Online Game Effect / UPIରେ ଟଙ୍କା ଆଣି ଫସିଲେ ! ଦୋଷ କାହାର, ଦଣ୍ଡ ଭୋଗୁଛି କିଏ ?

Key Points
UPIରେ ନେଣଦେଣ କରିଥିଲେ ବୋଲି ଭୋଗିଲେ ।
ଜଣଙ୍କ ଭୁଲ ପାଇଁ ସାରା ଗାଁ ଦଣ୍ଡ ପାଇଲା । ଆଉ ଯିଏ ଭୁଲ କରିଛି ତାର ଗାଁ ସହ କିଛି ଲେନ୍ଦେନ୍ ନାହିଁ । ତେଣୁ ଗାଁ ଲୋକେ କହୁଛନ୍ତି, 'ଦୋଷ କାହାର, ଦଣ୍ଡ ଭୋଗୁଛି କିଏ' । ଏତିକି ଜାଣିବା ପରେ ଆପଣ ନିହତି ଦ୍ୱନ୍ଦ୍ୱରେ ପଡ଼ୁଥିବେ । କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏକଥା ସତ । ଏମିତି କିଛି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଳାଉତୀ ଗାଁରେ । ଜଣେ ଅନ୍ଲାଇନ୍ ଗେମ୍ ଖେଳି ଟଙ୍କା ପାଇଲା । ହେଲେ ଗାଁର ପ୍ରାୟ ୨୦ ରୁ ୨୫ ଜଣଙ୍କ ଆକାଉଣ୍ଟ ଫ୍ରିଜ୍ କରିଦେଲା ଷ୍ଟେଟ୍ ବ୍ୟାଙ୍କ ।
ରିପୋର୍ଟ ଅନୁଯାୟୀ, ଜଣେ ବ୍ୟକ୍ତି ଅନଲାଇନ୍ରେ ଗେମ୍ ଖେଳି ଟଙ୍କା ପାଇଲେ । ଆଉ ସେହି ଟଙ୍କାରୁ ପ୍ରାୟ ୩୦ ହଜାର ଟଙ୍କା ସେ ତାଙ୍କର ଜଣେ ସାଙ୍ଗକୁ ସୁଝିଲେ । କାରଣ ସେ ତାଙ୍କଠାରୁ ଋଣ ଆଣିଥିଲେ । ହେଲେ ଏହା ତ ଥିଲା ଅତି ସାଧାରଣ କଥା । ଆପଣ ଏତିକି ଜାଣିବା ପରେ ଭାବୁଥିବେ, 'ଯିଏ ଅନଲାଇନ୍ ଗେମରୁ ଟଙ୍କା ପାଇଲା ବ୍ୟାଙ୍କ କେବଳ ତା'ର ଆକାଉଣ୍ଟ ଫ୍ରିଜ୍ କରିବା କଥା । କିମ୍ବା ଅତି ବେଶି ହେଲେ, ତାଙ୍କର ସାଙ୍ଗର ଆକାଉଣ୍ଟ ଫ୍ରିଜ କରାଯିବ । ହେଲେ ଗାଁ ସାର ଲୋକଙ୍କ ଆକାଉଣ୍ଟ କାହିଁକି ଫ୍ରିଜ୍ କରାଗଲା' । ତେବେ ଏଇଠୁ ହିଁ କାହାଣୀରେ ଆସିଲା ଟ୍ୱିଷ୍ଟ ।
ଯେଉଁ ସାଙ୍ଗ ଆକାଉଣ୍ଟକୁ ୩୦ ହଜାର ଟଙ୍କା ଆସିଥିଲା । ସେ ଗାଁରେ ଜନସେବା କେନ୍ଦ୍ର ଚଲାନ୍ତି । ତାଙ୍କର ନିୟମିତ ଭାବେ ଲୋକଙ୍କ ସହ ସମ୍ପର୍କ ଥାଏ । ତେଣୁ ତାଙ୍କ ଆକାଉଣ୍ଟରୁ ଗାଁର ଅନ୍ୟ ଲୋକଙ୍କ ପାଖକୁ ମଧ୍ୟ ଟଙ୍କା ଯାଉଥାଏ ଆସୁଥାଏ । ଏହି କ୍ରମରେ ଯେତେବଳେ ଜଣାପଡ଼ିଲା, ତାଙ୍କ ଆକାଉଣ୍ଟକୁ ଅନ୍ଲାଇନ୍ ଗେମ ଟଙ୍କା ଅସିଛି । ସେତେବେଳେ ତାଙ୍କ ଆକାଉଣ୍ଟ ସମେତ ଗାଁର ପ୍ରାୟ ୨୦ ରୁ ୨୫ ଜଣଙ୍କ ଆକାଉଣ୍ଟ ଫ୍ରିଜ୍ କରାଯାଇଥିଲା । ହେଲେ ପର ମୁହୁର୍ତ୍ତରେ ଜନସେବା କେନ୍ଦ୍ର ଚଲାଉଥିବା ବ୍ୟକ୍ତି, ବ୍ୟାଙ୍କକୁ ଯାଇ ଆଲୋଚନା କରି ତାଙ୍କ ଆକାଉଣ୍ଟ ପୁଣି ଚାଲୁ କରିଦେଲେ । ହେଲେ ନୀରିହ ଗ୍ରାମବାସୀଙ୍କ ଆକାଉଣ୍ଟ ଏବେ ବି ଅଚଳ । ଯାହାଫଳରେ ସେମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କିଏ ଇଏମ୍ଆଇ ଦେଇପାରୁ ନାହାନ୍ତି ତ କିଏ ପିଲାର ପାଠ ପଢ଼ା ପାଇଁ ଟଙ୍କା ଦେଇ ପାରୁନି । ଆଉ କିଏ ଦୋକାନ କାରବାର ବି କରିପାରୁନି ।
କ'ଣ କହୁଛନ୍ତି ଜନସେବା କେନ୍ଦ୍ର ପରିଚାଳକ ଅମିତାଭ ବିଶ୍ୱାଳ ?
ଅମିତାଭଙ୍କ କହିବା କଥା, ତାଙ୍କର ଜଣେ ସାଙ୍ଗ ଗତ କିଛି ଦିନ ତଳେ ତାଙ୍କଠାରୁ ୩୦ ହଜାର ଟଙ୍କା ନେଇଥିଲେ । ସେହି ଟଙ୍କା ସେ ତାଙ୍କୁ ଫେରାଇଥିଲେ । ଅଭିଯୋଗ ହୋଇଛି ଯେ ସେହି ଟଙ୍କା ସେ ଅନ୍ଲାଇନ୍ ଗେମ୍ରୁ ପାଇଛି । ତେଣୁ ତାଙ୍କ ଆକାଉଣ୍ଟକୁ ବ୍ୟାଙ୍କ ଫାଷ୍ଟ ଲେୟାରରେ ଫ୍ରିଜ୍ କରିଥିଲେ । ତାପରେ ସେ ଗାଁର ଯାହାକୁ ବି ନିଜ ଆକାଉଣ୍ଟରୁ କୌଣସି ବି କାରଣ ପାଇଁ ଟଙ୍କା ପଠାଇଛନ୍ତି, ସେମାନଙ୍କ ଆକାଉଣ୍ଟ ବି ବ୍ୟାଙ୍କ ଫ୍ରିଜ୍ କରିଦେଇଛି । ବ୍ୟାଙ୍କ କହିବାନୁସାରେ ୭ ଲେୟାରରେ ଆକାଉଣ୍ଟ ଫ୍ରିଜ୍ ହୋଇଛି ।
ଦେବେନ୍ଦ୍ର ନାୟକ (ଗ୍ରାମବାସୀ)
ଦେବେନ୍ଦ୍ରଙ୍କ କହିବାନୁଯାୟୀ, ତାଙ୍କ ପାଖରେ ୩୦୦୦ ଟଙ୍କା କ୍ୟାସ୍ ଥିଲା । ସେହି ଟଙ୍କା ସେ ଅମିତାଭଙ୍କୁ ଦେଇଥିଲେ । ଆଉ କହିଥିଲେ ଫୋନ୍ ପେ'ରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବାକୁ । କାରଣ ତାଙ୍କର ଏକ EMI କଟିବାର ଥିଲା । ଅମିତାଭ ମଧ୍ୟ ତାଙ୍କଠାରୁ ୩୦୦୦ ଟଙ୍କା ନେଇ ସଙ୍ଗେ ସଙ୍ଗେ ଫୋନ୍ ପେ' କରିଥିଲେ । ହେଲେ ତାପରେ ଆକାଉଣ୍ଟ ଫ୍ରିଜ୍ ହୋଇଯାଇଛି । ସେ ଆଉ EMI ଦେଇପାରି ନାହାନ୍ତି । ତେଣୁ ତାଙ୍କର ଏବେ ସିବିଲ ଖରାପ ହୋଇଛି । ସିବିଲ ଖରାପ ହେଲେ ବ୍ୟାଙ୍କ ଲୋନ ବି ଦେବ ନାହିଁ । ତେଣୁ ତାଙ୍କ ପରିବାର ଏବେ ଚିନ୍ତାରେ ।
ମମତା ପଣ୍ଡା (ଅମିତାଭଙ୍କ ସମ୍ପର୍କୀୟ)
ମମତାଙ୍କ କହିବାନୁଯାୟୀ, ତାଙ୍କ ଝିଅ ଭଦ୍ରକରେ ରହି ପାଠ ପଢ଼େ । ତା'ପାଖକୁ ୫୦୦ ଟଙ୍କା ପଠାଇବା ପାଇଁ ପୁତୁରା ଅମିତାଭଙ୍କୁ ସେ ଟଙ୍କା ଦେଇଥିଲେ । ଅମିତାଭ ମଧ୍ୟ ତୁରନ୍ତ ତାଙ୍କ ଝିଅ ପାଖକୁ ୫୦୦ ଟଙ୍କା ପଠାଇଥିଲେ । ଏବେ ତାଙ୍କ ଝିଅର ଆକାଉଣ୍ଟ ଅଚଳ । ଖାଲି ସେତିକି ନୁହେଁ, ଝିଅ ପାଖକୁ ତାର ବାପା ବି ଟଙ୍କା ପଠାନ୍ତି । ବାପାଙ୍କ ଆକାଉଣ୍ଟ ବି ଫ୍ରିଜ୍ ହୋଇଛି । ବାପାଙ୍କ ପାଖରେ ଯେଉଁ ଆକାଉଣ୍ଟ ରହିଛି, ତାହା ତାଙ୍କ ଦୋକାନରେ ମଧ୍ୟ ବ୍ୟବହାର ହୁଏ । ସେହି ଆକାଉଣ୍ଟ ଫ୍ରିଜ୍ ହେବା ପରେ ତାଙ୍କ ଦୋକାନ କାରବାର ବି ଠପ୍ ହୋଇଯାଇଛି ।
ଏମିତି କିଛି ନା କିଛି ସମସ୍ୟା ସହ ଗାଁର ପ୍ରାୟ ୨୫ ଜଣଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଛି । ତେଣୁ ସମସ୍ତେ ଏବେ ଚିନ୍ତାରେ ପଡ଼ିଛନ୍ତି । ଆଉ କହୁଛନ୍ତି, 'ଦୋଷ କାହାର, ଦଣ୍ଡ ଭୋଗୁଛି କିଏ' ।
📱 Get Argus News App
✨Related Topics
Explore more stories