯୋଗଦେଇ ସସମାଜକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ସେ କହିଛନ୍ତି ଯେ ସନ୍ଥ କବି ଭୀମ ଭୋଇ କୌଣସି ପାଶ୍ଚାତ୍ୟ ଦେଶ କିମ୍ବା ଉତ୍ତର ଭାରତର କେଉଁ ଅଞ୍ଚଳରେ ଜନ୍ମ ହୋଇଥିଲେ ହୁଏତ ଇତିହାସ ତାଙ୍କୁ ପୃଥିବୀର ସବୁଠୁ ମାନବବାଦୀ, କ୍ରାନ୍ତିକାରୀ ଓ କଲ୍ୟାଣକାରୀ କବିର ଆଖ୍ୟା ଦେଇଥାନ୍ତା । ବିଶ୍ୱର ବଡ ବଡ ଦାର୍ଶନିକଙ୍କ ଠାରୁ ସନ୍ଥ କବି ଭୀମ ଭୋଇ ବହୁତ ଉର୍ଦ୍ଦ୍ୱରେ । ବିଶେଷ ଭାବରେ ମହିଳା, ବଞ୍ଚିତ, ନିଷ୍ପେସିତ, ପଛୁଆ ତଥା ବୁଦ୍ଧିଜୀବୀଙ୍କ ମଧ୍ୟରେ ମହିମା ବିଚାର ଓ ଶୂନ୍ୟବ୍ରହ୍ମକୁ ନେଇ ଯେତେ ଆକର୍ଷଣ ଅଛି, ସେହି ବିଚାର ସେତେ ମାତ୍ରାରେ ପ୍ରସିଦ୍ଧି ହୋଇନାହିଁ । କିନ୍ତୁ ଏ ଲୋକସଂସ୍କାର ଓ ଲୋକଦର୍ଶନକୁ ମହିମା ଧର୍ମର ଅନୁଗାମୀମାନେ ନିଜର ଜୀବନ ବ୍ରତ ଭାବେ ପାଳନ କରୁଛନ୍ତି । କୌପୀନଧାରୀ ମହିମା ସମାଜ ଏବଂ ବକ୍କଳଧାରୀ ମହିମା ସମାଜର ସାଧୁ ସନ୍ଥମାନେ ଆଜି ବି ଭିଷା କରି ଜୀବନ ଅତିବାହିତ କରୁଛନ୍ତି । ହୁଏତ ସମାଜରେ ଏତେ ମାତ୍ରାରେ ତ୍ୟାଗ କରିବାର ନଜିର ନାହିଁ ।  ବିଂଶ ଶତାବ୍ଦୀର ଶେଷ କାଳରେ ମାହାତ୍ମା ଗାନ୍ଧୀ ଯେତେ ପ୍ରଭାବଶାଳୀ ଥିଲେ ହୁଏତ ସନ୍ଥ କବି ଭୀମ ଭୋଇଙ୍କ ବିଚାର ମଧ୍ୟ  କୌଣସି କମ ଗୁଣରେ କମ୍ ପ୍ରଭାବଶାଳୀ ନଥିଲା । ମହିମା ଗୋସାଇଁଙ୍କ ବିଚାର ଓ ସନ୍ଥ କବି ଭୀମ ଭୋଇଙ୍କ ଜୀବନ ଦର୍ଶନକୁ ଆନ୍ତର୍ଜାତିକ ସ୍ତରରେ ସ୍ଥାପନ କରିବା ପାଇଁ ସାମୂହିକ ଉଦ୍ୟମ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଥିଲେ । 
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମଧୁପୁର, ଜ୍ଞାନପ୍ରାପ୍ତି-ସ୍ଥଳୀ କନ୍ଧରା, କର୍ମସ୍ଥଳୀ କଙ୍କଣପଡ଼ା ହେଉଛି ଭୀମ ଭୋଇଙ୍କ ସ୍ମୃତି ସହ ଜଡ଼ିତ ତିନିଟି ପୁଣ୍ୟ ତୀର୍ଥ ସ୍ଥଳୀ । ଭାରତର ପ୍ରଥମ ନାଗରିକ, ଆମ ଓଡ଼ିଶାର ଗୌରବ ମାନ୍ୟବର ରାଷ୍ଟ୍ରପତି ଏହି ସ୍ଥାନକୁ ଦର୍ଶନ କରି ଅଧିକ ମହିମା ମଣ୍ଡିତ କରିଛନ୍ତି ।

ମହପ୍ରଭୁଙ୍କ ଦର୍ଶନ ଏବଂ ମାଆ ସମଲେଇଙ୍କ ଆଶୀର୍ବାଦ ଯେତେ ପବିତ୍ର, ସନ୍ଥ କବି ଭୀମ ଭୋଇଙ୍କ ଜନ୍ମଭୂମିକୁ ଯିବା ସେତେ ପବିତ୍ର । ଆଜିର ଦିନ ଆଗାମୀ ଶତାବ୍ଦୀ ଶତାବ୍ଦୀ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ।  ସେ କହିଛନ୍ତି “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ”; ଏହା ହେଉଛି ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ କାଳଜୟୀ ବିଚାର, ଯାହା ଆଜି ସାରା ବିଶ୍ୱକୁ ଦିଗଦର୍ଶନ ଦେଉଛି । ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଶପଥ ଗ୍ରହଣ ସମାରୋହ ଅବସରରେ ସମ୍ବୋଧନରେ ସନ୍ଥ କବି ଭୀମ ଭୋଇଙ୍କ ପ୍ରସିଦ୍ଧ ଉକ୍ତିର ଉଚ୍ଚାରଣ କରି ପ୍ରତ୍ୟେକ ଓଡ଼ିଆଙ୍କୁ ଗର୍ବିତ କରିଥିଲେ । ଦେଶରେ ନାୟୋଚିତ, ପ୍ରଗତିଶୀଳ ଓ ଭବିଷ୍ୟତ ପାଇଁ ଶାସନ ପ୍ରଣାଳୀ ଭମ ଭୋଇଙ୍କ ବିଚାର ପଦ୍ଧତିରେ ହେବା ନେଇ ସେ ଶପଥ କରିଥିଲେ । ଏହି ଗୌରବ ଓ ସମ୍ମାନ ବଢାଇଥିବାରୁ ରାଷ୍ଟ୍ରପତିଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । 

ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇ ମହିମା ବିଚାରର ତତ୍ତ୍ଵ, ଦର୍ଶନ, ଆଭିମୁଖ୍ୟକୁ କବିତାର ରୂପ ଦେଇଛନ୍ତି । କବିତା ମାଧ୍ୟମରେ ନବ-ଚେତନା ସୃଷ୍ଟି କରିଛନ୍ତି । ସମାଜ ସଂସ୍କାରକ ଭାବେ ଭୀମ ଭୋଇ ମାର୍ମିକ ସାହିତ୍ୟ ମାଧ୍ୟମରେ କୁସଂସ୍କାର ଓ ଅନ୍ଧବିଶ୍ୱାସ ବିରୋଧରେ ସମାଜକୁ ଦେଇଥିବା ବାର୍ତ୍ତା ଆମ ସମସ୍ତଙ୍କ ପାଇଁ ପ୍ରେରଣା । ଆଜିର ଦିନ ମୋ ପାଇଁ ଏକ ଅନନ୍ୟ ଆଧ୍ୟାତ୍ମିକ ଅନୁଭୂତିର ମହାନ ଅବସର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେ ଆହୁରି କହିଛନ୍ତି ଯେ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ ପ୍ରଣାଳୀର ସଂସ୍କାରରେ ମହିମା ଗୋସାଇଁ ଏବଂ ଭୀମ ଭୋଇଙ୍କ ବିଚାର ଅନ୍ତର୍ନିହିତ । ଆଜି ସବକା ସାଥ-ସବକା ବିକାଶ- ସବକା ପ୍ରୟାସ-ସବକା ବିଶ୍ୱାସ ମୋଦିଙ୍କ ମୂଳ ମନ୍ତ୍ର ହୋଇଛି । ଗରିବ କଲ୍ୟାଣ,  ବଞ୍ଚିତ କଲ୍ୟାଣ ମୋଦିଜୀଙ୍କ ଶାସନର କେନ୍ଦ୍ରବିନ୍ଦୁ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଅମୃତ କାଳର ଚାରିଟି ଅମୃତ ସ୍ତମ୍ଭ ଅର୍ଥାତ୍ ଭାରତର ନାରୀ ଶକ୍ତି, ଯୁବ ଶକ୍ତି, କୃଷି ଶକ୍ତି ଏବଂ ଗରିବଙ୍କୁ ପ୍ରାଥମିକତାରେ ରଖିଛନ୍ତି । ମହିମାବିଚାର ଓ ସନ୍ଥକବିଙ୍କ ବାର୍ତ୍ତାକୁ ପାଠ୍ୟକ୍ରମର ଅଂଶବିଶେଷ କରିବା ପାଇଁ ଯୋଜନା ହୋଇଛି । ଏକବିଂଶ ଶତାବ୍ଦୀରେ ପିଲାମାନେ ଏହାକୁ ବିଚାର ଭାବେ ଗ୍ରହଣ କରିବେ । ଜାତୀୟ ଶିକ୍ଷା ନୀତି ଅନୁସାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଛତିଶଗଡ଼ ବିଳାସପୁର ସ୍ଥିତ ଗୁରୁ ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭୀମ ଭୋଇ ଚେୟାର ପ୍ରତିଷ୍ଠା ହୋଇଛି।

ଆଜି ୧୨.୩୦ରେ ତାଳଚେରରେ ପହଞ୍ଚିବେ ଧର୍ମେନ୍ଦ୍ର ପ୍ରଧାନ

ଉଲ୍ଲେଖନୀୟ ଯେ, ଏହି ଅବସରରେ ଶ୍ରୀ ପ୍ରଧାନ ମାନ୍ୟବର ରାଷ୍ଟ୍ରପତିଙ୍କ ସହ ରେଢାଖୋଲରେ ଭୀମ ଭୋଇଙ୍କ ସହ ଜଡ଼ିତ ସ୍ମୃତିସ୍ଥଳୀ ପରିଦର୍ଶନ କରିଥିଲେ । ପ୍ରଥମେ ମଧୁପୁର ଠାରେ ଭୀମ ଭୋଇଙ୍କ ଆବିର୍ଭାବ ପୀଠ ଏବଂ ଚଉଷଠି ସିଦ୍ଧଙ୍କର ଧୁନୀ ମଣ୍ଡପ ଦର୍ଶନ କରିଥିଲେ । କନ୍ଧରାରେ ଭୀମ ଭୋଇ ଦିବ୍ୟ ଜ୍ୟୋତି ଦର୍ଶନ ଏବଂ ଜ୍ଞାନପ୍ରାପ୍ତି ପୀଠ(ସ୍ମୃତି କୂପ)କୁ ଦେଖିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ କାଙ୍କଣପଡ଼ା ଠାରେ ଭୀମ ଭୋଇଙ୍କ ପବିତ୍ର ଆଶ୍ରମ ପରିଦର୍ଶନ କରି ନିଜକୁ ସୌଭାଗ୍ୟଶାଳୀ ମନେ କରିଥିବା କହିଥିଲେ। 


 

Sponsored
Santhkabi Bhim Bhoi | Argus News