Videos
|
Odisha

ଥମୁନି ରେଭେନ୍ସା ତାତି : ତିନି ବିଜେଡି ନେତାଙ୍କ ନାଁରେ ମାମଲା ରୁଜୁ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଥମୁନି ରେଭେନ୍ସା ତାତି : ତିନି ବିଜେଡି ନେତାଙ୍କ ନାଁରେ ମାମଲା ରୁଜୁ

Key Points

  • ଥମୁନି ରେଭେନ୍ସା ତାତି
  • ତିନି ବିଜେଡି ନେତାଙ୍କ ନାଁରେ ମାମଲା ରୁଜୁ
  • ଜାଣିଶୁଣି କାହିଁକି ହୀନ ରାଜନୀତି କରୁଛି ବିଜେଡି ?

ଅର୍ଗସ ବ୍ୟୁରୋ : ରେଭେନ୍ସାକୁ ନେଇ ଥମିବାରେ ନା ନେଉନି ରାଜନୀତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ବିଶ୍ଵବିଦ୍ୟାଳୟ ନାଁ ପରିବର୍ତ୍ତନ ହେବା ନେଇ ବିତର୍କ ହେବା ଦରକାର । ଏହାସହ ତାଙ୍କର ଏହା ସଂପୂର୍ଣ୍ଣ ବ୍ୟକ୍ତିଗତ ମତ ବୋଲି ସ୍ପଷ୍ଟ କରିଥିଲେ । କିନ୍ତୁ ଏହାପରେ ବିଜେଡି ଯେଉଁପରି ଢଙ୍ଗରେ ରାଜନୈତିକ ରୁଟି ସେକୁଛି ତାହାକୁ ନେଇ ନୂଆ ବିବାଦ ଉପୁଜିଲାଣି । ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ମଶାଲ ଶୋଭାଯାତ୍ରା ଓ ଗଣ୍ଡଗୋଳ ଘଟଣାରେ ମାଲଗୋଦାମ ପୋଲିସ ବିଧାୟକ ବ୍ୟୋମକେଶଙ୍କ ସମେତ ତିନି ବିଜେଡି ନେତାଙ୍କ ନାଁରେ ମାମଲା ରୁଜୁ କରିଛି । ସେପଟେ ପ୍ରସଙ୍ଗକୁ ନେଇ ଗତକାଲି ବି ବିଧାନସଭାରେ ଜୋରଦାର ହଟ୍ଟଗୋଳ ହେବାରୁ ଗୃହକୁ ଦୁଇଥର ମୁଲତବୀ ରଖିବାକୁ ପଡ଼ିଛି ।

ନାଁ ପରିବର୍ତ୍ତନକୁ ବିରୋଧ କରି ଦିନରେ ରେଭେନ୍ସା ବିଶ୍ବବିଦ୍ୟାଳୟ ଲନରେ ସଭା ହୋଇଥିଲା ଏବଂ ରାତିରେ ବିରାଟ ମଶାଲ ଶୋଭାଯାତ୍ରା ହେଲା । ଅଭିଯୋଗ ହେଉଛି ଖାସ୍ ଏଥିପାଇଁ ଶୋଭାଯାତ୍ରା ଯାଉଥିବା କିଛି ସ୍ଥାନରେ ଲାଇଟ୍ ବି ବନ୍ଦ ରହିଥିଲା । ଆଉ ତା ପରେ ସେଭ୍ ରେଭେନ୍ସା ଲିଗାସି ନାଁରେ ଭିଡିଓ ରିଲିଜ୍ ହେଲା । ହେଲେ ସଭା ଓ ରାଲିରେ ଅନ୍ୟମାନଙ୍କ ସହ ସାମିଲ ଥିଲେ ବିଜେଡି ବିଧାୟକ ବ୍ୟୋମକେଶ ରାୟ, ଲେନିନ୍ ମହାନ୍ତି ଓ ବବି ଖାନଙ୍କ ଭଳି ବିଜେଡି ନେତା। ଆଉ ସଂଧ୍ୟା ସମୟରେ ରେଭେନ୍ସା କ୍ୟାମ୍ପସରେ ଶୋଭାଯାତ୍ରା ବେଳେ ବିଶ୍ଵବିଦ୍ୟାଳୟ ଭିତରକୁ ଅଣଛାତ୍ରଙ୍କ ପ୍ରବେଶର ପ୍ରତିବାଦ ଓ ଗଣ୍ଡଗୋଳର ଚିତ୍ର ଆସିଥିଲା ।
କ୍ୟାମ୍ପସ ଭିତରେ ଶୋଭାଯାତ୍ରା ପାଇଁ ଅନୁମତି ଦେଲା କିଏ ?

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସେଦିନ କ୍ୟାମ୍ପସ ଭିତରେ ଏମିତି ଶୋଭାଯାତ୍ରା ପାଇଁ ଅନୁମତି ନଥିଲା ? କେବଳ ରେଭେନସା ଗେଟରୁ ଘଣ୍ଟା ଛକଯାଏଁ ଶୋଭାଯାତ୍ରା ପାଇଁ ଅନୁମତି ଥିଲା । ତା’ହେଲେ କ୍ୟାମ୍ପସ ଭିତରେ ଶୋଭାଯାତ୍ରା ପାଇଁ କାହା ଅନୁମତିରେ ଯାଇଥିଲେ ବିଜେଡି ନେତା ? ବିରୋଧୀଙ୍କ ପାଖରେ ପ୍ରସଙ୍ଗ ନଥିବାରୁ ଜାଣିଶୁଣି ଏହାକୁ ପ୍ରସଙ୍ଗ କରୁନି ତ ବିଜେଡି ? ସେପଟେ, ଗଣ୍ଡଗୋଳକୁ ନେଇ ମାଲଗୋଦାମ ଥାନାରେ ରେଭେନ୍ସା ଛାତ୍ର ଶ୍ୟାମସୁନ୍ଦର ସାହୁଙ୍କ ଏତଲା ଆଧାରରେ ପୋଲିସ ବିଜେଡି ନେତା ତଥା ବିଧାୟକ ବ୍ୟୋମକେଶ ରାୟ, ଲେନିନ୍ ମହାନ୍ତି ଓ ଛାତ୍ର ବିଜେଡି ନେତା ବବି ଖାନ୍‌ଙ୍କ ନାଁରେ ମାମଲା ରୁଜୁ କରିଛି। ସେହିପରି ମଶାଲ ଶୋଭାଯାତ୍ରା କରୁଥିବା ଗୋଷ୍ଠୀଙ୍କ ପକ୍ଷରୁ ମଧ୍ୟ ଏକ ପାଲଟା ଅଭିଯୋଗ ଆଧାରରେ ତଦନ୍ତ ଚାଲିଥିବା କହିଛନ୍ତି ଅତିରିକ୍ତ ଡିସିପି ଅନିଲ ମିଶ୍ର। 

ଏପଟେ, ଗତକାଲି ବିଧାନସଭାରେ ବିଜେଡି ବିଧାୟକ ବ୍ୟୋମକେଶ ରାୟ ଏହି ପ୍ରସଙ୍ଗ ଉଠାଇଥିଲେ । ବାଚସ୍ପତିଙ୍କ ଦୃଷ୍ଟିଆକର୍ଷଣ କରି କହିଥିଲେ, ମୋ ନାଁରେ ଆର୍ମସ ଆକ୍ଟ ଲଗାଯାଇଛି । ମୁଁ ମଶାଲ ଶୋଭାଯାତ୍ରାରେ ବନ୍ଧୁକ ଧରି ଧମକ ଦେଉଥିଲି ବୋଲି ଏତଲାରେ ଲେଖାଯାଇଛି । ଏପଟେ ବିଜେଡି ଏତେ ବିଚଳିତ କାହିଁକି ବୋଲି ପ୍ରଶ୍ନ କରିଛି ବିଜେପି । କହିଛି ବିଜେଡି ସରକାରରେ ଷ୍ଟ୍ରାଇକ୍ ପାଇଁ ବିନା ଏଫଆଇଆରରେ ଗିରଫ କରାଯାଉଥିଲା ବେଳେ ଏଠି ତ ଅଭିଯୋଗ ଆଧାରରେ ମାମଲା ହୋଇଛି । ତଦନ୍ତ ହେଲେ ସବୁ ସ୍ପଷ୍ଟ ହୋଇଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ ରେଭେନ୍ସାକୁ ନେଇ ରାଜନୀତି ହେଉଛି । ଯାହା ପିଲାଙ୍କ ପାଠପଢା ସହ ଶୈକ୍ଷିକ ବାତାବରଣକୁ ନଷ୍ଟ କରୁଛି । ତେଣୁ ଆଗାମୀ ଦିନରେ ପ୍ରଶାସନ ଓ ରେଭେନ୍ସା କର୍ତ୍ତୃପକ୍ଷ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।