ସିକ୍ୟୁରିଟିଗାର୍ଡଙ୍କ ଭରସାରେ ସ୍ୱାସ୍ଥ୍ୟସେବା

Key Points
- ଅଣ ସ୍ୱାସ୍ଥ୍ୟକର୍ମଚାରୀଙ୍କ ହାତରେ ରୋଗୀଙ୍କ ଜୀବନ
- ସିକ୍ୟୁରିଟିଗାର୍ଡଙ୍କ ଭରସାରେ ସ୍ୱାସ୍ଥ୍ୟସେବା
ଅର୍ଗସ ବ୍ୟୁରୋ: ସ୍ୱାସ୍ଥ୍ୟସେବାକୁ ନେଇ ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ହେଲେ ଗ୍ରାଉଣ୍ଡରେ ସ୍ଥିତି ପୁରା ଅଲଗା । ସିକ୍ୟୁରିଟିଗାର୍ଡଙ୍କ ଭରସାରେ ଚାଲିଛି ସ୍ୱାସ୍ଥ୍ୟସେବା । କିଏ ରୋଗୀଙ୍କ ନାମରେ ଟିକେଟ୍ କାଟୁଛି ତ ଆଉ କିଏ ପ୍ରେସ୍କ୍ରିପ୍ସନ୍ରେ ରୋଗୀଙ୍କ ନାମ ଲେଖିବା ସହ ରକ୍ତଚାପ ଓ ଓଜନ ମାପୁଛି ।
ଏ ଦୃଶ୍ୟ ହୁଏ ତ ଆପଣଙ୍କୁ ବିଚଳିତ କରିପାରେ । ଡାକ୍ତରଖାନାରେ ସୁରକ୍ଷାକର୍ମୀଙ୍କର ଇଏ କି ରୋଲ୍....
ଆଉ ସବୁଠୁ ଆଶ୍ଚର୍ଯ୍ୟ କରିବା କଥା ହେଉଛି ସ୍ୱାସ୍ଥ୍ୟକର୍ମଚାରୀଙ୍କ ବ୍ୟତୀତ ଅନ୍ୟ କେହି ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ କାମରେ ଜଡିତ ହୋଇପାରିବେନି ବୋଲି ସରକାରଙ୍କର କଡା ନିର୍ଦ୍ଦେଶ ଅଛି । ହେଲେ ନିର୍ଦ୍ଦେଶ କେତେ ପାଳନ ହେଉଛି ଆପଣ ବୁଝିପାରୁଥିବେ ।
ଏ ହେଉଛି ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ଅନନ୍ତପୁର ଓ ସୋର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଦୃଶ୍ୟ । ଏହାର ଖୋଲା ଉଲ୍ଲଂଘନ ଦେଖିବାକୁ ମିଳିଛି ।
ରାଜ୍ୟ ସରକାର ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମୋ ଡାକ୍ତରଖାନା ଭାବରେ ଘୋଷଣା କରିବା ପରେ ମଧ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଅଭାବ ଯୋଗୁଁ ସିକ୍ୟୁରିଟିଗାର୍ଡ ସାଜିଛନ୍ତି ଲୋକଙ୍କ ଚିକିତ୍ସା ପାଇଁ ସାହାରା ।
📱 Get Argus News App
✨ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସୋର, ବାହାନଗା, ଖଇରା, ସିମୁଳିଆ, ଔପଦା,ସମେତ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଲୋକ ନିର୍ଭରଶୀଳ ଅଟନ୍ତି । କିନ୍ତୁ ଏହି ଡାକ୍ତରଖନାରେ ଅବ୍ୟବସ୍ଥା ଏମିତି ଯେ ସ୍ୱାସ୍ଥ୍ୟକର୍ମୀ ବଦଳରେ ବର୍ତ୍ତମାନ ସିକ୍ୟୁରିଟି ଗାର୍ଡଙ୍କ ହାତରେ ରୋଗୀ ସେବାକୁ ହସ୍ତାନ୍ତର କରିଛନ୍ତି ରାଜ୍ୟ ସରକାର ।
ସେହିପରି ସୋର ବ୍ଲକ ଅନନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ସମାନ ଅବସ୍ଥା, ସିକ୍ୟୁରିଟିଗାର୍ଡ ସାଜିଛନ୍ତି ରୋଗୀଙ୍କ ଭରସା । ତେବେ ସୋର ଡାକ୍ତରଖାନାରେ ଲୋକଙ୍କ ନିର୍ଭରଶୀଳତା ଯେତେ ବଢୁଛି ଅବ୍ୟବସ୍ଥା ଓ ଲୋକଙ୍କର ଆସ୍ଥା ସେତେ କମୁଛି । ଡାକ୍ତରଖାନାରେ ସିକ୍ୟୁରିଟିଗାର୍ଡମାନେ ସୁରକ୍ଷା ଦେବା ବଦଳରେ ଡାକ୍ତରଖାନାରେ ବିଭିନ୍ନ ପ୍ରକାର କାମରେ ନିୟୋଜିତ ରହୁଛନ୍ତି।
କର୍ମଚାରୀ ନଥିବା କହି ଅଣ ସ୍ବାସ୍ଥ୍ୟ କର୍ମଚାରୀଙ୍କ ହାତରେ ରୋଗୀଙ୍କ ଜୀବନ ସହ ଖେଳୁଥିବା ବେଳେ ଅନ୍ୟପଟେ ଡାକ୍ତରଖାନାର ସୁରକ୍ଷା ବ୍ୟବସ୍ଥା ହୁଗୁଳିଯାଉଛି ।