ହାରିବାର ରାଗ ଗଣମାଧ୍ୟମ ଉପରେ ସୁଝାଇଲେ ପ୍ରତାପ ଦେବ

Key Points
- ହାରିବାର ରାଗ ଗଣମାଧ୍ୟମ ଉପରେ ସୁଝାଇଲେ ପ୍ରତାପ ଦେବ
- କହିଲେ, ଆମ ଦଳର କଥା ତୁମକୁ କାହିଁକି କହିବୁ ?
- ଦଳ ହାରିଲା, ଗଣମାଧ୍ୟମର ଭୁଲ କେଉଁଠି ରହିଲା ?
ଅର୍ଗସ ବ୍ୟୁରୋ: ଏଥର ନିର୍ବାଚନରେ ମାଟି କାମୁଡ଼ିଛି ବିଜେଡି । ହାରିଲା ତ ହାରିଲା, ଅମାନତ ବି ହରାଇଲା । କାରଣ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଏଥର ଗୋଟିଏ ଜାଗାରୁ ହାରିଥିବା ବେଳେ ହିଞ୍ଜିଳିରୁ ମାତ୍ର କିଛି ଭୋଟ ବ୍ୟବଧାନରେ ବିଜୟ ହୋଇଛନ୍ତି । ହେଲେ ଏମିତି କେମିତି ଦଳ ହାରିଗଲା ତାହାକୁ ନେଇ ଚର୍ଚ୍ଚା ଜୋର ହେଉଥିବା ବେଳେ ସବୁରାଗ ଗଣମାଧ୍ୟମ ଉପରେ ଝାଡିଛନ୍ତି ଆଳିର ବିଜେଡି ବିଧାୟକ ପ୍ରତାପ ଦେବ । କହିଛନ୍ତି, ଆମ ଦଳ କାହିଁକି ହାରିଲା ? ତାହାର ସମୀକ୍ଷା ହେଉଛି । କିନ୍ତୁ ଏ କଥାକୁ ଆମେ ଗଣମାଧ୍ୟମରେ କାହିଁକି କହିବୁ ? ହେଲେ ବିଜେଡି ହାରିବା ପଛରେ ଗଣମାଧ୍ୟମର ଦୋଷ କଣ ? ସେ କାହିଁକି ଏମିତି ବୟାନ ଦେଲେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
୨୪ ବର୍ଷର ଶାସନ ପରେ ପ୍ରଥମଥର ଲାଗି ବିଜେଡି ପରାଜୟର ସ୍ଵାଦ ଚାଖିଛି । ଅଳ୍ପ ବ୍ୟବଧାନରେ ହେଲେ ବି ଦଳ ମାଟି କାମୁଡ଼ିଛି । ପୁରୁଣା ସରକାର ବଦଳିଛି, ନୂଆ ସରକାର ହୋଇଛି । କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବିଜେଜି ନେତା । ଏ କଥା ଆମେ ତୁଚ୍ଛାଟାରେ କହୁନୁ ବରଂ ପ୍ରତିକ୍ରିୟା ଶୁଣିବା ପରେ କହୁଛୁ । କାରଣ ଆଜି ବିଧାନସଭାର ଥିଲା ସ୍ଵତନ୍ତ୍ର ଅଧିବେଶନ । ନବନିର୍ବାଚିତ ବିଧାୟକଙ୍କର ଶପଥପାଠ ଉତ୍ସବ ବି ଥିଲା । ନିର୍ଦ୍ଧାରିତ ସମୟରେ ଜଣଙ୍କ ପରେ ଜଣେ ବିଧାୟକ ଗୃହରେ ପହଞ୍ଚିଥିଲେ । ଆଉ ଏହାରି ଭିତରେ ବିଜେଡିର ବିଧାୟକ ପ୍ରତାପ ଦେବ ବି ଗୃହରେ ପହଞ୍ଚିଥିଲେ । ଅଭିଜ୍ଞତା ଥିବାରୁ ଗଣମାଧ୍ୟମର ପ୍ରତିନିଧୀମାନେ ତାଙ୍କୁ ଅନେକ ପ୍ରଶ୍ନ କରିଥିଲେ । କାହିଁକି ଦଳ ଏମିତି ହାରିଲା ସେନେଇ ବି ପ୍ରଶ୍ନ କରିଥିଲେ । ହେଲେ ଯେଉଁପରି ଢଙ୍ଗରେ ସେ ଉତ୍ତର ଦେଲେ ତାହାକୁ ନେଇ ଅଧିକ ଚର୍ଚ୍ଚା ।
୨୪ ନିର୍ବାଚନ, ବିଜେଡି ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । କେମିତି ଦଳ ଷଷ୍ଠଥର କ୍ଷମତା ଦଖଲ କରିବ ସେନେଇ ଅଭିଜ୍ଞ ରାଜନେତାମାନେ ଗୋଟି ଚଳାଇଥିଲେ । ହେଲେ ସେ ଗୋଟି ଚାଳନାକୁ ରଦ୍ଦ କରିଦେଇ ନିଜର ଅନଭିଜ୍ଞ ଗୋଟି ଚଳାଇବାକୁ ଜିଦ ଧରିଥିଲେ ପାଣ୍ଡିଆନ । କେବଳ ଜିଦ କରିଥିଲେ ତାହା ନୁହେଁ ବରଂ ଗୋଟି ଚଳାଇଥିଲେ । ଯେଉଁଥି ଲାଗି ଦଳ ଆଜି ରସନାତଳକୁ ଗଲା । ନିଜ ଦୋଷକୁ ସ୍ଵୀକାର କରିବା ପରିବର୍ତ୍ତେ ପ୍ରତାପ ଆଜି ଯେଉଁପରି ପ୍ରତିକ୍ରିୟା ରଖିଲେ ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।