ଖଣି ରାଜସ୍ଵ ଓ ଟ୍ୟାକ୍ସକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ : ଖଣି ମାଫିଆଙ୍କୁ ୪୪୦ ଭୋଲ୍ଟ ଝଟ୍କା

Key Points
- ଖଣି ମାଲିକଙ୍କୁ ଜୋରଦାର ଝଟ୍କା
- ଖଣି ରାଜସ୍ଵ ଓ ଟ୍ୟାକ୍ସକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ
- ଓଡ଼ିଶାକୁ ମିଳିପାରେ ଲକ୍ଷେ କୋଟିର ରାଜସ୍ଵ
ଅର୍ଗସ ବ୍ୟୁରୋ : ଖଣିକୁ ନେଇ ସୁପ୍ରିମକୋର୍ଟ ଦେଲେ ବଡ଼ ରାୟ । ଖଣି ମାଲିକଙ୍କୁ ଲାଗିଲା ୪୪୦ ଭୋଲ୍ଚର ଝଟକା । ଯାହାକୁ ନେଇ ଏବେ ପୁରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଚର୍ଚ୍ଚା ଏଇଥି ଲାଗି ହେଉଛି କାରଣ ସୁପ୍ରିମକୋର୍ଟଙ୍କ ରାୟ ପରେ ଓଡ଼ିଶାକୁ ମିଳିପାରେ ଲକ୍ଷେ କୋଟିର ରାଜସ୍ଵ । ୨୦୦୫ରୁ ପିଛିଲା ଭାବେ ରାଜ୍ୟମାନେ ଆଦାୟ କରିପାରିବେ ଖଣି ଟିକସ । କଥା ହେଲା, ପିଛିଲା ଭାବେ ଟିକସ ଲାଗୁ ପାଇଁ ଯୁକ୍ତି ବାଢିଥିଲେ ଆଡଭୋକେଟ ଜେନେରାଲ, ଶେଷରେ ସୁପ୍ରିମକୋର୍ଟ ଯେଉଁ ରାୟ ଶୁଣାଇଛନ୍ତି ସେଥିରେ ରାଜ୍ୟର ୯ ଜିଲ୍ଲା ଲାଭବାନ ହେବେ ବୋଲି କହିଛନ୍ତି ଆଡଭୋକେଟ ଜେନେରାଲ ।
ସୂଚନା ଅନୁସାରେ, ଖଣି ରାଜସ୍ଵକୁ ନେଇ ସୁପ୍ରିମକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ଖଣି ଖାଦାନରେ ଭରପୁର ରାଜ୍ୟଗୁଡିକ ଖଣି ଲିଜଧାରୀଙ୍କ ଉପରେ ବାକି ରହିଥିବା ଟିକସ ଓ ରୟାଲିଟି ବାବଦ ଅର୍ଥକୁ ପିଛିଲା ଭାବେ ଆଦାୟ କରିପାରିବେ । ଏପ୍ରିଲ ୧, ୨୦୦୫ ରୁ ଏହି ଅର୍ଥ ଖଣି ମାଲିକଙ୍କଠୁ ଆଦାୟ କରିବା ପାଇଁ କହିଛନ୍ତି ସୁପ୍ରିମକୋର୍ଟ । ୯ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ଖଣି ଲିଜଧାରୀଙ୍କ ଉପରେ ବକେୟା ରହିଥିବା ଟିକସ ଓ ରୟାଲିଟି ବାବଦ ଅର୍ଥ ଆଗାମୀ ୧୨ ବର୍ଷ ମଧ୍ୟରେ ପଇଠ କରିବେ । ଏପ୍ରିଲ ୧, ୨୦୧୬ ରୁ ଏହି ବକେୟା ଅର୍ଥରାଶି ଦେବା ପ୍ରକ୍ରିୟା ଆରମ୍ଭ ହେବ । ଜୁଲାଇ ୨୫ ତାରିଖରେ ଆସିଥିବା ରାୟକୁ ଏହି ୯ ଜଣିଆ ଖଣ୍ଡପୀଠ ଡିସମିସ କରିଦେଇଛନ୍ତି ।
ରାଜ୍ୟର କେମିତି ଲାଭବାନ ହେବ ସେନେଇ ନୂଆ ସରକାର ପ୍ରତିଶ୍ରୁତିବଦ୍ଧ । ସେଇଥି ଲାଗି ତ ପିଛିଲା ଖଣି ରାଜସ୍ଵ ଭାବେ ଓଡ଼ିଶା ପକ୍ଷରୁ ସୁପ୍ରିମକୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ ନିଜେ ଆଡଭୋକେଟ୍ ଜେନେରାଲ୍ ପିତାମ୍ବର ଆଚାର୍ଯ୍ୟ । ଜୁଲାଇ ୨୫ ତାରିଖରେ ୯ ଜଣିଆ ଖଣ୍ଡପୀଠ ଦେଇଥିବା ରାୟରେ କୁହାଯାଇଥିଲା, ସମ୍ବିଧାନ ଅନ୍ତର୍ଗତ ରାଜ୍ୟ ସରକାରଙ୍କର କ୍ଷମତା ଅଛି ଖଣି ମାଲିକଙ୍କ ଉପରେ କର ବସାଇବା ପାଇଁ । ଏହା ମଧ୍ୟ କୁହାଯାଇଥିଲା ଉତ୍ତୋଳନ ହୋଇଥିବା ଖଣିଜ ଉପରେ ରୟାଲିଟି ଆଦାୟ ଟିକସ ନୁହେଁ । ରାଜ୍ୟରେ ଖଣି ମାଲିକମାନେ ବଡ ଜୋରିମାନା ଦେବେ । ପିଛିଲା ଭାବେ ୨୦୦୫ ଏପ୍ରିଲ ୧ ତାରିଖରୁ ଥଣ୍ଡ ଗଣିବେ । ଏହା ଦ୍ଵାରା ଓଡିଶା ରାଜସ୍ଵକୁ ଲକ୍ଷେ କୋଟି ଟଙ୍କା ମିଳିବ । ଯେଉଁ ଅର୍ଥରାଶିରେ ୯ ଜିଲ୍ଲା ହେବେ ଲାଭବାନ । ସଠିକ ଭାବେ ଟଙ୍କା ଖର୍ଚ୍ଚ ହେଲେ ୯ ଆଦିବାସୀ ପ୍ରବଣ ଜିଲ୍ଲାର ସର୍ବନିମ୍ନ ଆବଶ୍ୟକତାରେ ରହିବନି ଅଭାବ । ରାସ୍ତା, ପକ୍କା ଘର, ମେଡିକାଲ ପାଇଁ ଖର୍ଚ୍ଚ ହେବ ଏହି ଟଙ୍କା ।
📱 Get Argus News App
✨କଥା ହେଲା, ବିଜେଡି ସରକାରରେ ଥିବା ବେଳେ ଅନେକ ରାଜସ୍ଵ ଖଣି ମାଫିଆଙ୍କଠୁ ଆଦାୟ ହୋଇପାରିନଥିଲା । ଯାହାକୁ ନେଇ ଅନେକ ସମୟରେ ବିବାଦ ଦେଖାଯାଇଥିଲା । ତେଣୁ ମାଫିଆଙ୍କୁ ଉଚିତ୍ ଶିକ୍ଷା ଦେବାକୁ ସୁପ୍ରିମକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।