ସୀମାରେ ୨ ହଜାର ନକ୍ସଲ, କମ୍ବିଂରେ ସାମିଲ ହୋଇଛନ୍ତି ୪ ରାଜ୍ୟର ସୁରକ୍ଷା କର୍ମୀ

ଛତିଶଗଡ଼ - ତେଲଙ୍ଗାନା ସୀମାରେ ୨୦୦୦ ନକ୍ସଲକୁ ଘେରି ରହିଛନ୍ତି ୧୦ ହଜାର ଯବାନ। କମ୍ବିଂରେ ସାମିଲ ହୋଇଛନ୍ତି ୪ ରାଜ୍ୟର ସୁରକ୍ଷା କର୍ମୀ। ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ଛତିଶଗଡ଼ର ସୀମାବର୍ତ୍ତୀ ଜଙ୍ଗଲକୁ ଯବାନମାନେ ଯାଞ୍ଚ କରୁଛନ୍ତି। ସୂଚନା ଅନୁସାରେ ଛତିଶଗଡ଼ରେ ନକ୍ସଲ ବିରୋଧୀ ଅପରେସନ୍ ଜୋରଦାର ହେବା ପରେ ତେଲଙ୍ଗାନା ମୁହାଁ ହୋଇଥିଲେ ନକ୍ସଲ। ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାର ଭେଙ୍କେଡ଼ପୁରଠାରୁ ଛତିଶଗଡ଼ର ବିଜାପୁର ପର୍ଯ୍ୟନ୍ତ ୧୫୦ କିଲୋମିଟର ଜଙ୍ଗଲରେ ପ୍ରାୟ ୨୦୦୦ ନକ୍ସଲ ଆତ୍ମଗୋପନ କରିଛନ୍ତି।
ଜଣେ ବି ନକ୍ସଲ ଯେମିତି ଖସିଯିବେ ନାହିଁ, ସେଥିପାଇଁ ପୂରା ଜଙ୍ଗଲକୁ ୧୦ହଜାର ଯବାନ ଘେରି ରହିଥିବା ସୂଚନା ମିଳିଛି। ନକ୍ସଲଙ୍କ ଠିକଣା ଠାବ କରିବାକୁ ଡ୍ରୋନ୍ର ସହାୟତା ନିଆଯାଇଛି। ଡ୍ରୋନ୍ରୁ ମିଳିଥିବା ଫୁଟେଜ୍ ଅନୁସାରେ ଗେରିଗୁଟ୍ଟୁ ଜଙ୍ଗଲରେ ନକ୍ସଲ ଲୁଚିଛନ୍ତି। ଗତ 36 ଘଣ୍ଟା ହେଲାଣି ଦୁଇ ରାଜ୍ୟର ଯବାନ ଅପରେସନ୍ ଆରମ୍ଭ କରିଛନ୍ତି। ଯେ କୌଣସି ମୁହୂର୍ତ୍ତରେ ଗୁଳି ବିନିମୟ ହୋଇପାରେ। ଆଜି ପର୍ଯ୍ୟନ୍ତ ଦେଶର ସବୁଠାରୁ ବଡ଼ ଅପରେସନ୍ ଆରମ୍ଭ ହୋଇ ସାରିଥିବା କୁହାଯାଉଛି। ଅପରେସନରେ ସାମିଲ ହୋଇଛି ବାୟୁସେନାର ହେଲିକପ୍ଟର ଏବଂ ଏଣ୍ଟି ଲ୍ୟାଣ୍ଡମାଇନ୍ ଗାଡ଼ି।