Videos
|
Odisha

School Holiday / ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଆଜି ପୁଣି ସ୍କୁଲ ଛୁଟି

Rashmita Mishra
Browse all articles by Rashmita Mishra
·2 weeks ago·2 min read
ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଆଜି ପୁଣି ସ୍କୁଲ ଛୁଟି
School Holiday

Key Points

ଯାଜପୁରରେ ବନ୍ୟା ସ୍ଥିତି, 71ଟି ସ୍କୁଲ ଛୁଟି
ଦଶରଥପୁର ଓ ବିଂଝାରପୁର ବ୍ଲକ୍‌ର ୭୧ଟି ସ୍କୁଲ୍‌କୁ ଛୁଟି ଘୋଷଣା କଲେ ଜିଲ୍ଲାପାଳ
ବନ୍ୟା ପ୍ରଭାବିତ ଅଞ୍ଚଳରେ ଥମୁନି ପାଣି

ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଆଜି ପୁଣି ସ୍କୁଲ ଛୁଟି ଘୋଷଣା କରାଯାଇଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାର ଦଶରଥପୁର ଓ ବିଂଝାରପୁର ବ୍ଲକ୍‌ର ମୋଟ ୭୧ଟି ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଯାଜପୁର ଜିଲ୍ଲାପାଳ । ଏହି ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି । ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ଆଖିଆଗରେ ରଖି ଏହି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି ।

ସେପଟେ କାଣୀର କୋପରେ ୧୯ପଞ୍ଚାୟତ l ଯାଜପୁର ଜିଲ୍ଲା ଦଶରଥପୁର ଅଞ୍ଚଳରେ କାଣୀ ନଦୀର କାଳ ରୂପ ଦେଖିବାକୁ ମିଳିଛି। ଡୋଭାବିଲ ପାଟଣାଠାରେ ସୃଷ୍ଟି ହୋଇଥିବା ଘାଇ ଦେଇ ଅବିରତ ବନ୍ୟା ଜଳ ପଶୁଥିବାରୁ ମାସେ ହେଲା ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ୧୯ ପଞ୍ଚାୟତବାସୀ ।

ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଉପକୂଳ ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନରୁ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ଉତ୍ତର ଓଡ଼ିଶା ଓ ଝାଡ଼ଖଣ୍ଡ ଆଡ଼କୁ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି ।

ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ବାଲେଶ୍ୱର, ଭଦ୍ରକ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ସୋନପୁରରେ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଏବଂ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ ।

ଝାରସୁଗୁଡ଼ା, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବା ସହ ୪୦ରୁ ୬୦ କିମି ବେଗରେ ପବନ ବହିବାର ଆକଳନ କରାଯାଇଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଥିବା ବେଳେ ବନ୍ଦରଗୁଡ଼ିକ ପାଇଁ ସତର୍କତା ସୂଚନା ଜାରି ହୋଇଛି ।

ଗତ ୨୪ ଘଣ୍ଟାରେ ରାଜ୍ୟର ୪ଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ, ୨ଟି ସ୍ଥାନରେ ଅତି ପ୍ରବଳ ଓ ୯ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିଠାରେ ସର୍ବାଧିକ ୩୦୯.୨ ମିମି ବର୍ଷା ହୋଇଛି। ଜୁନ୍ ୧ରୁ ଏଯାବତ୍ ରାଜ୍ୟରେ ୧୧୭୦.୩ ମିମି ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକଠାରୁ ୨୭ ପ୍ରତିଶତ ଅଧିକ। କେବଳ ଗଜପତି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
School Holiday | Flood Affected Areas School Holiday Today | Schools Closed Due to Flood Situation | Argus News