କଣ୍ଟ୍ରୋଲରେ ନାହାନ୍ତି BJD ନେତା, ଯିଏ ଯାହା ପାରିଲେ କହୁଛନ୍ତି !

ଆଉଟ ଅଫ୍ କଣ୍ଟ୍ରୋଲରେ ବିଜେଡି ନେତା । ନୀବନଙ୍କ ନିୟନ୍ତ୍ରଣରେ ଆଉ ନାହାନ୍ତି । ଏବେ ଯିଏ ଯାହା ପାରୁଛନ୍ତି କହୁଛନ୍ତି । ମନର ଅସନ୍ତୋଷ ବାହାରେ ପ୍ରକାଶ କରୁଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ପରାଜୟ ପରେ ବିଜେଡି ବିରୁଦ୍ଧରେ ବିଷୋଦ୍ଗାର କରୁଛନ୍ତି ଜଣକ ପରେ ଜଣେ ବିଜେଡି ନେତା। ଦୀର୍ଘ ଦିନ ଧରି ଚାପି ହୋଇ ରହିଥିବା ଅସନ୍ତୋଷ ଏବେ ସାମ୍ନାକୁ ଆସୁଛି ।
ଏବେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଡେଇ ଦଳ ବିରୋଧରେ କରିଛନ୍ତି ବିଷୋଦ୍ଗାର । ସେ କହିଛନ୍ତି ଦଳର ଚକ୍ରାନ୍ତ ପାଇଁ ମୁଁ ସକ୍ରିୟ ରାଜନୀତିରୁ ଦୂରେଇ ଗଲି । ଦଳୀୟ ଚକ୍ରାନ୍ତର ଶିକାର ହୋଇ ପ୍ରୀତି ରଞ୍ଜନଙ୍କୁ କୋରେଇ ଛାଡିବାକୁ ପଡିଥିଲା। ପ୍ରିତିରଞ୍ଜନ ଓ କୋରେଇବାସୀଙ୍କ ଇଛା ବିରୁଦ୍ଧରେ ପ୍ରିତିରଞ୍ଜନଙ୍କୁ ଯିବାକୁ ପଡିଲା ସୁକିନ୍ଦା। ଦଳୀୟ ରାଜନୀତିର ଶିକାର ହୋଇ ସେହିଦିନଠାରୁ ମୁଁ ସକ୍ରିୟ ରାଜନୀତିରୁ ଦୁରେଇଯାଇଛି। ଅହଂକାରରେ ରାଜନୈତିକ ଦଳ ଭାଙ୍ଗିଯାଏ। ଗର୍ବ ଅହଙ୍କାର ଜୀବନର ବଡ଼ ଶତ୍ରୁ, ଅହଂକାର ବହୁତ କ୍ଷତିକରେ । ଅହଂକାରରେ ବ୍ୟକ୍ତି ନଷ୍ଟ ହୋଇଯାଏ। ଅହଙ୍କାରରେ ସରକାର ଭାଙ୍ଗିଯାଏ।
ଯାଜପୁର କୋରେଇ ନିର୍ବାଚନ ମଣ୍ଡଳୀରେ ଥିବା କରଦା ହରିହାଟ ମହୋତ୍ସବରେ ଯୋଗଦେଇ ଏଭଳି କହିଛନ୍ତି ଶ୍ରୀ ଘଡ଼େଇ । ମଞ୍ଚ ଉପରେ ଭାଷଣ ଦେବା ବେଳେ ସେ ସିଧାସଳଖ ବିଜେଡିକୁ ଟାର୍ଗେଟ କରିଛନ୍ତି । ବିଜେଡି ଦଳ ଓ ନେତାଙ୍କ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ତେବେ ଗୋଟିଏ ପଟେ ବିଜେଡି ନେତାଙ୍କ ଏଭଳି ବୟାନବାଜି ନବୀନଙ୍କୁ ଚିନ୍ତାରେ ପକାଉଥିବା ବେଳେ ଅନ୍ୟପଟେ ଦଳୀୟ ବିଧାୟକମାନେ ମଧ୍ୟ ତାଙ୍କଠାରୁ ଦୂରେଇ ଯାଉଥିବା କଥା ସାମ୍ନାକୁ ଆସୁଛି । ତେଣୁ ଏବେ ବିଜେଡି ସ୍ଥିତି ଭଲ ନଥିବା କଥା ଚର୍ଚ୍ଚା ଜୋର ଧରୁଛି ।
ସାଧାରଣ ନିର୍ବାଚନ ପରଠାରୁ ବିଜେଡି ଭାଙ୍ଗି ଯିବ ବୋଲି ଆଲୋଚନା ହେଉଛି। ବିଭିନ୍ନ ସମୟରେ କିଛି ବିଜେଡି ବିଧାୟକ ଓ ରାଜ୍ୟସଭା ସାଂସଦ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହୋଇଛି। ବିଜେପି ନେତା ମଧ୍ୟ କହିଛନ୍ତି ଯେ ବିଜେଡି ଭାଙ୍ଗିବ ଓ ତାଙ୍କ ନେତାମାନେ ବିଜେପିରେ ମିଶିବେ ।
ଅନେକ ସମୟରେ ବିଭିନ୍ନ ସ୍ଥାନରେ ବିଜେଡି ନେତାଙ୍କ ମେଳି ମଧ୍ୟ ଏଭଳି ଆଲୋଚନାକୁ ଖୋରାକ ଯୋଗାଇଛି। ଏମିତିକି କଟକରେ କିଛି ଦିନ ପୂର୍ବରୁ ବିଜେଡି ନେତା ଏକାଠି ହୋଇଥିବା ବେଳେ ସେଭଳି ମେଳି ନ କରିବାକୁ ନବୀନ ଫୋନ୍ କରି ତାଗିଦ କରିଥିଲେ ବୋଲି ଖବର ଆସିଥିଲା।
ସେହିଭଳି ଗତକାଲି ସର୍ବସମ୍ମୁଖରେ ବରିଷ୍ଠ ବିଧାୟକ ସନାତନ ମହାକୁଡ଼ଙ୍କୁ ସେ ବିଜେପି ଆଡ଼କୁ ଯାଉଛନ୍ତି କି ବୋଲି ପଚାରିବା ପରେ ଆଲୋଚନା ହେଉଛି ଯେ ନବୀନ ଭୟଭୀତ ଅଛନ୍ତି କି? ଦଳ ଭାଙ୍ଗି ଯିବ ବୋଲି ସେ ଆଶଙ୍କା କରୁଛନ୍ତି କି?