ସଜାଡିହେଉନି, ଛିଡିବାରେ ଲାଗିଛି ବିଜେଡି ! ପ୍ରକାଶ ଇସ୍ତଫା ଦେଲେ, ଅମର ଦୂରେଇ ଦେଲେ

Key Points
- ସଜାଡିହେଉନି, ଛିଣ୍ଡିବାରେ ଲାଗିଛି ବିଜେଡି
- ପ୍ରକାଶ ଇସ୍ତଫା ଦେଲେ, ଅମର ଦୂରେଇ ଦେଲେ
- ବିଜେଡିରେ ଅଲ ଇଜ ନଟ୍ ୱେଲ୍
ଅର୍ଗସ ବ୍ୟୁରୋ: ଦଳ ଓ ନେତାଙ୍କୁ ଯେତେ ଏକାଠି ରଖିବାକୁ ଚେଷ୍ଟା କଲେ ବି ସଫଳ ହେଉନାହାନ୍ତି ନବୀନ । ନିଇତି ନେତାଏ ଭିନ୍ନଭିନ୍ନ ମନ୍ତବ୍ୟ ଦେଉଛନ୍ତି ତ ଦଳରୁ ଦୂରେଇ ରହୁଛନ୍ତି ବରିଷ୍ଠ ନେତା । ଖାଲି ଏତିକି ନୁହେଁ ବରଂ ୨୪ରେ ପ୍ରାର୍ଥୀ ହୋଇଥିବା ନେତା ବି ଦଳ ଛାଡିଲେଣି । ଏମିତି ସ୍ଥିତିରେ ବିଜେଡି କେମିତି ବିଜୟ ହେବ ତାହାକୁ ନେଇ ଏବେ ଭାରି ଚର୍ଚ୍ଚା ।
ଦିନେ ବିଜେଡିର ଗଡ଼ ଥିଲା ଯାଜପୁର । ସାତଟି ଯାକ ନିର୍ବାଚନ ମଣ୍ଡଳୀରେ ବିଜେଡିର ଦବଦବା ଥିଲା । ଖାଲି ଦବଦବା ନଥିଲା ବରଂ ସବୁ ଆସନରୁ ବିଜେଡିର ପ୍ରାର୍ଥୀ ବିଜୟ ହୋଇ ଆସୁଥିଲେ । ହେଲେ ଏଥର ନିର୍ବାଚନରେ ବଡ଼ଚଣା, ଧର୍ମଶାଳା, କୋରେଇ ଓ ସୁକିନ୍ଦାରୁ ବିଜେଡି ନେତା ଧୂଳି ଚାଟିଥିବା ବେଳେ ଯାଜପୁର, ବରୀ ଓ ବିଞ୍ଝାରପୁରରେ ବିଜୟ ହୋଇଥିଲା । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା କି ଧୀରେ ଧୀରେ ବିଜେଡିର ଗଡ଼ ଭାଙ୍ଗୁଛି । ହେଲେ ବଡଚଣାର ବରିଷ୍ଠ ନେତା ଅମର ଶତପଥୀ ବିଜେଡି କାର୍ଯ୍ୟକ୍ରମରୁ ଦୂରେଇ ରହିବା ସହ ରାଜନୈତିକ କାର୍ଯ୍ୟକ୍ରମରୁ ମୁଁ ଦୂରେଇ ରହୁଛି କହିବା ପରେ ଏବେ ଭାରି ଚର୍ଚ୍ଚା ବଢିଛି ।
ରଜନୀକାନ୍ତଙ୍କ ବିଭୀଷଣ ବୟାନ କହୁଛି ବିଜେଡିରେ ଅଲ ଇଜ ନଟ୍ ୱେଲ୍ । କ୍ଷମତା ଯିବା ପରେ କନ୍ଦଳ ଆହୁରି ତେଜିବାରେ ଲାଗିଛି । କହିବାକୁ ଗଲେ ବିଜେଡି ବଢୁଛି କମ୍, ଛିଡୁଛି ଅଧିକ । କ୍ଷମତା ଯିବା ପରେ କନ୍ଦଳ ତୀବ୍ର ହେବାରେ ଲାଗିଛି । ଦଳୀୟ କାର୍ଯ୍ୟକ୍ରମରେ ନେତୃତ୍ୱଙ୍କ ଉପରେ ବର୍ଷୁଛନ୍ତି ନେତା । ଦଳରେ ଏବେ ବି ଚାଲିଛି ସମାନ୍ତରାଳ କାର୍ଯ୍ୟକ୍ରମ । ଯାଜପୁରରେ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ଗୋଟିଏ ମଞ୍ଚରେ ଏକାଠି ଜିଲ୍ଲାର ସମସ୍ତ ନେତା, ହେଲେ ନଥିଲେ ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ । ରାଜ୍ୟସ୍ତରୀୟ କି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଅମରଙ୍କ ଅନୁପସ୍ଥିତିକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା । ଅମରଙ୍କୁ ନିମନ୍ତ୍ରଣ ହୋଇନି ନା ସେ ଯାଇନାହାନ୍ତି? କଥା ହେଲା, ଗାନ୍ଧୀ ଜୟନ୍ତୀ ଦିନ ବଡ଼ଚଣାଠାରେ ଗୋଟିଏ ଗୋଷ୍ଠୀ ସହ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଅମର ହେଲେ ବର୍ଷା ପ୍ରିୟଦର୍ଶିନୀ ଏବଂ ରାଜ ନାରାୟଣ ମହାପାତ୍ର ଭିନ୍ନ ଭିନ୍ନ ପଦଯାତ୍ରା କରିଥିଲେ ।
📱 Get Argus News App
✨ଉପକୂଳ ଓଡ଼ିଶାରେ ବିଜେଡି ଫାଳଫାଳ ହେଲାଣି । ସଜସଜ ଜ୍ୟୋତି ପାଣିଗ୍ରାହୀ ଓ ଶଶି ସାହୁ ବିବାଦ ତେଜିବାରେ ଲାଗିଛି । ଜ୍ୟୋତି ପାଣିଗ୍ରାହୀ ନିଜେ ଜିଲ୍ଲା ସଭାପତି ହିସାବରେ ଦଳ ପକ୍ଷରୁ ଆୟୋଜିତ ସଭ୍ୟ ସଂଗ୍ରହ ଅଭିଯାନରେ ଶଶିଙ୍କୁ ନିମନ୍ତ୍ରଣ କରି ନଥିବାରୁ ଅଲଗା ଭାବେ ଶଶୀ କରିଛନ୍ତି କାର୍ଯ୍ୟକ୍ରମ । ଏପଟେ, କଟକ-ଚୌଦ୍ଵାର ବିଧାୟକ ସୌଭିକ ବିଶ୍ଵାଳ ବବି ଓ ପାଣ୍ଡିଆନଙ୍କ ନାଁ ନେଇ ଯେଉଁ ପରି ଭାବରେ ସମାଲୋଚନା କଲେ ସେଥିରୁ ଗୋଟିଏ କଥା ସ୍ପଷ୍ଟ ବିଜେଡିରେ ଏବେ ନେତାଙ୍କ ମଧ୍ୟରେ ଚାଲିଛି ପ୍ରବଳ ବାକଯୁଦ୍ଧ । ଯଦି ଏମିତି ଚାଲିବ ତାହାଲେ ପଂଚାୟତ ନିର୍ବାଚନରେ ଦଳ ହାରିବା ଥୟ ବୋଲି ଲୋକେ କହିଲେଣି ।