ନବୀନଙ୍କୁ ଚିଠି ଲେଖିଲେ ରାଜା, ଦେବୀ ମିଶ୍ର ଦେଲେ ପ୍ରତିକ୍ରିୟା..!

ସାଂଗଠନିକ ନିର୍ବାଚନ ଭିତରେ ନବୀନଙ୍କୁ ଚିଠି ଲେଖିଛନ୍ତି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଯେଉଁ ଚିଠି ଦଳୀୟ ମହଲରେ ଆଲୋଡ଼ନ ସୃଷ୍ଟି କରିଛି । ତାଙ୍କ ଚିଠି ପରୋକ୍ଷରେ କହିଦେଉଛି, ଦଳକୁ କେହି ଜଣେ ହାଇଜାକ୍ କରିବାକୁ ଚେଷ୍ଟା କରୁଛି । ଚିଠିରେ ରାଜା ଲେଖିଛନ୍ତି ଦଳକୁ କେହି ହାଇଜାକ୍ ନକରନ୍ତୁ । ସଂଗଠନରେ ସଂରକ୍ଷଣ କରିବାକୁ ସେ ସଭାପତିଙ୍କୁ ପ୍ରସ୍ତାବ ଦେଇଛନ୍ତି ରାଜା ।
ଆହୁରି ଲେଖିଛନ୍ତି, ବିଜେଡି ସାମାଜିକ ନ୍ୟାୟ, ଧର୍ମନିରପେକ୍ଷତା ଓ ଆଞ୍ଚଳିକ ସନ୍ତୁଳନକୁ ନେଇ ଆଗକୁ ବଢ଼ିବା ଉଚିତ। ଏସ୍ସି, ଏସ୍ଟି, ଓବିସି, ସଂଖ୍ୟାଲଘୁ ଓ ମହିଳାଙ୍କୁ ସେମାନଙ୍କ ସଂଖ୍ୟା ଅନୁପାତରେ ବିଜେଡିର ରାଜ୍ୟ, ଜିଲ୍ଲା ଓ ବ୍ଳକ୍ କମିଟିରେ ସ୍ଥାନ ମିଳୁ । କିଛି ଲୋକଙ୍କୁ ଦଳର ସଂଗଠନକୁ ହାଇଜ୍ୟାକ୍ କରିବାକୁ ଦିଆନଯାଉ । ସେ ଏହା ବି ସତର୍କ କରାଇ ଦେଇଛନ୍ତି, ୱାକଫ୍ ବିଲ୍ ବିବାଦ ଆମର ଧର୍ମନିରପେକ୍ଷତାରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି । ତେଣୁ ଧର୍ମନିରପେକ୍ଷ ଓ ସାମାଜିକ ନ୍ୟାୟ ଆଦର୍ଶକୁ ଉଜ୍ଜୀବିତ ରଖିବାକୁ ଉଚିତ ପଦକ୍ଷେପ ନିଆଯାଉ ।
ସେପଟେ ରାଜାଙ୍କ ଚିଠିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର । ସଂଗଠନରେ ସମସ୍ତଙ୍କୁ ଗୁରୁତ୍ୱ ଦିଆଯାଉଛି । ଆଞ୍ଚଳିକ ଦଳ ଭାବେ, ସବୁ ସମ୍ପ୍ରଦାୟର ପ୍ରତିନିଧିମାନେ ସଂଗଠନରେ ରହୁଛନ୍ତି । ରାଜାଙ୍କ ହାଇଜ୍ୟାକ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ହାଇଜ୍ୟାକ କଥା ସେ ଜାଣିଥିବେ । ହାଇଜ୍ୟାକ କଥା ସେ ବୁଝେଇ ପାରିବେ । ସେ ହାଇଜ୍ୟାକ କଥାଟା ବେଶି ଜାଣିଥିବେ।
ରାଜାଙ୍କର ସେ ବିଷୟରେ ଅଭିଜ୍ଞତା ଥିବ । ଆଗରୁ କିଏ ହାଇଜ୍ୟାକ କରି ଦେଇଛି କି ? ଆମେ ନଈ ନ ଦେଖୁଣୁ ଲଙ୍ଗଳା କାହିଁକି ହେବା । ରାଜା ସ୍ୱାଇଁ ଜଣେ ବରିଷ୍ଠ ନେତା ତାଙ୍କର ବହୁତ ଅଭିଜ୍ଞତା ରହିଛି । ହାଇଜ୍ୟାକ କଥା ଯଦି କଣ ସେ ଜାଣି ଥିବେ କି ସୂଚନା ପାଇଥିବେ ସେ ସେଇଟା କହି ପାରିବେ । ଆମେ ସଙ୍ଗଠନରେ ସମସ୍ତଙ୍କୁ ନେଇ ଚାଲୁଛୁ । ସଂଗଠନରେ ସମସ୍ତଙ୍କୁ ଗୁରୁତ୍ୱ ଦିଆଯାଉଛି ।
ତେବେ ବିଜେଡରେ ୱାକଫ୍ ବିଲ୍କୁ ନେଇ ଉଠିଥିବା ଝଡ ଥମିବାର ନା ନେଉ ନାହିଁ । ଦିନକୁ ଦିନ ଏହା ଦଳୀୟ କନ୍ଦଳକୁ ବଢାଇବାରେ ଲାଗିଛି । ଗୋଟିଏ ଅର୍ଥରେ କହିବାକୁ ଗଲେ ବିଜେଡିରେ ଦଳୀୟ କନ୍ଦଳ ପାଇଁ ଗୋଟିଏ ବଡ ଖୋରାକ ଯୋଗାଇଛି ୱାକଫ୍ ବିଲ୍ । ସୁଲତା ଦେଓଙ୍କ ସୋସିଆଲ ମିଡିଆ ପୋଷ୍ଟ ପରେ ବଢିଛି ବିବାଦ। ସୁଲତାଙ୍କ ପୋଷ୍ଟ ପାଇଁ ତାଙ୍କୁ ସିଧା ସିଧା ଟାର୍ଗେଟ୍ କରିଛନ୍ତି ଦେବାଶିଷ ସାମନ୍ତରାୟ । ଜଣେ ଜୁନିୟର ସଭ୍ୟ ହୋଇ ପୁଣି ମୁଖିଆ ମନା କଲା ପରେ ବି ସେ ଟ୍ବିଟ୍ କରି ବିବାଦ ବଢ଼ାଉଛନ୍ତି । ଏକଥା ଆଗକୁ ନବୀନ ବିଚାର କରିବେ । ସୋସିଆଲ ମିଡିଆରେ ପୋଷ୍ଟ କରି ସସ୍ମିତ ପାତ୍ରଙ୍କୁ ସମର୍ଥନ କରିବା ସହ ମୁନା ଖାଁଙ୍କୁ ଟାର୍ଗେଟ୍ କରିଥିଲେ ସୁଲତା ଦେଓ ।
ଏପଟେ ବିଜେଡିରେ ଫାଟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା ଓ ବରିଷ୍ଠ ନେତା ଅଶୋକ ପଣ୍ଡା । ଦଳ ଏକ ଅଛି ବୋଲି କହିଛନ୍ତି ଅଶୋକ ପଣ୍ଡା । ଅନନ୍ତ ଜେନା କହିଛନ୍ତି, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଶେଷ ନିଷ୍ପତ୍ତି । ଦଳର ବରିଷ୍ଠ କନିଷ୍ଠ କେହି କୌଣସି ମେଳି କରୁନାହାନ୍ତି । ଯିଏ ଯେଉଁଠି ମତ ଦେଉଛନ୍ତି ତାହା ତାଙ୍କର ସମ୍ପୂର୍ଣ୍ଣ ଭାବରେ ବ୍ୟକ୍ତିଗତ ।