ବିଜେଡିରେ ଦିଶୁଛି ଜଳଜଳ ପରିବାର ବାଦ

Key Points
- ଘଣ୍ଟ ଘଉଡାଇବାକୁ ଚେଷ୍ଟା କରୁଥିଲେ, ନିଜେ ଟ୍ରୋଲ ହେଲେ
- ପୋଷ୍ଟ ଏବେ ଡିଲେଟ୍ କରିବେ ନା ନାହିଁ ?
ଅର୍ଗସ ବ୍ୟୁରୋ: ଯାହା ପାଇଁ ଓକିଲାତି କରୁଥିଲେ ତାହା ପାଇଁ ଫଶିଲେ । ଏବେ ସୋସିଆଲ ମିଡିଆରେ ସସ୍ମିତଙ୍କୁ ସାଙ୍ଘାତିକ ଟ୍ରୋଲ କରୁଛନ୍ତି ୟୁଜର୍ସ । ନଜର ପକାନ୍ତୁ ବିଜେଡି ଟିକଟ ବଂଟାକୁ ନେଇ କଣ କହିଥିଲେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । କହିଥିଲେ, ପ୍ରଣବ ପ୍ରକାଶ ଦାସ ଏମିତି ଜଣେ ନେତା ଯିଏ ପରିବାରକୁ ନୁହେଁ ବରଂ ଦଳକୁ ଗୁରୁତ୍ଵ ଦିଅନ୍ତି । ସେ ଚାହିଁଥିଲେ ପରିବାରର ଏକାଧିକ ଲୋକଙ୍କୁ ଟିକଟ ଦେଇଥାଆନ୍ତେ । ହେଲେ ସେ ସେମିତି କଲେନି । ଦଳକୁ ଗୋଟିଏ ନୂଆ ବାର୍ତ୍ତା ଦେଲେ ।
ବିଜେଡିରେ ଆହୁରି ଜଳଜଳ ଦିଶିଲାଣି ପରିବାରବାଦ ଟ୍ରେଣ୍ଡ୍ । ତଥାକଥିତ ପରିବାରବାଦ ବିରୋଧୀ ଟ୍ରେଣ୍ଡସେଟର୍ ବୋଲି ଦଳ ପକ୍ଷରୁ ବହୁଳ ପ୍ରଚାରିତ ଖୋଦ୍ ଦଳର ସାଂଗଠନିକ ସଂପାଦକଙ୍କ ଘରକୁ ଗଲା ଦୁଇ ଦୁଇଟି ଟିକେଟ୍ । ସମ୍ବଲପୁର ପାଇଁ ଆଗ ନିଜେ ନେଇଥିଲେ, ଏବେ କୋରେଇ ପାଇଁ ମାଆଙ୍କୁ ବି ଦେଲେ ।
ହେଲେ ନଜର ପକାନ୍ତୁ ଗଲା ମାର୍ଚ୍ଚ ୨୩-୨୪ ତାରିଖରେ ସୋସିଆଲ୍ ମିଡିଆରେ ପ୍ରଣବଙ୍କ ସମର୍ଥନରେ ବିଜେଡିର ଏ କ୍ୟାମ୍ପେନ୍ ଉପରେ । ସେତେବେଳେ ଟିକେଟ୍ ମାଗି ନିରାଶ ହେବା ପରେ ପ୍ରଥମେ ପ୍ରଣବଙ୍କ ମାମୁ ଭବାନୀ ଶଙ୍କର ଜଗଦ୍ଦେବ ଏବଂ ପରେ ଭିଣୋଇ ଅରିନ୍ଦମ ଦାସ ବିଜେଡି ଛାଡ଼ିବା ପରେ, ଦଳରେ ପ୍ରଣବଙ୍କୁ ଯେମିତି ପରିବାରବାଦ ବିରୋଧୀ ରାଜନୀତିର ହିରୋ ସଜାଇଦେଇଥିଲେ ଦଳୀୟ ସାଂସଦ ଓ ବିଧାୟକ ତାହା କେତେ ମିଛ ଏବେ ସ୍ପଷ୍ଟ ହେଲାଣି ।
📱 Get Argus News App
✨ପରିବାରବାଦ ବିରୋଧୀ ଟ୍ରେଣ୍ଡସେଟରରୁ ପ୍ରଣବଙ୍କୁ ପରିବାରବାଦର ଟ୍ରେଣ୍ଡ ସେଟର ଭାବେ କେମିତି ସଜେଇଲା ବିଜେଡି ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ଖାଲି ଉଙ୍କି ମାରୁଛି ତାହା ନୁହେଁ ବରଂ ପରିବାରରୁ ଟିକଟ ପାଇଁ କାଳେ ବବି ପୂର୍ବରୁ ପ୍ଲାନ କରିଥିଲେ ବୋଲି ଚର୍ଚ୍ଚା ଜୋର ଧରିଛି । ମୋଟ୍ ଉପରେ ଏବେ ପୁଣି ଥରେ ସ୍ପଷ୍ଟ ହେଲା କେବଳ ଚର୍ଚ୍ଚାରେ ରହିବାକୁ ବିଜେଡି କାମ କରେ । ହେଲେ ପ୍ରକୃତରେ ବିଜେଡିର ନୀତି ଓ ନୈତିକତା ହିଁ କିଛି ନାହିଁ । ସେ ଯାହା ବି ହେଉ, ବବିଙ୍କର ଏ ଦୋମୁହାଁ ନୀତିକୁ ନେଇ କିନ୍ତୁ ଚର୍ଚ୍ଚା ଜୋର ।