ମୃତ୍ୟୁ ଅପେକ୍ଷାରେ ‘ସପ୍ତଧାରା’, ମାଲକାନଗିରି ସୁନ୍ଦରୀ ଏବେ ସୁପ୍ତ

ସୁପ୍ତ ହେବାକୁ ବସିଲାଣି ମାଲକାନଗିରି ସୁନ୍ଦରୀ ସପ୍ତଧାରା। ନଦୀ ତାର ସତ୍ତା ହରାଇବାକୁ ବସିଛି। ନଦୀଶଯ୍ୟା ଶୁଷ୍କ ହୋଇଯାଇଛି। ପରିସ୍ଥିତି ଏମିତି ନଦୀ ଏବେ ପଥର ବାଲି ମୁରୁଭୂମିରେ ପରିଣତ ହେଲାଣି। ରକ୍ଷଣାବେକ୍ଷଣ ଅଭାବରୁ ଲୋକେ ପାଣି ପାଇପାରୁ ନାହାନ୍ତି। ମାଲକାନଗିରି ଜିଲାର ପ୍ରବେଶ ପଥ ଗୋବିନ୍ଦାପାଲ୍ଲୀ। ସେହିଠାରୁ ୬ କିମି ଆଗରୁ ବଣ, ପାହାଡ଼ ଦେଇ ଜିଲାର ପାଦ ଧୋଇ କେଉଁ ଆବହମାନ କାଳରୁ ପାହାଡ଼ି କନ୍ୟା ସାତଧାରର ସମାହାର ସପ୍ତଧାରା ନଦୀ ବୋହି ଚାଲିଛି। ମାତ୍ର ଏହି ସପ୍ତଧାରା ଆଜି ସୁପ୍ତ ହୋଇଯାଇଛି।
2017 ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସପ୍ତଧାରାର ଉନ୍ନତି ପାଇଁ ବହୁ ଯୋଜନା ଘୋଷଣା କରିଥିଲେ। ମାତ୍ର ଘୋଷଣା ଘୋଷଣାରେ ରହିଗଲା । ଏପଟେ ୨୦ ବର୍ଷରୁ ଊର୍ଦ୍ଧ୍ବ ହେବ ସପ୍ତଧାରା ଜଳସେଚନ ପ୍ରକଳ୍ପ ସ୍ଥଗିତ ରହିଛି। ସେହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଜଳଧାର ବଞ୍ଚି ରହିବା ସହିତ କୃଷି ପାଇଁ ସହାୟକ ହୋଇଥାନ୍ତା। ଏପଟେ ଗୋବିନ୍ଦପାଲ୍ଲୀ ଘାଟି ଉପରେ ସପ୍ତଧାରାର ଜଳଧାରାକୁ ଆନ୍ଧ୍ରର ଏକ ବେସରକାରୀ ଜଳବିଦ୍ୟୁତ୍ ପ୍ରକଳ୍ପ ଅଟକାଇ ଦେଇଛି। ସରକାରଙ୍କ ନିଦରଦ ପଣିଆ ଓ ବଦଳୁଥିବା ପରିବେଶ ସପ୍ତଧାରାକୁ ଶୁଷ୍କ କରିବାରେ ଲାଗିଛି ବୋଲି ଅଭିଯୋଗ ହୋଇଛି
ନଦୀର ଉଭୟ ପାର୍ଶ୍ୱ ଘଞ୍ଚ ଜଙ୍ଗଲ ଓ ପାହାଡ଼ରେ ପରିପୂର୍ଣ୍ଣ। ସପ୍ତଧାରା ପାଣି ଉପରେ ଧୂଙ୍ଗିଆପୁଟ, ପାତ୍ରପୁଟ ପରି ଅନେକ ଗ୍ରାମର ଚାଷୀ ନିର୍ଭର କରନ୍ତି। କିନ୍ତୁ ଆଜି ସେହି ପାହାଡ଼ି କନ୍ୟା ସପ୍ତଧାରା ଶୋଇପଡ଼ିଛି। ଚିରସ୍ରୋତା ଆଜି ଆଉ ନାହିଁ। କେବଳ ପଥର ଗାତ ଓ ନଦୀ ଶଯ୍ୟାର ଗଭୀର ସ୍ଥାନ ଛାଡି ଦେଲେ ପାଣି ଆଉ କୁଳୁକୁଳୁ ହୋଇ ବୋହୁ ନାହିଁ। ତେବେ ଏହାର ପୁନରଉଦ୍ଧାର ପାଇଁ ସରକାର କିଛି ପଦକ୍ଷେପ ନନେଲେ ଦିନେ ମାଲକାନଗିରୀ ମ୍ୟାପରୁ ହଜିଯିବ ସପ୍ତଧାରା।
