Hospital Violence / ସାରସକଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା: ଭଙ୍ଗାରୁଜା ପରେ ମେଡିକାଲ୍ ସାମଗ୍ରୀରେ ନିଆଁ

Key Points
ହସ୍ପିଟାଲରେ ଉତ୍ତେଜନା ଜଳିଲା ଔଷଧ ।
ଚିକିତ୍ସା ଅଭାବରୁ ୨ ବର୍ଷର ଝିଅ ମୃତ ।
ସାରସକଣା ହସ୍ପିଟାଲ ଲୋକଙ୍କ ଆକ୍ରୋଶ ।
ମୟୂରଭଞ୍ଜ ଜିଲ୍ଲାର ସାରସକଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆଜି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ହସ୍ପିଟାଲରେ ଡାକ୍ତର ଅନୁପସ୍ଥିତ ଥିବା ଅଭିଯୋଗକୁ କେନ୍ଦ୍ର କରି ସ୍ଥାନୀୟ ବାସିନ୍ଦା ଓ ମୃତ ଶିଶୁର ସମ୍ପର୍କୀୟମାନେ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ । ଏହାପରେ କିଛି ଲୋକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରକୁ ପ୍ରବେଶ କରି ଭଙ୍ଗାରୁଜା କରିବା ସହ ଔଷଧ ଓ ବିଭିନ୍ନ ମେଡିକାଲ୍ ସାମଗ୍ରୀ ବାହାରକୁ ଆଣି ନିଆଁ ଲଗାଇଥିବା ଅଭିଯୋଗ ହୋଇଛି ।
ଘଟଣାର ଖବର ପାଇ ଝାରପୋଖରିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସ୍ଥିତି ନିୟନ୍ତ୍ରଣ ପାଇଁ ମୁତୟନ ହୋଇଛି । ଏହି ଘଟଣାର ମୂଳ କାରଣ ଭାବେ ଗତକାଲି ଘଟିଥିବା ଏକ ଶିଶୁର ମୃତ୍ୟୁକୁ ଦର୍ଶାଯାଉଛି ।
ସାରସକଣା ବ୍ଲକର ମୁଣ୍ଢାକଟା ଗାଁର ବେହେରା ସାହିର ରାଜା ବେହେରାଙ୍କ ପ୍ରାୟ ଦୁଇ ବର୍ଷର ଝିଅ ଚୁଲବୁଲ ଘରେ ଖେଳୁଥିବା ବେଳେ ଟେବୁଲ୍ ଫ୍ୟାନର ଅସୁରକ୍ଷିତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲା । ପରିବାର ଲୋକେ ତାକୁ ତୁରନ୍ତ ସାରସକଣା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । କିନ୍ତୁ ସେଠାରେ ଡାକ୍ତର ନଥିବାରୁ ଶିଶୁଟିକୁ ପ୍ରଥମେ ଶିର୍ଷା, ପରେ ଝାରପୋଖରିଆ ଏବଂ ଶେଷରେ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜକୁ ନିଆଯାଇଥିଲା । ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ, ସାରସକଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଡାକ୍ତର ଅନୁପସ୍ଥିତି ନେଇ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନାହିଁ । ଠିକ୍ ସମୟରେ ପ୍ରାଥମିକ ଚିକିତ୍ସା ମିଳିଥିଲେ ଶିଶୁଟିର ଜୀବନ ବଞ୍ଚିପାରିଥାନ୍ତା ବୋଲି ଲୋକେ ଅଭିଯୋଗ କରିଛନ୍ତି । ତେବେ ଶିଶୁର ମୃତ୍ୟୁର ପ୍ରକୃତ କାରଣ ଓ ଡାକ୍ତର ଅନୁପସ୍ଥିତି ସମ୍ପର୍କରେ ସରକାରୀ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ବର୍ତ୍ତମାନ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି ।
📱 Get Argus News App
✨Related Topics
Explore more stories